ହାଫିଜ ସଇଦକୁ ବଞ୍ଚାଇବା ପାଇଁ ପାକିସ୍ତାନର ନୂଆ ଚାଲ୍


ନୂଆଦିଲ୍ଲୀ, ୨୫/୨  : ପୁଲୱାମା ଆତଙ୍କୀ ହମ୍ଲା ପାଇଁ ଦାୟୀ ପାକିସ୍ତାନ ସମର୍ଥିତ ଜୈସ-ଏ-ମହମ୍ମଦ (ଜେଏଏମ୍) ଓ ପାକିସ୍ତାନ ବିରୁଦ୍ଧରେ ଭାରତର ଆକ୍ରୋଶକୁ ଦେଖି ଡରିଯାଇଛନ୍ତି ପାକ୍ ସରକାର  । ଏହି ଘଟଣାରେ ସମଗ୍ର ବିଶ୍ୱ ଭାରତକୁ ସମର୍ଥନ ଦେଇସାରିଲେଣି  । ଏପରିକି ମିଳିତ ଜାତିସଂଘର ସୁରକ୍ଷା ପରିଷଦ ମଧ୍ୟ ପୁଲୱାମା ଆକ୍ରମଣ ପାଇଁ ପରୋକ୍ଷରେ ପାକିସ୍ତାନକୁ ଦାୟୀ କରିବା ସହ ଭାରତକୁ ଏହାର ପ୍ରତିଶୋଧ ନେବାର ପୂର୍ଣ୍ଣ ଅଧିକାର ଅଛି ବୋଲି ମତ ଦେଇସାରିଲେଣି  । ତେବେ ବିଶ୍ୱ ସମୁଦାୟ ଆଗରେ ନିଜର ଭାବମୂର୍ତ୍ତିକୁ ସ୍ୱଚ୍ଛ ରଖିବା ପାଇଁ ପାକିସ୍ତାନ ଏବେ ନୂଆ ଚାଲ୍ ଚଳାଇଛି  । ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ହାଫିଜ ସଇଦର ସଂଗଠନ ଜମାତ-ଉଦ୍-ଦାୱା (ଜେୟୁଡି)ର
ନାମକୁ ବଦଳାଇ ଦେଇଛନ୍ତି ପାକ୍ ସରକାର  । ଏବେ ଏହାର ଜମ୍ମୁ-କାଶ୍ମୀର ମୁଭମେଣ୍ଟ ଓ ରେସକ୍ୟୁ, ରିଲିଫ ଆଣ୍ଡ ଏଜୁକେସନ ଫାଉଣ୍ଡେସନ ନାମରେ ୨ଟି ନୂତନ ଶାଖା ଖୋଲିଛି  । ଜମ୍ମୁ-କାଶ୍ମୀର ମୁଭମେଣ୍ଟର ନିୟନ୍ତ୍ରଣ ଜେୟୁଡି ହାତରେ ରହିଥିବାବେଳେ ଫଲାହ-ଏ-ଇନ୍ସାନିୟତ ଫାଉଣ୍ଡେସନ (ଏଫ୍ଆଇଏଫ୍)ର କାମକୁ ଦେଖିବାର ଦାୟିତ୍ୱ ରିଲିଫ ଆଣ୍ଡ ଏଜୁକେସନ ଫାଉଣ୍ଡେସନକୁ ଦିଆଯାଇଛି  । ତେବେ ପାକିସ୍ତାନ ଯେତେ ଚାଲ୍ ଖେଳିଲେ ବି ତା’ର ଅସଲ ଚେହେରା ଏବେ ବିଶ୍ୱ ସମ୍ମୁଖକୁ ଆସିସାରିଛି  ।

Comments