୧୯୮୪ ଶିଖ ବିରୋଧୀ ଦଙ୍ଗା; ସଜ୍ଜନ କୁମାରଙ୍କ ବିରୁଦ୍ଧରେ ୱାରେଣ୍ଟ


ନୂଆଦିଲ୍ଲୀ, ୨୨/୧  : ୧୯୮୪ରେ ଶିଖ ବିରୋଧୀ ଦଙ୍ଗାକୁ ଉସ୍କାଇଥିବା କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ସଜ୍ଜନ କୁମାରଙ୍କୁ ଆସନ୍ତା ୨୮ ତାରିଖରେ ଅଦାଲତରେ ହାଜର ହେବା ପାଇଁ ୱାରେଣ୍ଟ ଜାରି କରାଯାଇଛି  । ଏହି ଘଟଣାରେ ଗିରଫ ହୋଇ ତିହାର ଜେଲ୍ରେ ରହୁଥିବା ସଜ୍ଜନ କୁମାରଙ୍କୁ ଆଜି ଏକ ନିମ୍ନ ଅଦାଲତରେ ହାଜର ହେବାର ଥିଲା; ମାତ୍ର ସେ ଅନୁପସ୍ଥିତ ରହିବାରୁ ତାଙ୍କ ବିରୁଦ୍ଧରେ ୱାରେଣ୍ଟ ଜାରି କରାଯାଇଛି  ।ଏଥିରେ ସମ୍ପୃକ୍ତ ଅନ୍ୟ ୩ ଜଣ ଅଭିଯୁକ୍ତ କୁମାର, ବ୍ରହ୍ମାନନ୍ଦ ଗୁପ୍ତା ଏବଂ ବେଦ ପ୍ରକାଶଙ୍କ ବିରୁଦ୍ଧରେ ନିମ୍ନ ଅଦାଲତରେ ଚାଲିଥିବା ଏହି ମାମଲାର ଶୁଣାଣି ହୋଇଥିଲା  । ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କର ଶିଖ ଅଙ୍ଗରକ୍ଷକମାନେ ଗୁଳି କରି ହତ୍ୟା କରିଥିଲେ  । ଏହାପରେ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାର ଲୋକମାନଙ୍କୁ ଶିଖଙ୍କ ଉପରେ ଆକ୍ରମଣ କରିବାକୁ ଉସ୍କାଇଥିଲେ  । ଏହି କ୍ରମରେ ସୁଲତାନପୁରୀରେ ସୁରଜିତ ସିଂହ ନାମକ ଜଣେ ଶିଖବ୍ୟକ୍ତିଙ୍କୁ ଉପରୋକ୍ତ ୩ ଜଣ ଅଭିଯୁକ୍ତ ନିର୍ମମ ଭାବେ ହତ୍ୟା କରିଥିଲେ  । ପରେ ମୃତକ ସୁରଜିତଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା  । ୧୯୮୪ରେ ହୋଇଥିବା ଏହି ଶିଖ ବିରୋଧୀ ଦଙ୍ଗାରେ ପ୍ରାୟ ୨୭୦୦ରୁ ଅଧିକ ଶିଖଙ୍କୁ ହତ୍ୟା କରାଯାଇଥିଲା  । ଏନେଇ ମାମଲାଗୁଡ଼ିକ କୋର୍ଟରେ ବିଚାରଧୀନ ଥିଲେ ହେଁ ସଜ୍ଜନ କୁମାର ନିଜର ରାଜନୈତିକ ପ୍ରଭାବ ଯୋଗୁଁ ଗିରଫଦାରୀକୁ ଏଡ଼ାଇ ଚାଲୁଥିଲେ  । ଗତ ୨୦୧୮ ଡିସେମ୍ବର ୧୭ ତାରିଖରେ ଦିଲ୍ଲୀ ହାଇକୋର୍ଟ ଏଥିପାଇଁ ସଜ୍ଜନକୁମାରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରରେ ଦଣ୍ଡିତ କରିଥିଲେ  । ମାତ୍ର ବିଭିନ୍ନ ବାହାନା ଦେଖାଇ ସଜ୍ଜନ କୁମାର ଅଦାଲତଙ୍କ ନିକଟରେ ଆତ୍ମସମର୍ପଣ କରୁନଥିଲେ  । ଶେଷରେ ଅଦାଲତଙ୍କ ଚରମ ନିର୍ଦ୍ଦେଶ ପରେ ସେ ଗତ ଡିସେମ୍ବର ୩୧ ତାରିଖରେ ଅଦାଲତଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ  ।

Comments