ରିତେଶ ପୃଷେଠ
୧୯୫୦ ଜାନୁଆରୀ ୨୪ ସମ୍ବିଧାନ ସଭାରେ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ସମ୍ଭୋଧନ କରି କହିଲେ, “ଶବ୍ଦ ଓ ସଂଗୀତର ସେହି ରଚନା ଯାହକୁ ଜନ ଗଣ ମନ ଭାବେ ସମ୍ବୋଧନ କରାଯାଏ, ତାହା ଭାରତର ରାଷ୍ଟ୍ରୀୟ ସଙ୍ଗୀତ ଅଟେ । ବନ୍ଦେ ମାତରମ୍ ଗୀତ, ଯାହା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଐତିହାସିକ ଭୂମିକା ନିର୍ବାହ କରିଛି ତାକୁ ଜନ ଗଣ ମନ ସମକକ୍ଷ ସମ୍ମାନ ଓ ପଦ ମିଳୁ । ମୁଁ ଆଶା କରୁଛି ସଦସ୍ୟଗଣ ଏହାକୁ ଗ୍ରହଣ କରିବେ” । ସ୍ୱାଧୀନ ଭାରତରେ ବନ୍ଦେ ମାତରମ୍କୁ ଜାତୀୟ ଗୀତ ଓ ଜନଗଣମନକୁ ରାଷ୍ଟ୍ରୀୟ ସଂଗୀତ ଭାବେ ଗ୍ରହଣ କରାଗଲା । ଏହି ନିଷ୍ପତିରେ ସ୍ୱାଭାବିକ ପ୍ରଶ୍ନ ଉଠେ, ଯେଉଁ ବନ୍ଦେ ମାତରମ୍ ସଂଗୀତର ଧ୍ୱନି ସମ୍ପୂର୍ଣ୍ଣ ସ୍ୱାଧୀନତା ସଂଗ୍ରାମର କେନ୍ଦ୍ରବିନ୍ଦୁ ଥିଲା, ଯେଉଁ ବନ୍ଦେ ମାତରଂମ୍ର ଉଦ୍ଘୋଷ ଦେଇ କ୍ରାନ୍ତିବୀରମାନେ ଫାସୀ ଖୁଣ୍ଟରେ ଚଢିଯାଉଥିଲେ, ଯେଉଁ ବନ୍ଦେ ମାତରମ୍ ସଂଗୀତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମୂଳମନ୍ତ୍ର ଥିଲା ତାକୁ ରାଷ୍ଟ୍ରୀୟ ସଙ୍ଗୀତ ଭାବେ ମର୍ଯ୍ୟଦା ଦିଆଗଲା ନାହିଁ କାହିଁକି? କିଏ, କାହିଁକି ଓ କାହା ସ୍ୱାର୍ଥ ପାଇଁ ବନ୍ଦେ ମାତରମ୍ର ବିରୋଧ କରିଥିଲା । ଏହା ଆଜି ଇତିହାସର ପୃଷ୍ଠାରୁ ଦେଶବାସୀ ଜାଣିବାକୁ ଚାହାଁନ୍ତି । ଆନନ୍ଦମଠ ଉପନ୍ୟାସରୁ “ବନ୍ଦେ ମାତରମ୍'' ସଙ୍ଗୀତର ଜନ୍ମ । ଆନନ୍ଦମଠର ପ୍ରଥମ ଖଣ୍ଡ ବଙ୍ଗଳାର ଦୁର୍ଭିକ୍ଷରୁ ଆରମ୍ଭ, ଯେଉଁ ସମୟରେ ଲୋକେ ଭାତ ମୁଠାକ ପାଇଁ ବ୍ୟାକୁଳ ହେଇ ଉଠୁଥିଲେ । ସମସ୍ତ ଗ୍ରାମବାସୀ ଗାଁ ଛାଡିଚାଲିଯାଉଥିଲେ । ଲୋକଙ୍କ ପାଟିରେ ଅନ୍ନ ନଥିଲା ନା