ପ୍ରତିଶୋଧ ପାଇଁ ପ୍ରତିଜ୍ଞା ନେଲା ସିଆରପିଏଫ


ନୂଆଦିଲ୍ଲୀ ,୧୫/୨ : ପୁଲୱାମା ଜିଲ୍ଲାର ଜମ୍ମୁ-ଶ୍ରୀନଗର ରାଜରାସ୍ତାର ଅବନ୍ତିପୁରା ନିକଟରେ ଜୈସ୍-ଇ-ମହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ସିଆରପିଏଫର ପ୍ରାୟ ୪୧ ଜଣ ଯବାନ ଶହୀଦ୍ ହେବା ପରେ ଏହି ନାରକୀୟ ହିଂସାର କଠୋର ପ୍ରତିଶୋଧ ପାଇଁ ସିଆରପିଏଫ୍ ପ୍ରତିବଦ୍ଧତା ବ୍ୟକ୍ତ କରିଛି । ଆଜି ଶ୍ରୀନଗରରେ ଶହୀଦ୍ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଏହାର ଟ୍ୱିଟର ହ୍ୟାଣ୍ଡଲରେ ଦର୍ଶାଯାଇଛି ଯେ, ଆମେ ବୀର ଶହୀଦ ଯବାନମାନଙ୍କୁ ସାଲ୍ୟୁଟ କରୁଛୁ । ଏଭଳି ନାରକୀୟ ଘଟଣାକୁ ଆମେ ଭୁଲିବୁ ନାହିଁ । କିମ୍ବା ଆତଙ୍କବାଦୀଙ୍କୁ ଆମେ ଛାଡିବୁ ନାହିଁ । ଏହି ଘଟଣାର ଆମେ ସାଂଘାତିକ ପ୍ରତିଶୋଧ ନେବୁ । ସେପଟେ ଶୁକ୍ରବାର ଗୃହମନ୍ତ୍ରୀ ରାଜନାଥ ସିଂହ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଶ୍ରୀନଗରରେ ଶହୀଦ ଯବାନମାନଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଯବାନମାନଙ୍କ ସହିତ ପୂରା ଦେଶ ଛିଡା ହୋଇଥିବା କହିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟପାଳ ସତ୍ୟପାଲ ମଲ୍ଳିକ, ସେନାର ବରିଷ୍ଠ ଅଧିକାରୀମାନେ ଶହୀଦ୍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରଦ୍ଧାଞ୍ଜଳି ପରେ ଯବାନମାନଙ୍କ ପାର୍ଥୀବ ଶରୀର ଶ୍ରୀନଗରରୁ ଦିଲ୍ଲୀ ଅଣାଯାଇଥିଲା । ଦିଲ୍ଲୀର ପାଲମ ବିମାନ ବନ୍ଦରରେ ଶହୀଦମାନଙ୍କ ପାର୍ଥିବ ଶରୀର ପହଞ୍ôଚବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂହ , ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ତିନି ସେନାର ମୁଖ୍ୟ , ପ୍ରତିରକ୍ଷା ବିଭାଗର ବହୁ ପଦାଧିକାରୀ ଓ ସିଆରପିଏଫର ପ୍ରମୁଖ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅପରପକ୍ଷରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ରାଜନାଥ ଶନିବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଏହି ବୈଠକରେ ସରକାରଙ୍କ ପରବର୍ତ୍ତି କାର୍ଯ୍ୟପନ୍ଥା ନେଇ ସମ୍ପୃକ୍ତ ଦଳଗୁଡିକୁ ସମ୍ୟକ୍ ସୂଚନା ଦିଆଯିବାର ଆଶା ରହିଛି ।

Comments