ଜମ୍ମୁ-କାଶ୍ମୀର ନେତାଙ୍କ ବିଚ୍ଛିନ୍ନତାବାଦୀ ଉଦ୍ଦେଶ୍ୟ ସମ୍ମୁଖକୁ ଆସିଲା


ନୂଆଦିଲ୍ଲୀ ,୧୬/୨ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶ ମର୍ମାହତ ହୋଇପଡିଛି । କେଉଁଠି ପାକିସ୍ତାନ ବିରୋଧରେ ନାରାବାଜୀ କରାଯାଉଛି ତ କେଉଁଠି ପାକିସ୍ତାନର ପତାକା ପୋଡି ଦିଆଯାଉଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ କୁଶପୁତ୍ତଳିକା ଦାହ କରାଯାଉଛି ତ କେଉଁଠି ପାକିସ୍ତାନ ଉପରେ ଭାରତ ଆକ୍ରମଣ କରୁବୋଲି ଦାବି କରି ରାଲି କରାଯାଉଛି । ଡେରାଡୁନ ଠାରୁ ଆରମ୍ଭ କରି କୋଲକାତା ଏବଂ ଦିଲ୍ଳୀରୁ ଆରମ୍ଭ କରି ପଲ୍ଳୀ ପର୍ଯ୍ୟନ୍ତ ସବୁଠାରେ ପାକିସ୍ତାନର ବିରୋଧରେ ଆକ୍ରୋଶ ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ଶ୍ରୀନଗରରେ ପାକିସ୍ତାନୀ ବିରୋଧି ବିକ୍ଷୋଭକୁ ବିରୋଧ କରି ଯେଭଳି ପଥର ମାଡ କରାଯାଇଛି ତାହାକୁ ନେଇ ମଧ୍ୟ ଦେଶବ୍ୟାପୀ ଅସନ୍ତୋଷ ସୃଷ୍ଟି ହୋଇଛି । ଏଭଳି ସମୟରେ ଜମ୍ମୁ-କାଶ୍ମୀରର ଆଞ୍ଚଳିକ ଦଳଗୁଡିକ କିନ୍ତୁ ସେମାନଙ୍କ ବିଛିନ୍ନତାବଦୀ ଆଭିମୁଖ୍ୟ ଛାଡିନାହାଁନ୍ତି । ନ୍ୟାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଳା କହିଛନ୍ତି ଯେ, ସର୍ବଦଳୀୟ ବୈଠକରେ ଜମ୍ମୁ-କାଶ୍ମୀର ପାଇଁ ଏବେ ଶାନ୍ତି ପାଇଁ ଆହ୍ୱାନ ନ ଦିଆଯିବା ନୈରାଶ୍ୟଜନକ ଘଟଣା । ଏଠାରେ ପ୍ରଦର୍ଶନ କରାଯିବା ଉଚିତ୍ ନୁହେଁ । ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହମୁବା ମୁଫତି କହିଛନ୍ତି ଯେ, ପୁଲୱାମା ଘଟଣାକୁ ଆଳ କରି ରାଜ୍ୟରେ ଯେଭଳି ଅଶାନ୍ତି କରିବାକୁ ଉଦ୍ୟମ କରାଯାଉଛି ତାହା ନିନ୍ଦନୀୟ । ଏହି ଦୁଇ ନେତା ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦୀଙ୍କ ଭଳି ମନ୍ତବ୍ୟ ଦେଉଥିବା ଏଥିରୁ ସ୍ପଷ୍ଟ ବାରି ହେଉଛି ।

Comments