ଚାଷୀର କ୍ଷେତରେ ଫସଲ କିନ୍ତୁ ଇଂରେଜ ଅତ୍ୟାଚାର କରି ଲୋକଙ୍କଠୁ କର ଆଦାୟ କରୁଥିଲେ । ପଦଚିହ୍ନ ଗାଁର କଥା, ମହେନ୍ଦ୍ର ଓ କଲ୍ୟାଣୀ ନିଜର ଅବୋଧ ଶିଶୁକୁ ନେଇ ଗାଁଠୁ ଦୂରକୁ ଯିବାକୁ ଚାହୁଁଥାନ୍ତି । ଗାଁରେ ଲୁଟପାଟର ଘଟଣା ବୃଦ୍ଧି ପାଉଥିଲା । ଯିବା ସମୟରେ କଲ୍ୟାଣୀକୁ ଡାକୁମାନେ ଧରି ପକାଇଲେ କିନ୍ତୁ କଲ୍ୟାଣୀ ନିଜ ଜୀବନ ବଞ୍ଚାଇବା ପାଇଁ ଜଙ୍ଗଲରେ ଲୁଚିଗଲା । ମହେନ୍ଦ୍ରକୁ ସୀପାହିମାନେ ଧରିନେଲେ । ସେଠି ସିପାହୀ ମାନଙ୍କ ସହିତ ମହେନ୍ଦ୍ରର ହାତାହାତି ହୁଏ କିନ୍ତୁ ଭବାନନ୍ଦ ନାମକ ସନ୍ନ୍ୟାସୀ ସେଠି ଆସି ମହେନ୍ଦ୍ରକୁ ରକ୍ଷା କରନ୍ତି । ଭବାନନ୍ଦ ଆତ୍ମରକ୍ଷା ପାଇଁ ଇଂରେଜ ସାହେବକୁ ହତ୍ୟା କରି ଲୁଟି ଥିବା ଧନ ଅନ୍ୟମାନଙ୍କ ଭିତରେ ବାଣ୍ଟିଦିଅନ୍ତି । ଅଳ୍ପ ସମୟପରେ ସେଠି ଦ୍ୱିତୀୟ ସନ୍ୟାସୀ ଜୀବାନନ୍ଦ ପହଞ୍ଚନ୍ତି । ଭବାନନ୍ଦ ଜୀବାନନ୍ଦ ଦୁଇଜଣ ସତ୍ୟାନନ୍ଦଙ୍କ ପ୍ରଧାନ ଶିଷ୍ୟ । ସେ ଆନନ୍ଦ ମଠରେ ରହି ଦେଶର ସେବା ପାଇଁ କର୍ମ କରୁଥାନ୍ତି । ମହେନ୍ଦ୍ର, ଭବାନନ୍ଦଙ୍କ ପରିଚୟ ଜାଣିବା ପାଇଁ ଆଗ୍ରହୀ କାରଣ ଭବାନନ୍ଦଙ୍କ ପାଇଁ ହିଁ ଆଜି ସେ ଜୀବିତ । ଭବାନନ୍ଦ ଉତ୍ତର ଦିଅନ୍ତି, ମୋ ପରିଚୟ ଜାଣି କ'ଣ କରିବ? ମହେନ୍ଦ୍ର କହେ, ମୁଁ ଜାଣିବାକୁ ଚାହେଁ କାରଣ ଆପଣ ମୋର ବହୁ ଉପକାର କରିଛନ୍ତି । ମହେନ୍ଦ୍ର ବୁଝି ପାରୁନଥାଏ କି ଜଣେ ସନ୍ୟାସୀ ମଧ୍ୟ ଡକାୟତ ହୋଇପାରିବ । ଏହାପରେ ଭବାନନ୍ଦ ମହେନ୍ଦ୍ରକୁ ତା ସ୍ତ୍ରୀ ଓ ଶିଶୁ ସହିତ ମିଳିତ କରିବାର ଆଶ୍ୱାସନ ଦିଅନ୍ତି । କିଛି କ୍ଷଣପରେ ଭବାନନ୍ଦଙ୍କ ଭାବ ଓ ସହସା ବଦଳି ଯାଏ । ଏବେ ସେ ଧୀର ପ୍ରକୃତିର ସନ୍ୟାସୀ ପରି ଲାଗୁଥାନ୍ତି । ତାଙ୍କ ମୁ୍ଖମଣ୍ଡଳ ଏବେ ଆନନ୍ଦିତ । ସେତେବେଳେ ଭବାନନ୍ଦ ଗୀତ ଗାଇବା ଆରମ୍ଭ କରନ୍ତି ‘ବନ୍ଦେ ମାତରମ୍’! ସୁଜଲାମ୍ ସୁଫଲାମ୍ ମଲୟଜ ଶୀତାଲାମ୍ । ଭାରତର ଇତିହାସରେ ସବୁଠୁ ବଡ ବିଶ୍ୱାସଘାତକ ମିର ଜାଫର, ନବାବ ସିରାଜଦୌଲାଙ୍କ ସେନାପତି ଥିଲେ । ୨୩ ଜୁନ ୧୭୫୭ ପଲାସୀ ଯୁଦ୍ଧରେ ନବାବଙ୍କ ସହିତ ବିଶ୍ୱାସଘାତକତା କରି ସେ ଇଂରେଜମାନଙ୍କ ସହିତ ମଶିଗଲେ ଯାହାଫଳରେ ୫୦,୦୦୦ ସେନା ଥାଇ ମଧ୍ୟ ନବାବ ୩୦୦୦ ଇଂରେଜ ସିପାହୀମାନଙ୍କ ହାତରେ ପରାସ୍ତ ହେଲେ । ଏହି ପରାଜୟ ଭାରତର ପରାଧିନତାର ଦ୍ୱାର ଖୋଲି ଦେଇଥିଲା । ଯୁଦ୍ଧରେ ବିଜୟୀ ହେଲାପରେ ମିର ଜାଫରକୁ ଇଂରେଜମାନେ ବଙ୍ଗଳାର ନବାବ ଭାବେ ନିଯୁକ୍ତି କରନ୍ତି କିନ୍ତୁ ଶାସନ କ୍ଷମତା ଇଂରେଜ୍ମାନଙ୍କ ପାଖରେ ଥାଏ । ବଙ୍ଗଳାପ୍ରଦେଶ ଦଖଲ ପରେ ଇଷ୍ଟ୍-ଇଣ୍ଡିଆ କମ୍ପାନୀକୁ ଭାରତର ସବୁଠୁ ଘନ ଜନସଂଖ୍ୟା ଥିବା କ୍ଷେତ୍ରରେ ଅବାଧ ବ୍ୟବସାୟ କରିବାର ଅଧିକାର ମିଳେ ତଥା ଚବିଶ ପ୍ରଗଣାର ରାଜସ୍ୱ ସଂଗ୍ରହ ସହିତ ଯୁଦ୍ଧର କ୍ଷତିପୂରଣ ଭାବେ ୧ କୋଟି ୧୭ ଲକ୍ଷ ଟଙ୍କା ତାଙ୍କୁ ଦିଆଯାଏ, ପରେ ମିର ଜାଫରର ଦୁର୍ବଳତାର ସୁଯୋଗ ନେଇ ସାରା ବଙ୍ଗଳାର ଦେୱାନି ଇଂରେଜ ଅଧିକାରକୁ ଚାଲିଯାଏ । ଦେୱାନି ପାଇଲା ପରେ ଇଷ୍ଟ୍-ଇଣ୍ଡିଆ କମ୍ପାନୀ ବଳ ପୂର୍ବକ ଜନତାଙ୍କ ଠାରୁ କର ସଂଗ୍ରହ କରେ । ସମସ୍ତ ଉତ୍ପାଦିତ ଫସଲକୁ କର ମାଧ୍ୟମରେ ସଂଗ୍ରହ କରି ଇଂଲଣ୍ଡକୁ ପଠାଏ । ଫଳରେ ବଙ୍ଗଳାରେ ଏକ ମଣିଷକୃତ ଭୟାବହ ପରିସ୍ଥିତି ସୃଷ୍ଟି ହୁଏ । ଏହି ଅତ୍ୟାଚାର ବିରୁଦ୍ଧରେ ୧୭୭୦ ରୁ ୧୮୨୦ ପର୍ଯ୍ୟନ୍ତ ବଙ୍ଗଳାର ମୁର୍ଶୀଦାବାଦ, ବୈକୁଣ୍ଠପୁରର ଜଙ୍ଗଲରେ ଏକ ସଶସ୍ତ୍ର ବିଦ୍ରୋହ ହୁଏ । ଏହାର ନେତୃତ୍ୱ ସନ୍ୟାସୀମାନେ ନେଇଥିବା କାରଣରୁ ଏହାକୁ ସନ୍ୟାସୀ ବିଦ୍ରୋହ ବୋଲି କୁହାଗଲା । ଏହି