‘ଓଡ଼ିଶାରେ ଦର୍ଶନଶିକ୍ଷାର ଇତିହାସ’ ପୁସ୍ତକର ଉନ୍ମୋଚନ


“ଦର୍ଶନ ସକଳ କଳାର କଳା ଓ ସକଳ ବିଜ୍ଞାନର ବିଜ୍ଞାନ”
ଭୁବେନଶ୍ୱର, ତା୨୭/୩ - ଦର୍ଶନଶାସ୍ତ୍ର ସକଳ କଳାର କଳା ଓ ସକଳ ବିଜ୍ଞାନର ବିଜ୍ଞାନ ରୂପେ ବିବେଚିତ ହୋଇଥାଏ । ମାତ୍ର ଆଜିର ଦୁନିଆରେ ବିଜ୍ଞାନର ଅଗ୍ରଗତି ସଙ୍ଗେସଙ୍ଗେ ଦର୍ଶନର ଗୁରୁତ୍ୱ କମିବାରେ ଲାଗିଛି । ପୂର୍ବପରି ମେଧାବୀ ଛାତ୍ରମାନେ ଆଉ ଦର୍ଶନଶାସ୍ତ୍ର ପ୍ରତି ଆକର୍ଷିତ ହେଉନାହାନ୍ତି । କିନ୍ତୁ ବିଜ୍ଞାନ ସହ ଦର୍ଶନର ସମନ୍ୱୟ ନଘଟିଲେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇପାରିବନାହିଁ ବୋଲି ‘ଓଡ଼ିଶାରେ ଦର୍ଶନଶିକ୍ଷାର ଇତିହାସ’ ପୁସ୍ତକର ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।

ସ୍ଥାନୀୟ ଆଂଚଳିକ ଶିକ୍ଷା ପ୍ରତିଷ୍ଠାନର ସଭାକକ୍ଷରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଏହି ଉତ୍ସବରେ ‘ସମ୍ବାଦ’ର ସମ୍ପାଦକ ତଥା ରାଜ୍ୟସଭା ସଦସ୍ୟ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ । ବଶିଷ୍ଠ ବିଚାର ମଂଚ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମଂଚର ସଂଯୋଜକ ଦୀପକ କୁମାର ମହାନ୍ତ ସଭାପତିତ୍ୱ କରିଥିଲେ । ପ୍ରାକ୍ତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡକ୍ଟର ପ୍ରଫୁଲ୍ଲ କୁମାର ରଥ ଓ ବିଶିଷ୍ଟ ଦର୍ଶନଶାସ୍ତ୍ରବିତ୍ ଧନେଶ୍ୱର ସାହୁ ପୁସ୍ତକର ତାତ୍ତ୍ୱିକ ସମୀକ୍ଷା କରିଥିଲେ । ଲେଖକ ଡକ୍ଟର ନାରାୟଣ ମହାନ୍ତି ୧୮୬୮ ମସିିହାଠାରୁ ୧୯୮୨ ମସିହା ପର୍ଯ୍ୟନ୍ତ ଦର୍ଶନଶିକ୍ଷାର ଇତିବୃତ୍ତ ପୁସ୍ତକରେ ସ୍ଥାନିତ କରିଥିôବା କରିଥିଲେ ।

ଡକ୍ଟର ଶଚୀନ୍ଦ୍ର ରାଉଳ ପ୍ରାରମ୍ଭିକ ସୂଚନା ଦେଲାପରେ ଡକ୍ଟର ବନଜ କୁମାର ବିଶ୍ୱାଳ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସମାଜସେବୀ ସେଖ ଫିରଦୌଷ ଅଲି ଓ ପ୍ରାଧ୍ୟାପକ ତୁଷାରକାନ୍ତ ପଟ୍ଟନାୟକ ପୁସ୍ତକ ରଚନାର ପୃଷ୍ଠଭୂମି ବର୍ଣ୍ଣନା କରିଥିଲେ । ଶେଷରେ ଡକ୍ଟର ପବିତ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Comments