ଏଥର ଶତ୍ରୁ ସାଂଘାତିକ ଭୁଲ କରିଛି ବହୁତ ବଡ ମୂଲ୍ୟ ଦେବାକୁ ପଡିବ: ମୋଦି


ନୂଆଦିଲ୍ଲୀ, ୧୫/୨: ‘ସରକାର ଜବାନଙ୍କ ହତ୍ୟାର ପ୍ରତିଶୋଧ ନିଅନ୍ତୁ’-ଏହା ହେଉଛି ସମଗ୍ର ଦେଶବାସୀଙ୍କ ସରକାରଙ୍କୁ ଆକ୍ରୋଶଭରା ଆହ୍ୱାନ । ଗୁରୁବାର ପୁଲୱାମାରେ ଆତଙ୍କବାଦୀଙ୍କ ଜଘନ୍ୟ ଆକ୍ରମଣରେ ଅକାଳରେ ଲିଭି ଯାଇଛି ଭାରତମାତାର ୪୧ଜଣ ବୀର ଜବାନଙ୍କ ଜୀବନଦୀପ । ଏହି ସମ୍ବାଦ ଟିଭି ପରଦାରେ ପ୍ରଦର୍ଶିତ ହେବା ପରେ ଦେଶବାସୀ ହୋଇଯାଇଥିଲେ ସ୍ତବ୍ଧ ଏବଂ ବ୍ୟଥିତ । ପାକିସ୍ତାନର ଏଭଳି ବାରମ୍ବାର ଆକ୍ରମଣରେ ଜବାନ ଓ ସାଧାରଣ ନାଗରିକ ଶିକାର ହେଉଥିବାରୁ ଧୈର୍ଯ୍ୟଚ୍ୟୁତି ଘଟିବା ସ୍ୱାଭାବିକ । ଏହି ଘଟଣାକୁ ନେଇ ଭାରତର ସମସ୍ତ ବର୍ଗର ଲୋକେ ଅତିମାତ୍ରାରେ କ୍ରୋଧିତ ହୋଇପଡ଼ିଛନ୍ତି ଏବଂ ପାକିସ୍ତାନ ବିପକ୍ଷରେ ଆଉ ନରମ ଆଭିମୁଖ୍ୟ ନ ରଖି ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସ୍ୱର ଉତ୍ତୋଳନ କରିଛନ୍ତି । ନବେ ଦଶକରେ କାଶ୍ମୀରରେ ଆତଙ୍କବାଦ ଉଗ୍ରରୂପ ଧାରଣ ହେବା ପରଠାରୁ ଏପର୍ଯ୍ୟନ୍ତ ସେନା ଉପରେ ହୋଇଥିବା ଆକ୍ରମଣ ମଧ୍ୟରୁ ଏହା ସବୁଠାରୁ ବଡ଼ ଆକ୍ରମଣ । ୨୦୧୧ ପାର୍ଲାମେଣ୍ଟ ଆକ୍ରମଣ, ୨୬/ ୧୧ ମୁମ୍ବଇ ଆକ୍ରମଣ, ପଠାନ୍‍କୋଟ ବାୟୁସେନା ଘାଟି ଉପରେ ଆକ୍ରମଣ ଓ ୨୦୧୬ ସେପ୍ଟେମ୍ବରରେ ଉରୀ ଆକ୍ରମଣ ପରେ ଏବେ ପାକିସ୍ତାନ ପୁଲୱାମାରେ ଏହାର ପିଆଦାମାନଙ୍କ ଦ୍ୱାରା ଏଭଳି ବର୍ବର କାଣ୍ଡ କରିଛି ଯାହା ସବୁ ଭାରତୀୟଙ୍କୁ କ୍ରୋଧିତ ଓ ମର୍ମାହତ କରିଛି । ପୁଲୱାମା ଆକ୍ରମଣ ଭାରତର ଆତ୍ମା ଉପରେ ଏକ ଜଘନ୍ୟ ଆକ୍ରମଣ ବୋଲି କୁହାଯାଉଥିବା ବେଳେ ଦେଶରେ କେଉଁଠି ଜବାନମାନଙ୍କ ଆତ୍ମାର ଶାନ୍ତି ପାଇଁ ଦୀପଦାନ ହେଉଛି ତ କେଉଁଠି ଲୋକମାନେ ପାକିସ୍ତାନର ପତାକା ଜାଳି ନିଜର କ୍ରୋଧ ବ୍ୟକ୍ତ କରୁଛନ୍ତି । ଶ୍ରୀନଗରରେ ତ ପରିସ୍ଥିତି ଏପରି ହୋଇଛି ଯେ, ସେଠାରେ କଫ୍ରୁ୍ୟ ଲାଗୁ କରାଯାଇଛି । ଲୋକମାନେ ପାକସ୍ତାନ ବିରୋଧୀ ପ୍ରଦର୍ଶନରୁ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । କିଛି ବିଚ୍ଛିନ୍ନତାବାଦୀ ଓ ପଥର ଫିଙ୍ଗାଳି ସେମାନଙ୍କ ଉପରକୁ ପଥର ଫିଙ୍ଗିବାରୁ ହିଂସାକାଣ୍ଡ ସୃଷ୍ଟି ହୋଇଛି । ଅଘଟଣ ଆଶଙ୍କା କରି ପ୍ରଶାସନ ସେଠାରେ କଫ୍ରୁ୍ୟ ଲାଗୁ କରିଛି । ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଆମ ଧୂର୍ତ୍ତ ପଡୋଶୀ(ପାକିସ୍ତାନ) ସାଂଘାତିକ ଭୂଲ କରିଛି । ଏଥିପାଇଁ ତାକୁ ବହୁତ ବଡ଼ ମୂଲ୍ୟ ଦେବାକୁ ପଡିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମର ପ୍ରତ୍ୟେକ ଜବାନଙ୍କ ଜୀବନ ଅମୂଲ୍ୟ । ପୂରା ଦେଶ ପୁଲାୱାମା ଘଟଣାକୁ ନେଇ ମ୍ରିୟମାଣ ହୋଇପଡିଛି । ଆମେ ଭାରତୀୟ ସେନାକୁ ପୂର୍ଣ୍ଣ ସ୍ୱତନ୍ତ୍ରତା ଦେଇଛୁ । ଏହି ଘଟଣାର କିଭଳି ପ୍ରତିଶୋଧ ନିଆଯିବ ତାହାର ସମୟ, ସ୍ଥାନ ଓ ପ୍ରକ୍ରିୟା ସେନା ସ୍ଥିର କରିବ । ନୂଆଦିଲ୍ଲୀ ରେଳ ଷ୍ଟେସନରେ ସେମି ବୁଲେଟ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ପାକିସ୍ତାନକୁ ଏଭଳି ସିଧା ଟାର୍ଗେଟ କରିଥିବାବେଳେ ଉତ୍ତର ପ୍ରଦେଶର ଝାନ୍ସୀରେ ଡିଫେନ୍ସ କରିଡର ପାଇଁ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆତଙ୍କବାଦୀ ଓ ସେମାନଙ୍କ ଆକାମାନେ ମସ୍ତବଡ ଭୁଲ କରିଛନ୍ତି । ଯାହାର ପରିଣାମ ଏତେ ଭୟଙ୍କର ହେବ ଯେ, ସେମାନେ ଚିନ୍ତା ବି କରିନଥିବେ । ପାକିସ୍ତାନ ଆଜି ଏଭଳି ରାସ୍ତାରେ ଯାଉଛି ଯାହା କେବଳ ଧ୍ୱଂସକୁ ବାଟ କଢ଼ାଇ ନିଏ । ଏହି ଦେଶ ଆଜି ଭିକ ଥାଳି ଧରି ବୁଲିଲେ ମଧ୍ୟ ତାକୁ କେହି ସାହଯ୍ୟ କରିବାକୁ ରାଜି ନୁହଁନ୍ତି । ଆତଙ୍କବାଦକୁ ରାଷ୍ଟ୍ରନୀତି ଭାବେ ଗ୍ରହଣ କରିଥିବା ପାକିସ୍ତାନ ଏହାର ନୀତି ଯୋଗୁଁ ଏକ ବିଫଳ ରାଷ୍ଟ୍ରରେ ପରିଣତ ହୋଇଛି । ମୋଦି କହିଛନ୍ତି ଯେ, ଆମ ଯବାନମାନଙ୍କ ବଳିଦାନ କେବେ ହେଲେ ବ୍ୟର୍ଥ ହେବ ନାହିଁ । ଦେଶର ୧୩୦ କୋଟି ନାଗରିକ ଏହି ପ୍ରସଙ୍ଗରେ ପୂରା ଏକଜୁଟ ଅଛନ୍ତି । ସେ କହିଛନ୍ତି ଯେ, ଯେଉଁମାନେ ଏବେ ସମାଲୋଚନା କରୁଛନ୍ତି ସେମାନଙ୍କ ମନର ଉଦ୍ବେଗ, ବ୍ୟସ୍ତତା ସରକାର ବୁଝିପାରୁଛନ୍ତି । ଆମ ଯବାନମାନଙ୍କ ପ୍ରତ୍ୟେକ ବିନ୍ଦୁ ରକ୍ତ ଆମକୁ ପରବର୍ତ୍ତି କାର୍ଯ୍ୟ ପନ୍ଥା ପାଇଁ ଶକ୍ତି ପ୍ରଦାନ କରିବ । ଏହି ଅବସରରେ ସେ ଦେଶବାସୀଙ୍କୁ ଶାନ୍ତ ରହିବା ପାଇଁ ପରାମର୍ଶ ଦେବା ସହ ପୁଲୱାମା ଘଟଣାର ଉଚିତ୍ ଜବାବ ଦେବାକୁ ଭାରତ ପ୍ରସ୍ତୁତ ହେଉଥିବା ଚେତାଇ ଦେଇଛନ୍ତି ।

Comments