ଧର୍ମାନ୍ତରଣ କରାଇଥିବା ମୌଲବୀ ଗିରଫ


ଲାହୋର, ୨୫/୩  : ଗତ ରବିବାର ପାକିସ୍ତାନର ସିନ୍ଧ ପ୍ରଦେଶର ଦହରିକ ନଗର ନିକଟସ୍ଥ ହାଫିଜ ସଲମାନ ଗ୍ରାମରେ ରହୁଥିବା ୨ ଜଣ ହିନ୍ଦୁ ନାବାଳିକା ରବୀନା (୧୩) ଓ ରୀନା (୧୫)ଙ୍କୁ ସେହି ଜିଲ୍ଲାର କେତେକ ପ୍ରଭାବଶାଳୀ ବ୍ୟକ୍ତି ଅପହରଣ କରିନେଇ ଜୋରଜବରଦସ୍ତ ସେମାନଙ୍କ ଧର୍ମ ପରିବର୍ତନ କରାଇବା ସହ ମୁସଲିମ୍ ଯୁବକଙ୍କ ସହିତ ବିବାହ କରାଇଥିଲେ  । ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଭାରତ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲା  । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏ ସଂକ୍ରାନ୍ତରେ ପାକ୍ ହାଇକମିଶନରଙ୍କୁ ଜବାବ ତଲବ କରିବା ସହ ସେଠାରେ ଅଳ୍ପ ସଂଖ୍ୟକ ହିନ୍ଦୁଙ୍କୁ ସୁରକ୍ଷାକୁ ନେଇ ‘ନୋଟ୍ ବର୍ବଲ’ ଜାରି କରାଇଥିଲେ  । ଏଥିସହିତ ଏହି ପ୍ରସଙ୍ଗରେ ପାକ୍ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀଙ୍କ ସହିତ ତାଙ୍କର ବାକ୍ବିତଣ୍ଡା ମଧ୍ୟ ହୋଇଥିଲା  । ଏହି ଘଟଣାରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଥିଲେ ଯେ, ଦୁଇ ଜଣ ହିନ୍ଦୁ ନାବାଳିକାଙ୍କୁ ବଳପୂର୍ବକ ଇସଲାମ ଧର୍ମ ଗ୍ରହଣ କରାଇବା ଘଟଣାରେ ଇସଲାମସ୍ଥିତ ଭାରତୀୟ ହାଇକମିଶନରଙ୍କୁ କେବଳ ଏକ ରିପୋର୍ଟ ମାଗିଥିଲି  । ଯଦି ପାକ୍ ସରକାର ପ୍ରକୃତରେ ସେଠାରେ ଥିବା ସଂଖ୍ୟାଲଘୁଙ୍କ ପାଇଁ ଚିନ୍ତିତ ତେବେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ  । ପାକିସ୍ତାନରେ ୨ ଜଣ ହିନ୍ଦୁ ନାବାଳିକାଙ୍କୁ ବଳପୂର୍ବକ ଇସଲାମ୍ ଧର୍ମ ଗ୍ରହଣ କରାଇବା ଘଟଣାରେ ଶେଷରେ ଭାରତର ଚାପ ଆଗରେ ମୁଣ୍ଡ ନୁଆଇଁଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ  । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏନେଇ ପାକିସ୍ତାନକୁ ଜବାବ ତଲବ କରିଥିଲେ  । ଶେଷରେ ଅନ୍ୟୋପାୟ ହୋଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଧର୍ମାନ୍ତରଣ କରାଇଥିବା ଉକ୍ତ ମୌଲବୀଙ୍କୁ ଗିରଫ କରିବାକୁ ଆଦେଶ ଦେଇଥିଲାବେଳେ ତାହାକୁ ପାଳନ କରାଯାଇ ଉକ୍ତ ମୌଲବୀଙ୍କୁ ଗିରଫ କରାଯାଇଛି  ।

Comments