ଭାରତକୁ ବିଶ୍ୱବ୍ୟାପୀ ସମର୍ଥନ


ନୂଆଦିଲ୍ଲୀ ,୧୫/୨ : ପୁଲୱାମାରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣ ଘଟଣାକୁ ବିଶ୍ୱବ୍ୟାପୀ ଯେଭଳି ନିନ୍ଦା କରାଯାଉଛି ତାହା ପାକିସ୍ତାନକୁ ବିଳଚିତ କରିଛି । ବିଶେଷ କରି ଜାତିସଂଘ ନିରାପତ୍ତା ପରିଷଦର ୫ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଆମେରିକା , ରୁଷ୍‍ ଓ ଫ୍ରାନ୍ସ ଖୋଲାଖୋଲି ପାକିସ୍ତାନ ଓ ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ନାମ ଉଲ୍ଲେଖ କରିବା ଇସଲାମାବାଦ ମନରେ ଛନକା ସୃଷ୍ଟି କରିଛି । କାରଣ ଆତଙ୍କବାଦକୁ ରାଷ୍ଟ୍ର ନୀତି କରିଥିବାରୁ ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ଏକଘରିକିଆ କରିବା ଲାଗି ଭାରତର ଉଦ୍ୟମ ପ୍ରତି ଏହି ବୟାନ ଉତ୍ସାହଜନକ ହୋଇଛି । ସମଗ୍ର ବିଶ୍ୱ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଆମେରିକାର ରାଷ୍ଟ୍ରପତ୍ି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ପାକିସ୍ତାନ ଆତଙ୍କବାଦ ଛାଡି ସଳଖି ଯାଉ । ଆତଙ୍କବାଦର ରାସ୍ତା ପରିହାର କରୁ ପାକିସ୍ତାନ । ଏହି ଘଟଣାରେ ସେ ଭାରତ ସରକାରଙ୍କ ସହ ସମବେଦନା ପ୍ରକଟ କରିଛନ୍ତି । ପାକିସ୍ତାନର ‘ଆତଙ୍କବାଦକୁ ସମର୍ଥନ ନୀତି’ ପ୍ରତି ଅନ୍ତର୍ଜାତୀୟ ମଞ୍ଚରେ ପ୍ରଥମ କରି ବୃହତ୍‍ ଶକ୍ତି ଭାବେ ଆମେରିକା ଓ ରୁଷ୍‍ ବିରୋଧ କରିଛନ୍ତି । ବିଶେଷ କରି ରୁଷ୍‍ ପ୍ରକୃତ ବନ୍ଧୁର ପରିଚୟ ଦେଇ ଆତଙ୍କବାଦୀ ଆକ୍ରମଣକୁ କଡ଼ା ଶବ୍ଦରେ ନିନ୍ଦା କରିଛି ଏବଂ ମୃତ ଯବାନଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛି । ଋଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୋଦିଙ୍କୁ ଚିଠି ଲେଖି କହିଛନ୍ତି ଯେ, ଭାରତ ଏହି ଘଟଣାକୁ ନେଇ ଯେଭଳି ସ୍ଥିତିରେ ଗତି କରୁଛି ତାହା ମୁଁ ହୃଦ୍ବୋଧ କରିପାରୁଛି । ଏଭଳି ସଂକଟ ସମୟରେ ଆମେ ଭାରତ ସହିତ ଛିଡା ହୋଇଛୁ  । ଘଟଣାକୁ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରିସ୍ ମଧ୍ୟ ଦୃଢ଼ ନିନ୍ଦା କରିଛନ୍ତି । ଜାତ୍ିସଂଘ ପକ୍ଷରୁ ଶହୀଦ୍ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଆହତ ଯବାନମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ସେପଟେ ଆମେରିକାର ହ୍ୱାଇଟ ହାଉସ ପ୍ରେସ୍ ସଚିବ ସାରା ସାଣ୍ଡର୍ସ କହିଛନ୍ତି ଯେ, ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଦ୍ୱାରା ହୋଇଥିବା ଏହି ଆକ୍ରମଣ ସବୁଠାରୁ ବଡ଼ ଘୃଣ୍ୟ କାର୍ଯ୍ୟ । ପାକିସ୍ତାନ ଆତଙ୍କବାଦୀ ସଂଗଠନଗୁଡିକୁ ପ୍ରୋତ୍ସାହନ ଦେବା ତୁରନ୍ତ ବନ୍ଦ କରୁ । ଏହି ଘଟଣା ପରେ ଟ୍ରମ୍ପ ପ୍ରଶାସନ ପାକିସ୍ତାନକୁ ଦେବାକୁ ଥିବା ୨୦୦ କୋଟି ଡଲାର ମୂଲ୍ୟର ଆର୍ଥିକ ସହାୟତା ବନ୍ଦ କରିଦେବାର ସୂଚନା ମିଳିଛି । ସେପଟେ ଏହି ଘଟଣାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ତୀବ୍ର ନିନ୍ଦା କରିଛନ୍ତି । ଅପରପକ୍ଷରେ ଶ୍ରୀଲଙ୍କାର ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା , ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଗେ, ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମବେଦନା ଭରା ବର୍ତ୍ତା ଦେଇଛନ୍ତି । ଇରାନ, ନେପାଳ, ଭୁଟାନ ଓ ମାଳଦ୍ୱିପ ମଧ୍ୟ ଆତଙ୍କବାଦ ବିରୋଧରେ ଭାରତ ସହ ଥିବା କହିଛନ୍ତି । ଜର୍ମାନୀ ଓ ଜାପାନ ଏହି ଦୁର୍ଦ୍ଦିନରେ ଭାରତ ସହ ସମବେଦନା ପ୍ରକଟ କରି ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ସହ ଠିଆ ହୋଇଥିବା କହିଛନ୍ତି । ଅପରପକ୍ଷରେ ଏହି ଘଟଣାକୁ ଚୀନ୍ ନିନ୍ଦା କରିଥିବାବେଳେ ଏହି ଘଟଣାରେ ସମ୍ପକ୍ତ ପାକ୍ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ୍ ଅଜହରକୁ ଅନ୍ତଃରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା କରିବା ନେଇ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ପ୍ରସ୍ତାବକୁ ସମର୍ଥନ କରିବା ପ୍ରସଙ୍ଗରେ କୌଣସି ଆଶ୍ୱାସନା ଦେଇ ନାହିଁ । ବରଂ କହିଛି ଯେ, ପ୍ରମାଣ ଆଧାରରେ ଏଥିନେଇ ଯେଉଁ ପ୍ରକ୍ରିୟା ରହିଛି ତାହା ପାଳିତ ହେବ । ସିଆଇଏର ପ୍ରାକ୍ତନ ବିଶେଷଜ୍ଞ ବ୍ରୁସ ରିଡେଲ କହିଛନ୍ତି ଏହି ଆକ୍ରମଣ ପଛରେ ଆଇଏସଆଇର ହାତ ରହିଛି ।

Comments