ସମୟର ବଙ୍ଗଳାର ଦୟନୀୟ ପରିସ୍ଥିତି ଓ ସନ୍ୟାସୀ ବିଦ୍ରୋହକୁ ଆଧାର କରି ବଙ୍କିମ୍ ଚନ୍ଦ୍ର ଚଟାର୍ଜୀ ୧୮୮୨ ରେ ବଙ୍ଗଳା ଭାଷାରେ ଅନନ୍ଦମଠ ରଚନା କରିଥିଲେ । ଏଥିରେ ସନ୍ୟାସୀ ମାନଙ୍କ ତପ ଓ ତପସ୍ୟା ଦ୍ୱାରା ମାତୃଭୂମିର ଆରାଧନାର ଗୀତ ବନ୍ଦେ ମାତରଂମ୍ ସ୍ଥାନ ପାଇଥିଲା । ବନ୍ଦେ ମାତରଂମ୍ ଗୀତ ପ୍ରକାଶିତ ହେଲା ପରେ ସାରା ଭାରତବର୍ଷର ମାତୃଭୂମିଭକ୍ତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ମନ୍ତ୍ର ହୋଇଗଲା । ଏହି ଗୀତ ଅନେକ ତରୁଣ ଯୁବକଙ୍କ ମନରେ ଦେଶଭକ୍ତିର ଅଗ୍ନି ଜଳାଇଥିଲା । ସାରା ଭାରତବର୍ଷର ଆକାଶ ବନ୍ଦେ ମାତରଂମ୍ ଧ୍ୱନୀରେ ଗୁରିତ ହେଲା । ସର୍ବ ପ୍ରଥମେ ଠାକୁର ରବୀନ୍ଦ୍ରନାଥ ୧୮୯୬ ରେ କଲିକତାରେ ଅନୁଷ୍ଠିତ କଂଗ୍ରେସର ରାଷ୍ଟ୍ରୀୟ ଅଧିବେଶନରେ ବନ୍ଦେ ମାତରଂମ୍ ଗାନ କଲେ ଯେଉଁଠି ସାରା ଦେଶର କଂଗ୍ରେସର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ଫଳରେ ଏହା ସାରା ଦେଶକୁ ପ୍ରଚାରିତ ହେଲା, ୧୯୦୧ ଓ ୧୯୦୫ ରେ ପୁଣି କଂଗ୍ରେସ ଅଧିବେଶନରେ ବନ୍ଦେ ମାତରଂମ୍ ଗାନ କରାଗଲା । ଲାହୋରରୁ ଲାଲା ଲଜପତ ରାଏ ସମାଜର ଜାଗରଣ ପାଇଁ ବନ୍ଦେ ମାତରଂମ୍ ନାମରେ ଏକ ଯାତ୍ରା ବାହାର କଲେ । ଅରବିନ୍ଦ ଘୋଷ ୧୯୦୫ ରୁ ବନ୍ଦେ ମାତରଂମ୍ ନାମରେ ଏକ ଇଂରାଜୀ ଦୈନିକ ଖବରକାଗଜ ପ୍ରକାଶ କଲେ । ଭିଖାଜି କାମା ୧୯୦୭ ରେ ପ୍ରସ୍ତୁତ କରିଥିବା ଭାରତର ପ୍ରଥମ ରାଷ୍ଟ୍ରୀୟ ଧ୍ୱଜ ମଧ୍ୟ ରେ ବନ୍ଦେ ମାତରଂମ୍ ଲେଖା ହୋଇଥିଲା । ଏମିତି ଅନେକ ଘଟଣା ମାଧ୍ୟମରେ ବନ୍ଦେ ମାତରଂମ୍ ସମାଜରେ ମାତୃଭୂମି ପ୍ରତି ଭକ୍ତି ଓ ସ୍ୱାଧୀନତାର ଭାବ ଜାତ କଲା । ୧୯ ଜୁଲାଇ ୧୯୦୫, ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଦୁର୍ବଳ କରିବା ପାଇିଁ ତଥା କ୍ରାନ୍ତିକାରୀ ମାନଙ୍କ କେନ୍ଦ୍ରସ୍ଥଳୀ ବଙ୍ଗଳାକୁ ଶକ୍ତିହୀନ କରିବା ଉଦ୍ଦେଶ୍ୟରେ ଧାର୍ମିକ ଆଧାରରେ ବଙ୍ଗଳା ବିଭାଜନ କରିବାର ଘୋଷଣା ତତ୍କାଳୀନ ଭାରତର ଭାଇସରାଏ ଲର୍ଡ କର୍ଜ୍ଜନ କରନ୍ତି । ୧୬ ଅକ୍ଟୋବର ରୁ ଏହି ଘୋଷଣା କାର୍ଯ୍ୟକାରୀ ହେଲା । ଏହାର ବିରୋଧ ପାଇଁ ଠାକୁର ବୀନ୍ଦ୍ରନାଥଙ୍କ ଆହ୍ୱାନ କ୍ରମେ ଏହିଦିନ ସାରା ବଙ୍ଗଳାରେ ଶୋକଦିବସ ଭାବେ ପାଳନ କରାଗଲା । ଲୋକେ ଗଙ୍ଗାରେ ବୁଡ ପକାଇ ପରସ୍ପର ମଧ୍ୟରେ ରାକ୍ଷୀ ବାନ୍ଧିଲେ । ବଙ୍ଗାଳୀ ମାଁମାନେ ବଙ୍ଗଲକ୍ଷ୍ମୀ ବ୍ରତ ପାଳନ କଲେ । ଆବାଳ ବୃଦ୍ଧ ବନିତା ପ୍ରଭାତଫେରିରେ ଭାଗନେଲେ ଓ ବନ୍ଦେ ମାତରଂମ୍ ମନ୍ତ୍ର ବୋଲିଲେ । ସମସ୍ତ ଆନ୍ଦୋଳନକୁ ବନ୍ଦେ ମାତରଂମ୍ର ଉଦଘୋଷ ବାନ୍ଧି ରଖିଲା । ସମସ୍ତ ବିରୋଧ ସତ୍ୱେ ୧୬ ଅକ୍ଟୋବର ୧୯୦୫ ରେ ବଙ୍ଗ ଭଙ୍ଗ ହେଲା । ଏହି ବିଭାଜନ ଦ୍ୱାରା ପୂର୍ବରେ ରାଜସାହି, ଢାକାକୁ ଆସାମ ସହିତ ମିଶାଇ ନ୍ତପୂର୍ବ ବଙ୍ଗ ଓ ଆସାମନ୍ତ ପ୍ରାନ୍ତ ନିର୍ମାଣ କରାଗଲା । ଏହି ବିଭାଜନଦ୍ୱାରା ଗଠିତ ନୂଆ ପ୍ରାନ୍ତରେ ମୁସଲମାନ ମାନଙ୍କ ଜନସଂଖ୍ୟା ଅଧିକ ଥିବାରୁ ମୁସଲମାନ ମାନଙ୍କ ଫାଇଦା କହି ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରାଗଲା । ପୂର୍ବବଙ୍ଗ ଓ ଆସାମର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଯୋଶେଫ ବୈମଫିଲଡ ଫୁଲର ଅନେକ ସଭାରେ କହିଲେ, ମୋର ଦୁଇଜଣ ପତ୍ନୀ ଜଣେ ହିନ୍ଦୁ ଆଉ ଜଣେ ମୁସଲିମାନ କିନ୍ତୁ ମୁଁ ମୋ ମୁସଲିମ ସ୍ତ୍ରୀ କୁ ବେଶି ପ୍ରେମ କରେ ବୋଲି ଅନେକ ସଭାରେ କହିଲେ । ଏହି ବାର୍ତ୍ତା ହିନ୍ଦୁ ଜନତାଙ୍କ ଭାବନାକୁ ଆଘାତ ଦେବା ପାଇଁ କୁହାଗଲା । ଏହି