ସାବରୀମାଳା ମନ୍ଦିରରେ ପ୍ରବେଶ କରିଥିବା କନକଦୁର୍ଗାଙ୍କୁ ପରିବାରରୁ ବାସନ୍ଦ


ଥିରୁବନନ୍ତପୁରମ୍, ୨୩/୧  : ପ୍ରଭୁ ଆୟପ୍ପାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ସାବରୀମାଳା ମନ୍ଦିରରେ ପ୍ରବେଶ କରିଥିବା କନକଦୁର୍ଗାଙ୍କ ବ୍ୟକ୍ତିଗତ ଜୀବନ ଏବେ ବିଷମ ହୋଇପଡ଼ିଛି  । ତାଙ୍କର ଏଭଳି ବାହାଦୂରୀଆ କାମକୁ ବିରୋଧ କରି ପରବାରବର୍ଗ କନକଦୁର୍ଗାଙ୍କୁ ବାସନ୍ଦ କରି ଘରୁ ତଡ଼ି ଦେଇଛନ୍ତି  । ଫଳରେ ସେ ରାଜ୍ୟ ସରକାରଙ୍କ ‘ୱାନ୍ ଷ୍ଟପ୍ ଷ୍ଟୋର’ରେ ଆଶ୍ରୟ ନେଇଛନ୍ତି  । ତେବେ ଏଭଳି ଘରୋଇ ହିଂସାକୁ ବିରୋଧ କରି ୪୪ ବର୍ଷୀୟା କନକଦୁର୍ଗା ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି  । ପ୍ରକାଶଥାଉ କି, ପ୍ରଭୁ ଆୟପ୍ପାଙ୍କ ସାବରୀମାଳା ମନ୍ଦିରରେ ପ୍ରବେଶ କରିବା ପରେ କନକଦୁର୍ଗାଙ୍କୁ ତାଙ୍କ ଶାଶୁ ମାଡ଼ ମାରିଥିଲେ  । ଏହାପରେ ଚିକିତ୍ସା ପାଇଁ ସେ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ  । ଭଲ ହୋଇ ସ୍ୱାମୀଙ୍କ ଘରକୁ ଗଲାପରେ ସେଠାରେ ତାଲା ପଡ଼ିଥିବା ଦେଖି ଏବେ କନକଦୁର୍ଗା ସରକାରୀ ଆଶ୍ରୟସ୍ଥଳରେ ରହୁଛନ୍ତି  । ଉଲ୍ଲେଖଥାଉ କି, ସାବରୀମାଳା ମନ୍ଦିରରେ ୧୧ରୁ ୫୦ ବର୍ଷ ବୟସର ମହିଳାଙ୍କ ପ୍ରବେଶ ଉପରେ କାହିଁ ଆଦିକାଳରୁ କଟକଣା ରହିଆସିଛି  । ମାତ୍ର ମାନ୍ୟବର ସୁପ୍ରିମ୍କୋର୍ଟ ଏହି କଟକଣାକୁ ଖାରଜ କରିଦେବା ସହ ମହିଳାଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରିଥିଲେ  । ତତ୍ପରେ ଅନେକ ଥର ମହିଳା ସ୍ୱୟଂସହାୟିକାର ସଦସ୍ୟାମାନେ ସାବରୀମାଳା ମନ୍ଦିରରେ ପ୍ରବେଶ ପାଇଁ ଚେଷ୍ଟା କରିଥିଲେ  । ମାତ୍ର ଏହାକୁ ହିନ୍ଦୁବାଦୀ ସଂଗଠନଗୁଡ଼ିକ ଘୋର ବିରୋଧ କରିଥିଲେ  । ତେବେ ଗତ ୨ ତାରିଖ ଭୋର୍ରୁ ସାଧା ପୋଷାକଧାରୀ ପୁଲିସଙ୍କ ଉପସ୍ଥିତିରେ କନକଦୁର୍ଗା ଓ କଲେଜ ଅଧ୍ୟାପିକା ବିନ୍ଦୁ ଗୋପନରେ ସାବରୀମାଳା ମନ୍ଦିରରେ ପ୍ରବେଶ କରିଥିଲେ  । ଏହାକୁ କେନ୍ଦ୍ର କରି ବିଭିନ୍ନ ହିନ୍ଦୁବାଦୀ ସଂଗଠନଗୁଡ଼ିକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ  । ଫଳତଃ କେରଳରେ ୧୪୪ ଧାରା ଜାରି କରିବାକୁ ପଡ଼ିଥିଲା  ।

Comments