ମୁଙ୍ଗେର, ୨୪/୪ : ଏଠାରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପାକିସ୍ତାନକୁ କଟାକ୍ଷ କରି କହିଛନ୍ତି ଯେ, ପୁଲୱାମା ଘଟଣା ପରେ ପାକିସ୍ତାନ ଆମକୁ ଡରାଇବା ପାଇଁ ସୀମାରେ ତୋପ ମୁତୟନ କରିଥିଲା । ହେଲେ ଭାରତର ପରାକ୍ରମ ଆଗରେ ପାକିସ୍ତାନର ଯୁଦ୍ଧ ଯୋଜନା ଫସର ଫାଟିଥିଲା । ପ୍ରଧାନମନ୍ତ୍ରୀ ମୋଦି ତା’ର ଏହି ଯୁଦ୍ଧରୂପୀ ଧମକକୁ ବେଖାତିର କରି ପୁଲୱାମା ଘଟଣା ପାଇଁ ଦାୟୀ ପାକ୍ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦକୁ ଉଚିତ ଶିକ୍ଷା ଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦି ନିଷ୍ପତ୍ତି ନେଇସାରିଥିଲେ । ଏହାର ପରିଣାମସ୍ୱରୂପ ପୁଲୱାମା ଆତ୍ମଘାତୀ ଆତଙ୍କୀ ହମ୍ଲାର ୧୩ ଦିନ ଭିତରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟସ୍ଥିତ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇ ସେଗୁଡ଼ିକୁ ଧ୍ୱଂସ କରାଯାଇଥିଲା । ମାତ୍ର ଦୁଃଖର ବିଷୟ ଯେ ଭାରତୀୟ ବାୟୁସେନାର ଏହି ପରାକ୍ରମକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ସନ୍ଦେହ କରି ବାଲାକୋଟ ଆକ୍ରମଣର ପ୍ରମାଣ ମାଗିଛନ୍ତି । ଏପରିକି ଯେତେବେଳେ ବାଲାକୋଟ୍ରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ କରାଯାଇଥିଲା ସେତେବେଳେ ସମଗ୍ର ପାକିସ୍ତାନ ସ୍ତବ୍ଧ, ଭୟଭୀତ ଓ ଦୁଃଖରେ ଭାଙ୍ଗପଡ଼ିଥିଲା । ଏପଟେ ପାକିସ୍ତାନ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ୍କୁ ସମଗ୍ର ଦେଶରେ ସମର୍ଥନ ଦେବା ସହ ଖୁସୀ ଓ ଉତ୍ସାହର ବାତାବରଣ ସୃଷ୍ଟି ହୋଇଥିଲାବେଳେ କଂଗ୍ରେସ କାର୍ଯ୍ୟାଳୟରେ ଏଥିରେ ମୃତ୍ୟୁବରଣ କରିଥିବା ଜୈସର ଆତଙ୍କବାଦୀଙ୍କ ପାଇଁ ଶୋକାର ଛାୟା ଖେଳିଯାଇଥିଲା । ତେବେ ଦେଶ ଓ ମାନବତାର ଶତ୍ରୁ ଏହି ଆତଙ୍କବାଦୀମାନେ କ’ଣ କଂଗ୍ରେସ ଓ ରାହୁଲଗାନ୍ଧିଙ୍କ ସମ୍ପର୍କୀୟ ଥିଲେ ଯେ ସେମାନଙ୍କ ମୃତ୍ୟୁରେ ଶୋକାକୁଳ ହୋଇପଡ଼ିଥିଲେ ବୋଲି କଂଗ୍ରେସକୁ ଅମିତ ଶାହା ପ୍ରଶ୍ନ କରିଛନ୍ତି । ସେ ଏହି ମର୍ମରେ ଆହୁରି