ଭାରତର ବିଭିନ୍ନ ସ୍ଥାନରେ ଶ୍ରୀଲଙ୍କା ଭଳି ସିରିଜ ବିସ୍ଫୋରଣ କରି ନିରୀହ ଲୋକଙ୍କ ରକ୍ତରେ ହୋଲି ଖେଳିବାକୁ ଚାହୁଁଛି ଆଇଏସଆଇଏସ୍


ନୂଆଦିଲ୍ଲୀ, ୨୯/୪  : ଭାରତର ବିଭିନ୍ନ ସ୍ଥାନରେ ଶ୍ରୀଲଙ୍କା ଭଳି ସିରିଜ ବିସ୍ଫୋରଣ କରି ନିରୀହ ଲୋକଙ୍କ ରକ୍ତରେ ହୋଲି ଖେଳିବାକୁ ଚାହୁଁଛି ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍ଆଇ  । ଏଥିପାଇଁ ସେ ନୂତନ ରଣନୀତି ଆପଣେଇଛି  । ଆଇଏସ୍ଆଇର ପ୍ରୋତ୍ସାହନରେ ଭାରତରେ ଆତଙ୍କୀ ହମଲ୍ା କରୁଥିବା ଜୈସ-ଇ-ମହମ୍ମଦ (ଜେଇଏମ୍) ଏବେ ବିଶ୍ୱର ଅନ୍ୟତମ ଦୁର୍ଦ୍ଧଷ ଆତଙ୍କବାଦୀ ସଂଗଠନ ଇସ୍ଲାମିକ୍ ଷ୍ଟେଟ୍ ଅଫ୍ ସିରିଆ ଆଣ୍ଡ ଇରାକ (ଆଇଏସ୍ଆଇଏସ୍) ସହିତ ହାତ ମିଳାଇଛନ୍ତି  । ସେମାନେ ଆଗକୁ କାଶ୍ମୀରରେ ପୁଲୱାମା ଭଳି ଅଧିକ ସଂଖ୍ୟାରେ ଆତ୍ମଘାତୀ ବୋମା ବିସ୍ଫୋରଣ କରି ଭାରତୀୟ ସେନାର ଜୱାନ ଓ ପୁଲିସକର୍ମୀଙ୍କୁ ଟାର୍ଗେଟ କରିବାକୁ ଚାହୁଁଛନ୍ତି  । ଏଥିନେଇ କିଛିଦିନ ତଳେ ଆଫଗାନିସ୍ତାନରେ ଜେଇଏମ୍ ଓ ଆଇଏସ୍ଆଇଏସ୍ ମଧ୍ୟରେ ଏକ ଗୁପ୍ତ ବୈଠକ ଆଇଏସ୍ଆଇ ଆୟୋଜିତ କରିଥିବା ଗୃହ ମନ୍ତ୍ରଣାଳୟ ଜାଣିପାରିଛି  । ଖାଲି ସେତିକି ନୁହେଁ ପାକିସ୍ତାନର ଆଇଏସ୍ଆଇ, ଆତଙ୍କୀ ସଂଗଠନ ଜୈସ-ଇ-ମହମ୍ମଦ ଓ ଆଫାଗାନିସ୍ତାନରେ ସକ୍ରିୟ ଥିବା ତାଲିବାନ ମଧ୍ୟ ମିଳିତ ଭାବେ ଭାରତରେ ହିଂସାକାଣ୍ଡ, ନରସଂହାର ଚଳାଇବାକୁ ମସୁଧା ଚଳାଇଛନ୍ତି  । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆହୁରି ସତର୍କ ସୂଚନା ଦିଆଯାଇଛି ଯେ, ଆଫଗାନିସ୍ତାନରେ ଦୀର୍ଘ ସମୟ ଧରି ନାଟୋ ଫୋର୍ସ ବିରୁଦ୍ଧରେ ତାଲିବାନ ସହିତ ପାକିସ୍ତାନ ପ୍ରରୋଚିତ ଜୈସ ଆତଙ୍କବାଦୀମାନେ ହାତ ମିଳାଇ ସଂଘର୍ଷ କରିଆସୁଛନ୍ତି  । ମାତ୍ର ଏବେ ଯେଭଳି ଭାବେ ଜୈସ ଓ ଆଇଏସ୍ଆଇଏସ୍ ମଧ୍ୟରେ ତାଳମେଳ ବଢ଼ିଚାଲିଛି ଭାରତର