ଶ୍ରୀଲଙ୍କା ବିସ୍ଫୋରଣର ବ୍ଲୁପ୍ରିଣ୍ଟ ଶ୍ରୀଲଙ୍କାର ପ୍ରତିବନ୍ଧିତ ଚରମପନ୍ଥୀ ଇସଲାମୀୟ ନେତା ଜହରାନ ହାସିମ ଦ୍ୱାରା ପ୍ରସ୍ତୁତ ହୋଇଥିଲା
କଲମ୍ବୋ, ୨୬/୪ : ଗତ ୨୧ ତାରିଖ ଇଷ୍ଟର ରବିବାରରେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ୩ଟି ଚର୍ଚ୍ଚ ଉପରେ ହୋଇଥିବା ଆତ୍ମଘାତୀ ଆତଙ୍କୀ ହମ୍ଲାରେ ପ୍ରାୟ ୩୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲାବେଳେ ୫ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଏହି ଆତ୍ମଘାତୀ ଆକ୍ରମଣର ବ୍ଲୁପ୍ରିଣ୍ଟ ଶ୍ରୀଲଙ୍କାର ପ୍ରତିବନ୍ଧିତ ଚରମପନ୍ଥୀ ଇସଲାମୀୟ ନେତା ଜହରାନ ହାସିମ ଦ୍ୱାରା ପ୍ରସ୍ତୁତ ହୋଇଥିଲା ବୋଲି ରାଷ୍ଟ୍ରପତି ମୈତ୍ରୀପାଲ ଶିରିସେନା କହିଛନ୍ତି । ସେ କଲମ୍ବୋରେ ଥିବା ଶଙ୍ଗରୀ-ଲା ହୋଟେଲ୍ ସମେତ ୩ଟି ଚର୍ଚ୍ଚ ଉପରେ ଆତ୍ମଘାତୀ ଆକ୍ରମଣର ଯୋଜନା କରିଥିଲା । ତାକୁ ଏହି କାମରେ ‘ଇଲହାମ’ ନାମକ ଅନ୍ୟ ଜଣେ ମୌଳବାଦୀ ଆତଙ୍କବାଦୀ ସାହାଯ୍ୟ କରିଥିଲା । ଦୁର୍ଦ୍ଧଷ ଆତଙ୍କବାଦୀ ସଂଗଠନ ଆଇଏସ୍ ପକ୍ଷରୁ ପ୍ରକାଶିତ ଏହି ବିସ୍ଫୋରଣର ଭିଡିଓ ଫୁଟେଜ୍ରେ ହାସୀମ ଦେଖାଯାଇଥିଲାବେଳେ ବିସ୍ଫୋରଣ ପରେ ସେ ଆଉ ଦେଖାଯାଉନାହିଁ । ତେବେ ଉକ୍ତ ବିସ୍ଫୋରଣରେ ଉଭୟ ହାସୀମ ଓ ତା’ର ସହଯୋଗୀ ଇଲହାମ ମଧ୍ୟ ମୃତ୍ୟୁବରଣ କରିଥିବା ଶ୍ରୀଲଙ୍କାର ସୁରକ୍ଷା ଏଜେନ୍ସି କହିଛି । ଅପରପକ୍ଷେ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ ଦୁବାଇର ବୁର୍ଜ ଖଲିଫାକୁ ଶୁକ୍ରବାର ଶ୍ରୀଲଙ୍କାର ଜାତୀୟ ପତାକା ରଙ୍ଗରେ ଆଲୋକରେ ସଜାଯାଇଥିଲା । ଏଭଳି କରାଯାଇ ସେହି ଲୋମହର୍ଷଣକାରୀ ଆତ୍ମଘାତୀ ଆକ୍ରମଣରେ ମୃତକଙ୍କ ପ୍ରତି ଦୁବାଇ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏଥିସହିତ ଆବୁଧାବିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯଥା ଦି ଅମିରାଟ୍ ପ୍ୟାଲେସ, ଶେଖ ଜାୟେଦ ବ୍ରିଜ, ଏଡିଏନ୍ଓସି ବିଲ୍ଡିଂ, କ୍ୟାପିଟେଲ୍ ଗେଟ ପ୍ରମୁଖକୁ ମଧ୍ୟ ଶ୍ରୀଲଙ୍କାର ଜାତୀୟ ପତାକା ରଙ୍ଗରେ ଆଲୋକରେ ସଜାଯାଇଥିଲା ।
Comments
Post a Comment