ଶ୍ରୀନଗର, ୨୭/୨ : ଗୋଟିଏ ପଟେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି)କୁ ଅତିକ୍ରମ କରି ଭାରତୀୟ ବାୟୁସେନା ପାକିସ୍ତାନ ଭିତରେ ପଶି ବୋମାମାଡ଼ କରି ୩୫୦ରୁ ଅଧିକ ଜୈଶ ଆତଙ୍କବାଦୀଙ୍କୁ ନିପାତ କରିଥିବାବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀମାନେ ଶୋପିଆରେ ଏନକାଉଣ୍ଟର କରି ଲୁଚି ରହିଥିବା ୨ ଜଣ ଜୈଶ ଆତଙ୍କୀଙ୍କୁ ନିହତ କରିଛନ୍ତି । ଶୋପିଆର ମେମନ୍ଦର ଗ୍ରାମରେ ୨ରୁ ୩ ଜଣ ଜୈଶ ଆତଙ୍କବାଦୀ ଆତ୍ମଗୋପନ କରିଥିବା ନେଇ ସୂଚନା ମିଳିଥିଲା । ଉକ୍ତ ସୂଚନାକୁ ଆଧାର କରି ମଙ୍ଗଳବାର ବିଳମ୍ବିତ ରାତିରେ ସିଆର୍ପିଏଫ୍ ଓ ଜମ୍ମୁ-କାଶ୍ମୀର ପୁଲିସର ମିଳିତ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । କ୍ରମେ ଏହି ସର୍ଚ୍ଚ ଅପରେସନ୍ ଓ ଘେରାବନ୍ଦୀ ନିକଟତର ହେବାରୁ ସେଠାରେ ଆତ୍ମଗୋପନ କରିଥିବା ଜୈଶ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀମାନେ ମଧ୍ୟ ଫାୟାରିଂ କରିଥିଲେ କିଛି ଘଣ୍ଟାର ଗୁଳିବିନିମୟ ପରେ
୨ ଜଣ ଜୈଶ ଆତଙ୍କବାଦୀ ନିପାତ ହୋଇଥିଲେ । ତେବେ କାଳେ କୌଣସି ଆତଙ୍କବାଦୀ ଖସି ଯାଇଥିବେ ସେଥିଲାଗୀ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ବ୍ୟାପକ ଖାନ୍ତଲାସୀ ଜାରି ରଖିଥିବା ଜଣାପଡ଼ିଛି ।
Comments
Post a Comment