ନୂଆଦିଲ୍ଲୀ, ୧୫/୨ : ଗତ ଗୁରୁବାର କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ସଂଗଠନ ଜୈସ-ଏମହମ୍ମଦ ଦ୍ୱାରା ଆତ୍ମଘାତୀ ହମ୍ଲାରେ ସିଆର୍ପିଏଫ୍ର ୪୪ ଜଣ ବୀର ଯୱାନ ଶହୀଦ ହୋଇଥିବାବେଳେ ଏହାକୁ ନେଇ ସ୍ତବ୍ଧ ହୋଇପଡ଼ିଛି ସମଗ୍ର ରାଷ୍ଟ୍ର । ଶହୀଦ ଯୱାନଙ୍କ ପାଇଁ ସମଗ୍ର ଦେଶବାସୀ ଶୋକସନ୍ତପ୍ତ ହୋଇପଡ଼ିଛନ୍ତି । ଏବେ ଦେଶ ତମାମ କେବଳ ଗୋଟିଏ ଚର୍ଚ୍ଚା କିଭଳି ଶହୀଦ ଯୱାନଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ । କେତେଦିନ ଚାଲିଥିବ ଏହି ରକ୍ତର ହୋଲି ଓ କେତେଦିନ ଆମ ବୀର ଯୱାନମାନେ ଆତଙ୍କବାଦର ଶୀକାର ହୋଇ ଚାଲିଥିବେ । ଉରି ଆକ୍ରମଣ ପରେ ଭାରତ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା । ଭାରତୀୟ କମାଣ୍ଡୋମାନେ ପିଓକେ ମଧ୍ୟରେ ପ୍ରବେଶ କରି ସେଠାରେ ଥିବା ଆତଙ୍କୀ ଶିବିରଗୁଡ଼ିକୁ ନଷ୍ଟ କରିଦେବା ସହ ୩୫ ଜଣ ଆତଙ୍କୀ ଓ ଅନେକ ପାକ୍ ସୈନ୍ୟଙ୍କୁ ହତ୍ୟା ଉରି ଆକ୍ରମଣର ବଦଲା ନେଇଥିଲେ । ସେତେବେଳେ ସମଗ୍ର ଦେଶବାସୀ ଭାବୁଥିଲେ ଯେ, ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ପାକିସ୍ତାନ ଓ ପାକ୍ ପ୍ରୋତ୍ସାହିତ ଆତଙ୍କୀ ସଂଗଠନଗୁଡ଼ିକ ଶିକ୍ଷା ପାଇବେ ଏବଂ ଆଉ ଭାରତ ବିରୁଦ୍ଧରେ ଅସ୍ତ୍ର ଉଠାଇବାକୁ ଦୁଃସାହାସ କରିବେ ନାହିଁ । କିନ୍ତୁ ୧୨ ବର୍ଷ କାଳ କୁକୁରର ଲାଙ୍ଗୁଡ଼କୁ ନଳୀରେ ପୂରାଇ ରଖିବା ପରେ ତାକୁ ବାହାରକୁ ବାହାର କଲେ ସେ ଯେମିତି ବଙ୍କା ହୋଇଥାଏ ପାକିସ୍ତାନ ମଧ୍ୟ ସେହିଭଳି ତା’ର ପ୍ରକୃତି ଛାଡ଼ୁ ନାହିଁ । କାଶ୍ମୀରରେ ସେନା ପକ୍ଷରୁ ଅପରେସନ୍ ଅଲ୍ଆଉଟ୍ ଆରମ୍ଭ କରାଯିବା ପରେ ବର୍ଷକ ମଧ୍ୟରେ ପ୍ରାୟ ୨୪୦ରୁ ଅଧିକ ଆତଙ୍କବାଦୀ ନିପାତ ହେବା ପରେ ସୁରକ୍ଷାକର୍ମୀମାନେ ମଧ୍ୟ ଘାଟିରୁ ଆତଙ୍କବାଦର ମୂଳୋତ୍ପାଟନ
କରିବାରେ ସଫଳ ହୋଇସାରିଥିଲେ । ଏହାକୁ ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନ କଦାପି ବରଦାସ୍ତ କରିପାରିଲା ନାହିଁ । ଏଣୁ ‘ଜେହାଦ’ ବା ‘ଧର୍ମଯୁଦ୍ଧ’ର ଦ୍ୱାହି ଦେଇ କାଶ୍ମୀରର ବେକାର ଓ ହତାଶ ଯୁବକମାନଙ୍କ ହାତରେ ଅସ୍ତ୍ର ଧରାଇ ଆତଙ୍କବାଦ ଚଳାଇଛି । ଯାହାର ନଗ୍ନ ଉଦାହରଣ ହେଉଛି ପୁଲୱାମାର ଅବନ୍ତୀପୁରାରେ ହୋଇଥିବା ଆତଙ୍କୀ ହମ୍ଲା । ଏହି ଆତଙ୍କୀ ହମ୍ଲାକୁ ଭାରତ ସମେତ ବିଶ୍ୱ ସମୁଦାୟ କଟୂ ନିନ୍ଦା କରିଛନ୍ତି ।
Comments
Post a Comment