ଅଳିଆଗଦାରୁ ବିଦ୍ୟୁତ୍ ଉତ୍ପାଦନ କଲେ ଆଇଆଇଟି ମୁମ୍ବାଇ ପ୍ରଫେସର


ମୁମ୍ବାଇ, ୧୦/୨  : ଯଦି ଭବିଷ୍ୟତରେ ଆମେ ବାହାରେ ଫୋପାଡ଼ି ଦେଉଥିବା ଅଳିଆଗଦାରୁ ବିଜୁଳି ଓ ସ୍ୱଚ୍ଛ ପାନୀୟ ଜଳ ଉତ୍ପାଦିତ ହୋଇପାରିବ ତା’ହେଲେ ଦେଶବାସୀଙ୍କ ବିଦ୍ୟୁତ୍ ସମସ୍ୟା ଓ ପାନୀୟ ଜଳ ସମସ୍ୟା ଆଉ ରହିବ ନାହିଁ  । ଏଭଳି ଚିନ୍ତାଧାରାକୁ ବାସ୍ତବ ରୂପ ଦେଇଛନ୍ତ ଆଇଆଇଟି ମୁମ୍ବାଇର ଶକ୍ତି ବିଭାଗର ପ୍ରଫେସର ପ୍ରକାଶ ଘୋଷ  । ପ୍ରଫେସର ପ୍ରକାଶ ଘୋଷ ଓ ତାଙ୍କ ଦଳ ଏଭଳି ଏକ ମାଇକ୍ରୋବିୟଲ୍ ଫୁଏଲ ସେଲ୍ର ବିକାଶ କରିଛନ୍ତି ଯାହା ଦ୍ୱାରା ଅଳିଆଗଦାରୁ ନିର୍ଗତ ହେଉଥିବା ବିପଦଜନକ ତରଳ ପଦାର୍ଥରୁ ବିଜୁଳି ଉତ୍ପାଦନ ହୋଇପାରିବ  । ବିଶେଷ କରି ସହରର ଅଳିଆ ଆବର୍ଜନାକୁ ନେଇ ଫିଙ୍ଗା ଯାଉଥିବା ‘ଗାରବେଜ୍ ପଏଣ୍ଟ’ରେ ଏକ କଳା ରଙ୍ଗର ତରଳ ପଦାର୍ଥ ନିର୍ଗତ ହେବାର ଦେଖାଯାଇଥାଏ ଯାହକୁ ‘ଲିଚେଟ୍’ କୁହାଯାଏ  । ଏଥିରେ ରହିଥିବା ଜୈବିକି ଏବଂ ଅନ୍ୟାନ୍ୟ ଉପାଦାନଗୁ୍ଡ଼ିକ ବିଜୁଳି ଶକ୍ତି ଉତ୍ପାଦନ କରିବାରେ ସହାୟକ ହେବ ବୋଲି ପ୍ରଫେସର ଘୋଷ ଏକ ଶୋଧନରୁ ଜାଣିପାରିଛନ୍ତି  । ତେଣୁ ସେ ଏହି ଲିଚେଟ୍ରୁ ପ୍ରସ୍ତୁତ ମାଇକ୍ରୋବିୟଲ୍ ଫୁଏଲ ସେଲ୍କୁ ବ୍ୟବହାର କରି ବିଜୁଳି ଶକ୍ତି ଉତ୍ପାଦନ କରିବାକୁ ଉଦ୍ୟମ ଜାରି ରଖିଛନ୍ତି  । ଏହି ମର୍ମରେ ସେ ଏକ ପରୀକ୍ଷା କରିଥିଲେ  । ପରୀକ୍ଷାବେଳେ ଏକ ପାଇପ୍ ଜରିଆରେ ନଳାର ଦୂଷିତ ପାଣି ବା ଲିଚେଟ୍କୁ ପ୍ରବାହିତ କରି ସେଥିରେ ମାଇକ୍ରୋବିୟଲ ଫୁଏଲ୍ ସେଲ୍କୁ ପକାଇଥିଲେ  । ଏହାଦ୍ୱାରା ଲିଚେଟ୍ରେ ଥିବା ଅର୍ଗାନିକ ଉପାଦାନଗୁଡ଼ିକୁ ଭୂତାଣୁମାନେ ଖାଇ ଦେଇଥିଲେ  । ଫଳରେ ସେତେବେଳେ ଉଭୟ ଯୁକ୍ତାତ୍ମକ ଓ ବିଯୁକ୍ତାତ୍ମକ ଉପାଦାନର ସୃଷ୍ଟି ହୋଇଥିଲା ଏବଂ ଏଗୁଡ଼ିକ ଇଲେକ୍ଟ୍ରୋଡ୍ରେ ଏକତ୍ର ହୋଇଥିଲେ  । ଏହି ବିପରୀତ ଉପାଦାନଗୁଡ଼ିକ ଶେଷ ପର୍ଯ୍ୟନ୍ତ ଗତି କରିବାରୁ ସେଥିରୁ ବିଜୁଳି ଶକ୍ତି ଉତ୍ପାଦିତ ହୋଇଥିଲା  । ତେବେ ଏହି ମାଇକ୍ରୋବିଆଲ୍ ଫୁଏଲ୍ ସେଲ୍କୁ ପ୍ରସ୍ତୁତ କରିବା ପାଇଁ ପ୍ରଫେସର ଘୋଷ ପ୍ଲାଟିନମ୍ ସଂଯୁକ୍ତ କାର୍ବନ ଚୂର୍ଣ୍ଣ ସହିତ କାର୍ବନ କାଗଜର ଉପଯୋଗ କରିଥିବାବେଳେ ଯୁକ୍ତାତ୍ମକ ଟର୍ମିନାଲ ପାଇଁ ଏକ୍ରିଲେକ୍ ଓ ଗ୍ରାଫାଇଟ୍ର ବ୍ୟବହାର କରିଥିଲେ  ।

Comments