କହିଥିଲେ ଯେ, ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ଥିବା କଂଗ୍ରେସ ସରକାରଙ୍କ ଆଭିମୁଖ୍ୟ ଆତଙ୍କବାଦୀଙ୍କ ପ୍ରତି ଦୁର୍ବଳ ରହିଥିଲା । ଏହାର ଫାଇଦା ଉଠାଇ ପାକ୍ ସେନା ସୀମାରେ ପାଟ୍ରୋଲିଂ କରୁଥିବା ଭାରତୀୟ ଯୱାନଙ୍କୁ ଅପହରଣ କରିନେଇ ସେମାନଙ୍କ ମୁଣ୍ଡ କାଟ୍ କରିଥିଲେ । କିନ୍ତୁ ମୋଦି ସରକାର କ୍ଷମତାକୁ ଆସିବା ପରେ ଉଭୟ ଉରୀ ଓ ପୁଲୱାମାରେ ଶହୀଦ ଜୱାନଙ୍କ ପ୍ରତିଶୋଧ ନିଆଯାଇଛି । ଉରୀ ଆକ୍ରମଣର ବଦଲ୍ା ନେବା ପାଇଁ ୨୦୧୬ରେ ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲାବେଳେ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବାକୁ ୨୦୧୯ ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍ କରିଛି । ପୁଲୱାମା ଆକ୍ରମଣ ପରେ କାଳେ ମୋଦିଙ୍କ ନିର୍ଦ୍ଦେଶରେ ପୁଣି ଥରେ ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ୍ କରିଦେବ ସେହି ଭୟରେ ପାକିସ୍ତାନ ସୀମାରେ ଟ୍ୟାଙ୍କ୍ ଓ ତୋପ ମୁତୟନ କଲା । ମାତ୍ର ଏଥିରେ ୫୬ ଇଞ୍ଚର ଛାତି ରଖିଥିବା ପ୍ରଧାନମନ୍ତ୍ରୀ ମୋଦି ବିଚଳିତ ନ ହୋଇ ବାୟୁସେନାକୁ ଏୟାର ଷ୍ଟ୍ରାଇକ୍ କରିବାକୁ ଅନୁମତି ଦେଇଥିଲେ । ତେବେ ଖାଲି ଯେ ପ୍ରତିରକ୍ଷା କ୍ଷେତ୍ରରେ ଏନ୍ଡିଏ ସରକାର ସଫଳ ହୋଇଛି ଓ ଦେଶର ଶତ୍ରୁଙ୍କୁ ଉଭୟ ପାକିସ୍ତାନ ଓ ଚୀନକୁ ସମୁଚିତ ଜବାବ ଦେଇଛି ତା’ନୁହେଁ ଦେଶର ଆର୍ଥିକ ବ୍ୟବସ୍ଥାକୁ ମଧ୍ୟ ଢେର ସଜାଡ଼ି ଦେଇଛି ବୋଲି ଶ୍ରୀ ଶାହା କହିଛନ୍ତି । ୨୦୧୪ ପୂର୍ବରୁ ୧୦ ବର୍ଷ ମନମୋହନ ସିଂହଙ୍କ ନେତୃତ୍ୱରେ ଉପା ସରକାର ଶାସନରେ ରହିଥିଲା । ଏହି ସମୟରେ ସେ ବିତ୍ତ ଆୟୋଗକୁ ମାତ୍ର ୧ ଲକ୍ଷ ୯୩ ହଜାର କୋଟି ଟଙ୍କା ଦେଇଥିଲା । ମାତ୍ର ବିଗତ ୫ ବର୍ଷ ମଧ୍ୟରେ ଏନ୍ଡିଏ ସରକାର ବିତ୍ତ ଆୟୋଗକୁ ୬ ଲକ୍ଷ ୬ ହଜାର କୋଟି ଟଙ୍କା ଲାଭାଂଶ ଆକାରରେ ଦେଇସାରିଲାଣି । ଏଥିରୁ ଏନଡିଏ ଅମଳରେ ଦେଶର ଯଥେଷ୍ଟ ଆର୍ଥିକ ଅିଭିବୃଦ୍ଧି ଘଟିଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି ।
Comments
Post a Comment