ବନ୍ଦ ହେବ ବିଚ୍ଛିନ୍ନତାବାଦୀଙ୍କ ସୁବିଧା ସୁଯୋଗ ଓ ସୁରକ୍ଷା!


ଶ୍ରୀନଗର, ୧୫/୨: ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଜାମ୍ମୁ-କାଶ୍ମୀର ବିଚ୍ଛିନ୍ନତାବାଦୀ ନେତାଙ୍କ ବିରୋଧରେ ମୋଦି ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିପାରନ୍ତି । ଏହି ନେତାଙ୍କ ପାସପୋର୍ଟ ରଦ୍ଦ କରାଯାଇପାରେ । ଲୋକଙ୍କ ଅର୍ଥରେ ବିଚ୍ଛିନ୍ନତାବାଦୀ ନେତାଙ୍କୁ ମିଳୁଥିବା ‘ଜେଡ୍‍’ ପାହ୍ୟାର ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ନେଇ ବିଚାର କରାଯିବ ବୋଲି ରାଜନାଥ କହିଛନ୍ତି  । ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଶ୍ରୀନଗର ଗସ୍ତରେ ଥିବା ବେଳେ ପାକିସ୍ତାନ ଓ ଆଇଏସଆଇ ଠାରୁ ଅର୍ଥ ପାଉଥିବା ବିଚ୍ଛିନ୍ନତାବାଦୀମାନେ ରାଜ୍ୟରେ ଅରାଜକତା ସୃଷ୍ଟିର ମୂଳ କାରଣ ହୋଇଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସେ ରାଜ୍ୟ ପ୍ରଶାସନକୁ କହିବେ ବୋଲି କହିଛନ୍ତି । ବିଚ୍ଛିନ୍ନତାବାଦୀଙ୍କୁ ସୁରକ୍ଷାରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରିବା ନିଷ୍ପତ୍ତି ରାଜ୍ୟ ସରକାର ନେବେ । ଏବେ ବିଚ୍ଛିନ୍ନତାବାଦୀଙ୍କ ସୁରକ୍ଷା ଲାଗି ୯୫୦ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ବିଚ୍ଛିନ୍ନତାବାଦୀଙ୍କ ସହ କିଛି ଆତଙ୍କବାଦୀ ସଂଗଠନର ମତଭେଦ ରହିଛି । ତେଣୁ ବିଚ୍ଛିନ୍ନତାବାଦୀ ନେତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି । ଏଥିପାଇଁ ବାର୍ଷିକ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହି ଖର୍ଚ୍ଚକୁ କେନ୍ଦ୍ର ଓ ରାଜ୍ୟ ସରକାର ବହନ କରନ୍ତି । ରାଜ୍ୟ ସରକାର ମୋଟ ଖର୍ଚ୍ଚର ମାତ୍ର ୧୦% ବହନ କରନ୍ତି । 

Comments