ଅନନ୍ତନାଗରେ ସୁରକ୍ଷାକର୍ମୀମାନଙ୍କୁ ଏକ ବଡ଼ ସଫଳତା


ଶ୍ରୀନଗର, ୨୫/୪  : ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀମାନଙ୍କୁ ଏକ ବଡ଼ ସଫଳତା ମିଳିଛି । ଏଠାରେ ହୋଇଥିବା ଏନ୍କାଉଣ୍ଟରରେ ୨ ଜଣ ହିଜବୁଲ୍ ଆତଙ୍କବାଦୀ ନିହତ ହୋଇଥିଲାବେଳେ ସେମାନଙ୍କନିକଟରୁ ବିପୁଳ ମାତ୍ରାରେ ଗୋଳାବାରୁଦକୁ ସେନା ଜବତ କରିଛି । ସେନା ସୂତ୍ରରୁ
ପ୍ରକାଶ ଯେ, ଅନନ୍ତନାଗରେ କେତେକ ଆତଙ୍କବାଦୀ ଆତ୍ମଗୋପନ କରିଥିବା
ନେଇ ସୂଚନା ମିଳିଥିଲା  । ଏହି ସୂଚନାକୁ ଆଧାର କରି ଗୁରୁବାର ପ୍ରତ୍ୟୁଷରୁ
ସେନାର ଜୱାନମାନେ ଉକ୍ତ ଅଞ୍ଚଳର ଘେରାବନ୍ଦୀ କରିଥିଲେ  । ସେନାର
ଘେରାବନ୍ଦୀ କ୍ରମେ ନିକଟତର ହେବାରୁ ଆତ୍ମଗୋପନ କରିଥିବା
ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ  । ସେନାର ଜୱାନ ମଧ୍ୟ
ଏହାର ପାଲଟା ଜବାବ ଗୁଳିରେ ଦେଇଥିଲେ  । ଫଳରେ ଉଭୟ ପକ୍ଷ ମଧ୍ୟରେ
କିଛି ସମୟ ପର୍ଯ୍ୟନ୍ତ ଗୁଳିବିନିମୟ ଚାଲିଥିଲା  । ଏହି ଏନ୍କାଉଣ୍ଟରେ ପରେ
ଆତ୍ମଗୋପନ କରିଥିବା ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ  । ମୃତ ୨
ଆତଙ୍କବାଦୀଙ୍କ ପରିଚୟ କ୍ରମେ ସଫଦର ଅମୀନ ଭଟ୍ଟ ଏବଂ ବୁରହାନ ଅହମ୍ମ
ଗନୀ ହୋଇଥିଲାବେଳେ ସେମାନେ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ହିଜବୁଲ
ମୁଜାହିଦ୍ଦିନର ସଦସ୍ୟ ବୋଲି ଜଣାପଡ଼ିଛି  । ସେମାନଙ୍କ ନିକଟରୁ ବିପୁଳ
ପରିମାଣରେ ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ସେନା ସୂତ୍ରରୁ ପ୍ରକାଶ  ।
ତେବେ କାଳେ ତାଙ୍କର ଆହୁରି ସହଯୋଗୀ ଲୁଚି ରହିଥିବେ ସେଥିଲାଗି
ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ଖାନ୍ତଲାସୀ ଜାରି ରହିଛି  ।

Comments