ବିଭାଜନ କୌଣସି ହୀତ ଉଦ୍ଦେଶ୍ୟ ନରଖି କେବଳ ନବଜାଗ୍ରତ ଭାରତକୁ କ୍ଷତି ପହଞ୍ଚାଇବା ପାଇଁ ଷଡଯନ୍ତ୍ର କରାଯାଇଥିଲା । ଷଡଯନ୍ତ୍ର ମାଧ୍ୟମରେ ମୁସଲମାନ ଓ ହିନ୍ଦୁଙ୍କୁ ପରସ୍ପର ସହିତ ଲଢେଇ ସ୍ୱାଧୀନତା ସଂଗ୍ରାମକୁ ଦିଗହରା କରିବାର ଚେଷ୍ଟା କରାଗଲା । ମୁସଲିମ ସ୍ୱାର୍ଥର ସୁରକ୍ଷା ନାଁ ରେ ନବଗଠିତ ପ୍ରଦେଶର ଢାକା ସହରରେ ୩୦ ଡିସେମ୍ବର ୧୯୦୬ରେ ମୁସଲିମ ଲିଗ୍ର ସ୍ଥାପନା କରି ମୁସଲମାନ ଜନତାଙ୍କୁ ସ୍ୱାଧୀନତା ସଂଗ୍ରାମଠୁ ଦୂରକୁ ନେବା ପାଇଁ ଚେଷ୍ଟା କରାଗଲା । ୧୯୦୫ କଂଗ୍ରେସ କାର୍ଯ୍ୟକାରଣୀ ବୈଠକରେ ବନ୍ଦେ ମାତରଂମ୍ ଗୀତକୁ ରାଷ୍ଟ୍ରୀୟ ଗୀତର ମର୍ଯ୍ୟାଦା ଦେଇ ମାତରଂମ୍ ନାରାକୁ ରାଷ୍ଟ୍ରୀୟ ନାରା ଭାବେ ସ୍ୱୀକୃତି ଦିଆଗଲା । ବନ୍ଦେ ମାତରଂମ୍ର ପ୍ରଭାବରେ ବଙ୍ଗ ଭଙ୍ଗ ଆନ୍ଦୋଳନ ଜନତାଙ୍କ ଭାଗିଦାରୀ ବଢିଲା । ବଙ୍ଗ ଭଙ୍ଗ ଆନ୍ଦୋଳନକୁ ପ୍ରଭାବ ହୀନ କରିବାପାଇଁ ଇଂରେଜ ସରକାର ଷଡଯନ୍ତ୍ର କଲେ ଓ ତାଙ୍କ ପ୍ରରୋଚନାରେ ମୁସଲିମ ଲିଗ୍ ବନ୍ଦେ ମାତରଂମ୍କୁ ମୁସଲିମ ବିରୋଧି କହି ବିରୋଧ କଲା । ରିତେଶ ପୃଷେଠ ଭାରତୀୟ ରାଜନୀତିରେ ଧାର୍ମିକ ଆଧାରକୁ ନେଇ ମୁସଲିମ ଲିଗ୍ ନିଜ ସ୍ଥିତି କୁ ମଜବୁତ କରିବାକୁ ଲାଗୁଥାଏ କିନ୍ତୁ କଂଗ୍ରେସ ସମସ୍ତ ହିନ୍ଦୁ ଓ ମୁସଲିମ୍ମାନଙ୍କର ଏକମାତ୍ର ରାଜନୈତିକ ନେତୃତ୍ୱ ଭାବେ ନିଜକୁ ଉପସ୍ଥାପିତ କରୁଥାଏ । ଏହି କ୍ରମରେ ତୁର୍କୀର ରାଜନୈତିକ ପରିସ୍ଥିତିକୁ ନେଇ କେବଳ ମୁସଲିମ ତୁଷ୍ଟିକରଣ ପାଇଁ ୧୯୧୯ ରେ କଂଗ୍ରେସ ଭାରତରେ ଖିଲାଫତ ଆନ୍ଦୋଳନ ଆରମ୍ଭ କଲା । ଏହି ଆନ୍ଦୋଳନ ଏକ ବିଫଳ ଆନ୍ଦୋଳନ, ଏହାଫଳରେ ଭାରତୀୟ ରାଜନୀତିରେ ରାଷ୍ଟ୍ରୀୟ ବିଷୟ ପରିବର୍ତ୍ତେ କଟ୍ଟରବାଦୀ ଧାର୍ମିକ ବିଷୟକୁ ନେଇ ରାଜନୀତି କରୁଥିବା