ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନରେ ମନ୍ଦିର ବନିବ : ଧର୍ମ ସଂସଦ


ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନରେ ମନ୍ଦିର ବନିବ : ଧର୍ମ ସଂସଦ
ପ୍ରୟାଗରାଜ, (ଭିଏସ୍ କେ) ୧/୨  : ପ୍ରଭୁ ଶ୍ରୀରାମଙ୍କ ଯେଉଁଠାରେ ଜନ୍ମ ହୋଇଥିଲା ସେହିଠାରେ ହିଁ ରାମ ମନ୍ଦିର ନିର୍ମାଣ ହେବ ବୋଲି ବିଶ୍ୱ ହିନ୍ଦୁ ପରିଷଦ (ଭି ଏଚ୍ ପି)ର ଧର୍ମସଂସଦରେ ନିଷ୍ପତ୍ତି ନିଆଯାଇଛି  । ଏହି ପରିପ୍ରେକ୍ଷୀରେ ଭିଏଚ୍ପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି ଯେ, ରାମ ଜନ୍ମ ନେଇଥିବା ସ୍ଥାନର ଇଟା ଓ ଶିଳାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯିବ  । ଏନେଇ ଧର୍ମ ସଂସଦରେ ପ୍ରସ୍ତାବ ପାରିତ ହୋଇଛି  । ଉକ୍ତ ପ୍ରସ୍ତାବ ଅନୁଯାୟୀ, ରାମ ମନ୍ଦିର ମାମଲାରେ ମାନ୍ୟବର ସୁପ୍ରିମ୍କୋର୍ଟ ଦୈନିକ ଶୁଣାଣି କରି ଆସନ୍ତା ୨ରୁ ୩ ମାସ ମଧ୍ୟରେ ରାୟ ଶୁଣାଇବାକୁ ଦାବି କରାଯାଇଛି  । ଇତିମଧ୍ୟରେ ଅଣବିବାଦୀୟ ଜମିକୁ ନ୍ୟାସକୁ ଫେରାଇ ଦେବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଉଦ୍ୟମକୁ ଭିଏଚ୍ପି ସ୍ୱାଗତ କରିଛି  । ରାମ ମନ୍ଦିର ନିର୍ମାଣାର୍ଥେ ଆସନ୍ତା ଶନିବାର ଗଙ୍ଗାକୂଳରେ ମହାଯଜ୍ଞ କରାଯିବ  । ଭିଏଚ୍ପି ଧର୍ମସଂସଦର ଦୁଇ ଦିନିଆ ଅଧିବେଶନର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିବସ ଥିଲା  । ଏଠାରେ ସଭାକୁ ସମ୍ବୋଧିତ କରି କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ କୁମାର କହିଛନ୍ତି ଯେ, ଯେଉଁ ଶକ୍ତିଗୁଡ଼ିକ ପୁରୁଷ ପୁରୁଷ ଧରି ଦେଶର ଶତ୍ରୁ ଥିଲେ ସେମାନେ ଏବେ ସନ୍ଧି କରି ହିନ୍ଦୁଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି  । ଆମର ୪୨ ଏକର ଭୂମି ରାମ ଜନ୍ମଭୂମି ନ୍ୟାସର ଅଟେ ଏବଂ ଯେତେବେଳେ ନ୍ୟାସର ଅଧ୍ୟକ୍ଷ ଏହି ଜମିକୁ ଫେରାଇବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଯୋଗେ ଅନୁରୋଧ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଏହାର ୧୫ ଦିନ ମଧ୍ୟରେ ଶୀର୍ଷ ଅଦାଲତରେ ଏନେଇ ପିଟିସନ୍ ଦାଖଲ କରିଛନ୍ତି  । ତେବେ ପ୍ରଧାନମନ୍ତ୍ରୀଙ୍କ ଏଭଳି ତ୍ୱରିତ ପଦକ୍ଷେପ ଲାଗି ଭିଏଚ୍ପି ଧର୍ମସଂସଦ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରଖିଛି ବୋଲି ଶ୍ରୀ କୁମାର କହିଛନ୍ତି  ।

Comments