ନିରାପତ୍ତା ଓ ସୁରକ୍ଷା ପ୍ରତି ଏହା ବିପଦ ସୃଷ୍ଟି କରିବାର ଆଶଙ୍କା କରାଯାଉଛି  । ଗତ ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନାର ବାଲାକୋଟ ଉପରେ ଏୟାରଷ୍ଟ୍ରାଇକ୍ ପରେ ଏଥିରୁ ବର୍ତ୍ତିଯାଇଥିବା ଜେଇଏମ୍ର ପ୍ରମୁଖ ଅଜହର ମାସୁଦ ପୁଣି ଥରେ ସକ୍ରୀୟ ହୋଇଯାଇଛି  । କିଛିଦିନ ତଳେ ଆଜହର ମାସୁଦ ଜେଇଏମ୍ ଆତଙ୍କବାଦୀଙ୍କ ସହିତ ବହାବଲପୁରରେ ବୈଠକ କରିଛି  । ସେ ବିଗତ ୧୭ ବର୍ଷ ମଧ୍ୟରେ କେବେ ବି ଅସୁସ୍ଥ ହୋଇନାହିଁ କି ହସ୍ପିଟାଲ ଯାଇନାହିଁ ବୋଲି ଉକ୍ତ ବୈଠକରେ ଅଜହର କହିଛି  । ଆହୁରି ମଧ୍ୟ ଆଗାମୀ ଦିନରେ କାଶ୍ମୀରରେ ପୁଲୱାମା ଭଳି ଆହୁରି ଆତ୍ମଘାତୀ ଆକ୍ରମଣ କରିବାକୁ ସେ ତା’ର ସଦସ୍ୟମାନଙ୍କୁ କହିଥିବା ଜଣାପଡ଼ିଛି  । ପ୍ରକାଶ୍ୟ ଯେ, ବାଲାକୋଟ୍ ଉପରେ ଏୟାର ଷ୍ଟ୍ରାଇକ୍ ପରେ ଅଜହର ମାସୁଦର କିଡନୀ ଖରାପ ହୋଇଯାଇଛି ଓ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛି ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମୁହମ୍ମଦ କ୍ୟୁରେସୀ ଏକ ବିଦେଶୀ ଚ୍ୟାନେଲକୁ ସାକ୍ଷାତକାର ବେଳେ କହିଥିଲେ  । ତେବେ ଅଜହର ମାସୁଦ ଓ ତା’ର ନେଟୱାର୍କ ଉପରେ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ  । ପ୍ରକାଶ୍ୟ ଯେ, ଗତ ୨୧ ତାରିଖ ଇଷ୍ଟର ରବିବାରରେ କଲମ୍ବୋରେ ୩ଟି ଚର୍ଚ୍ଚ ସମେତ ୨ଟି ବିଳାସପୂର୍ଣ୍ଣ ହୋଟେଲ୍ରେ ସିରିଜ ବୋମା ବିସ୍ଫୋରଣ ହୋଇଥିଲା  । ଏଥିରେ ପ୍ରାୟ ୩୬୦ ଜଣଙ୍କ ମୃତ୍ୟୁ ଘଟିଲା  । ମୌଳବାଦୀ ସଂଗଠନ ନ୍ୟାସନାଲ ତୋହିଦ ଜମାତ (ଏନ୍ଟିଜେ) ଏହି ବିସ୍ଫୋରଣ କରିଥିଲା  । ଏଥିରେ କିଛି ଧନୀ ଇସ୍ଲାମୀୟ ବ୍ୟବସାୟୀ ଫଣ୍ଡିଂ କରିଛନ୍ତି  । କିନ୍ତୁ ସେପଟେ ଆଇଏସଆଇଏସ୍ ନିଜ ମୁଣ୍ଡକୁ ଦୋଷ ନେଇ ବିସ୍ଫୋରଣ ସେ କରାଇଛି ବୋଲି ଦାବି କଲା  ।

Comments