ଲୋକମାନେ ନେତା ହେଲେ । କଂଗ୍ରେସ ଏହି ନେତା ମାନଙ୍କୁ ନେଇ ମୁସଲମାନ ସମାଜକୁ ନିଜ ପକ୍ଷଭୁକ୍ତ କରିବା ପାଇଁ ଚେଷ୍ଟା କରୁଥିଲା । ଏହି ନେତାଙ୍କ ମଧ୍ୟରୁ ମୌଲାନା ମହମ୍ମଦ ଅଲି ଜୌହର ଅନ୍ୟତମ ଯାହାକୁ ୧୯୨୩ ରେ କଂଗ୍ରେସର ଅଧ୍ୟକ୍ଷ ପଦ ଦିଆଗଲା । ୧୯୨୩ କାକିନାଡା କଂଗ୍ରେସ ଅଧିବେଶନରେ ବନ୍ଦେ ମାତରଂମ୍ ସ୍ୱରକୁ ନୂଆ ଢଙ୍ଗରେ ସଜାଇଥିବା ସଙ୍ଗୀତଜ୍ଞ ବିଷ୍ଣୁଦିଗମ୍ବର ପୁଲସ୍କର ଯେତେ ବେଳେ ମଞ୍ଚରେ ବନ୍ଦେ ମାତରଂମ୍ ଗାଇବା ପାଇଁ ଠିଆହେଲେ ସେତେବେଳେ ମୌଲାନା ମହମଦ ଅଲ୍ଲୀ ବନ୍ଦେ ମାତରଂମ୍ ଗାନକୁ ବିରୋଧ କଲେ । କେବଳ ମୁସଲିମ୍ ତୁଷ୍ଟୀକରଣ ଯୋଗୁଁ ବନ୍ଦେ ମାତରଂମ୍ର ଗାୟନ କଂଗ୍ରେସ ଅଧିବେଶନରେ ବନ୍ଦ କରାଗଲା । କୌଣସି କଂଗ୍ରେସୀ ନେତା ମୌଲାନା ମୋହମଦ ଅଲ୍ଲିକୁ ବିରୋଧ କଲେନାହିଁ । ଏହି ସତ୍ସାହାସର ଅଭାବ ଭାରତୀୟ ରାଜନୀତିରେ ସବୁଦିନ ପାଇଁ ବନ୍ଦେ ମାତରଂମ୍ ଗୀତକୁ ରାଷ୍ଟ୍ରୀୟ ପୃଷ୍ଟଭୂମିରୁ ଦୂରକୁ ନେଲା । କଂଗ୍ରେସ ଅଧିବେଶନରେ ଏହାର ବିରୋଧ କରାଗଲା ପରେ ଏହି ବିରୋଧି ସ୍ୱର ସାରାଦେଶକୁ ବ୍ୟାପିଲା । ଅନେକ ସଭାସମିତିରେ ବନ୍ଦେ ମାତରଂମ୍ର ଗାୟନକୁ ମୁସଲିମ୍ ବିରୋଧି ଦର୍ଶାଇ ବିରୋଧ କରାଗଲା । ଭାରତରେ ମୁସ୍ଲିମ ଲିଗ୍ର ଅଭ୍ୟୁଦୟ କାରଣରୁ ଭାରତୀୟ ରାଜନୀତିରେ ମୁସ୍ଲିମମାନଙ୍କ ରାଜନୈତିକ ଶକ୍ତି ବୃଦ୍ଧି ପାଉଥିଲା । ଇଂରେଜମାନଙ୍କ ଷଡଯନ୍ତ୍ର ଓ ରାଜନୈତିକ ପ୍ରଭାବ ବଳରେ ଭାରତୀୟ ରାଜନୀତିରେ ବନ୍ଦେ ମାତରଂମ୍କୁ ବିରୋଧ କରାଗଲା । ଏହି ବିରୋଧ ଆଗରେ କଂଗ୍ରେସ ମୁଣ୍ଡନୁଆଁଇଲା । ପରବର୍ତ୍ତୀ ସମୟରେ ଠାକୁର ରବୀନ୍ଦ୍ରନାଥଙ୍କ ତତ୍ୱାବଧାନରେ ଜବାହରଲାଲ ନେହେରୁ, ମୌଲାନା ଆବୁଲ କଲାମ ଆଜାଦ, ସୁବାଷ ଚନ୍ଦ୍ର ବୋଷ ଓ ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କୁ ନେଇ ଏକ ସମିତିର ଗଠନ କରାଗଲା । ଏହି ସମିତି ତାର ରିପୋର୍ଟ ୨୮ ଅକ୍ଟୋବର ୧୯୩୭ରେ କଲିକତା ଅଧିବେଶନରେ ପେଶ୍ କଲା । ଏହି କମିଟି ତା ରିପୋର୍ଟରେ ବନ୍ଦେ ମାତରଂମ୍ ଗାୟନକୁ ଅନିବାର୍ଯ୍ୟତାରୁ ମୁକ୍ତି କରିବାର ପ୍ରସ୍ତାବ ଦେଲା ତଥା ଏହି ଗୀତର କେବଳ ଦୁଇପଦ ପ୍ରାସଙ୍ଗିକ ବୋଲି ମତ ଦେଲା । ଏହାପରେ ୧୯୫୦ରେ ପ୍ରବଳ ଜନସମର୍ଥନ ସତ୍ୱେ ବନ୍ଦେ ମାତରମଂକୁ ଜାତୀୟ ସଙ୍ଗୀତ ରୂପେ ଗ୍ରହଣ କରାଗଲା ନାହିଁ । ଭାରତୀୟମାନଙ୍କ ପାଇଁ ବନ୍ଦେ ମାତରଂମ୍ କେବଳ ଏକ ସଙ୍ଗୀତ ନୁହେଁ ଏହା ପୂର୍ବଜଙ୍କ ମହାନ ଚିନ୍ତନର ଏକ ଦର୍ଶନ । ଭାରତୀୟମାନେ ଭୂମିକୁ ମାତୃତୁଲ୍ୟ ସମ୍ମାନ ଦିଅନ୍ତି । ବନ୍ଦେ ମାତରମଂରେ ମାତୃଭୂମିକୁ ଦଶଭୂଜା ମାଁ ଦୂର୍ଗା ଓ ଜ୍ଞାନଦାୟୀନି ମାଁ ସରସ୍ୱତୀଙ୍କ ସହିତ ତୁଳନା କରାଯାଇଛି । ମାତୃଶକ୍ତିର ଆରଧନା ଭାରତୀୟ ଚିନ୍ତନର ମୂଳ ଓ ଏହା ଆମ ରାଷ୍ଟ୍ରର ଆଧାରସ୍ତମ୍ଭ । ସ୍ୱଧୀନତା ପରବର୍ତ୍ତୀ ସମୟରେ ଭୋଟବ୍ୟାଙ୍କ ରାଜନୀତି ପ୍ରଭାବରେ ବନ୍ଦେ ମାତରଂମ୍ ଗାୟନକୁ ବିରୋଧ କରାଯାଉଛି । ଯେଉଁ କଟ୍ଟର ଧାର୍ମିକ ଚୀନ୍ତିଧାରା ଭାରତ ବିଭାଜନ ପାଇିଁ ଦାୟୀ, ସେହି ଚିନ୍ତାଧାରା ଦ୍ୱାରା ପ୍ରଭାବିତ ଏକ ଗୋଷ୍ଠିର ଭୋଟ ଆଶାରେ ଅନେକ ରାଜନୈତିକ ଦଳ ବନ୍ଦେ ମାତରଂମ୍କୁ ବିରୋଧ କରନ୍ତି । ଏହି ବିରୋଧ ଭାରତୀୟଙ୍କ ପାଇିଁ ଏକ ଆହ୍ୱାନ ଆଣିଦେଇଛି । ଇଂରେଜମାନଙ୍କ ଦ୍ୱାରା ରଚାଯାଇଥିବା ଷଡଯନ୍ତ୍ରକୁ ଭାଙ୍ଗି ଭାରତୀୟ ସମାଜ ଧାର୍ମିକ ଆଧାରର ରାଜନୀତିର ଉର୍ଦ୍ଧକୁ ଉଠି ରାଷ୍ଟ୍ରୀୟ ହୀତ ପାଇିଁ ବନ୍ଦେ ମାତରଂମ୍କୁ ପୁଣି ଥରେ ସମ୍ମାନଜନକ ସ୍ଥାନରେ ଅଧିଷ୍ଠିତ କରିବା ।
Comments
Post a Comment