ଶ୍ରୀଲଙ୍କା ନରସଂହାର: ମୁଖ୍ୟ ଆତଙ୍କବାଦୀର ବାପା, ଦୁଇ ଭାଇ ନିହତ


କଲମ୍ବୋ, ୨୮/୪ ଶ୍ରୀଲଙ୍କା ସିରିଜ ବୋମା ବିସ୍ଫୋରଣରେ ୩୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲାବେଳେ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି  । ସେହିପରି ଶନିବାର ଗୁଇନ୍ଦା ସୂଚନାକୁ ଆଧାର କରି ଶ୍ରୀଲଙ୍କା ସେନା ପକ୍ଷରୁ କରାଯାଇଥିବା ଅପରେସନ୍ରେ ଏହି ସିରିଜ୍ ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିବା ଆତଙ୍କୀ ସଂଗଠନ ଆଇଏସ୍ଆଇଏସ୍ର ୩ ଜଣ ଆତଙ୍କବାଦୀ ମୃତ୍ୟୁ ବରଣ କରିଥିଲାବେଳେ ୬ ଜଣ ଶିଶୁଙ୍କ ସମେତ ମୋଟ୍ ୧୫ ଜଣ ମୃତ୍ୟୁବରଣ କରିଥିଲେ  ।ନିହତଙ୍କ ମଧ୍ୟରେ ନରସଂହାରର ମାଷ୍ଟର ମାଇଣ୍ଡ କୁହାଯାଉଥିବା ମୁଖ୍ୟ ଆତଙ୍କବାଦୀ ଜହରନ୍ ହସିମ୍ର ବାପା ଏବଂ ଦୁଇ ଭାଇ ଥିବା ଜଣା ପଡିଛି ।
: ଗତ ୨୧ ତାରିଖରେ ଇଷ୍ଟର ରବିବାରରେ ରାଜଧାନୀ କଲମ୍ବୋର ୩ଟି ଚର୍ଚ୍ଚ ଓ ୨ଟି ବିଳାସପୂର୍ଣ୍ଣ ହୋଟେଲ୍ରେ ଇସ୍ଲାମୀୟ ମୌଳବାଦୀ ସଂଗଠନ ଆଇଏସ୍ ଦ୍ୱାରା ସିରିଜ ବୋମା ବିସ୍ଫୋରଣ କରାଯିବା ଘଟଣାରେ ଶ୍ରୀଲଙ୍କା ପୁଲିସ ତାମିଲ ମାଧ୍ୟମିକ ସ୍କୁଲ୍ର ଜଣେ ଶିକ୍ଷକ ଓ ଅନ୍ୟ ଏକ ସ୍କୁଲ୍ର ପ୍ରଧାନଆଚାର୍ଯ୍ୟଙ୍କ ସମେତ ୧୦୬ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି  । ପୁଲିସ ଗିରଫ ସନ୍ଦିଗ୍ଧଙ୍କୁ ପଚରାଉଚୁରା ଜାରି ରଖିଛି  । ଗିରଫ ତାମିଲ ସ୍କୁଲ୍ର ମାଧ୍ୟମିକ ସ୍କୁଲ୍ର ଶିକ୍ଷକଙ୍କ ନିକଟରୁ ୫୦ଟି ବେନାମୀ ସିମ୍କାର୍ଡ ଏବଂ ଅନ୍ୟ ଆପତ୍ତିଜନକ ସାମଗ୍ରୀକୁ ପୁଲିସ ଜବତ କରିଛି  । କଲପତିଆ ଥାନା ପୁଲିସ ଓ ନୌସେନାର ମିଳିତ ଅଭିଯାନରେ ସେମାନଙ୍କୁ ଗିରଫ କରାଯାଇଛି  । ସେହିପରି ବାୟୁନିଆ ସହରରେ ସେନା ଓ ପୁଲିସ ଦ୍ୱାରା ବ୍ଲକିଂ କରାଯାଇଥିଲା ଏବଂ ୧୦ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯଇଥିଲା  ।

Comments