ଆମେ ଉଭୟ ସର୍ବଦା ଦେଶ ପାଇଁ ଚିନ୍ତା କରୁ


ନୂଆଦିଲ୍ଲୀ, ୨୮/୪  : ରୂପେଲି ପରଦାରେ ଗଦ୍ଦର, ବର୍ଡର ଭଳି ଅନେକ ଦେଶାତ୍ମକବୋଧ ଚଳଚ୍ଚିତ୍ରରେ ଅଭିନୟ କରି ଦେଶବାସୀଙ୍କ ହୃଦୟକୁ ଜିତିଥିବା ବଲିଉଡ୍ର ଲୋକପ୍ରିୟ ଅଭିନେତା ସନି ଦେଓଲ ଏବେ ବିଜେପିରେ ଯୋଗ ଦେଇ ପଦ୍ମ ଧରିଛନ୍ତି  । ତାଙ୍କର ବିଜେପିରେ ଯୋଗ ଦେବାରୁ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଛି  । ପଞ୍ଜାବର ଗୁରୁଦାସପୁର ଲୋକସଭା ସିଟ୍ରେ ସନି ଦେଓଲଙ୍କୁ ବିଜେପି ପ୍ରାର୍ଥୀ କରିଛି  । ତେବେ ବିଜେପିରେ ଯୋଗଦେବା ପରେ ଏକ ରୋଡ୍ ସୋ’ରେ ସନ୍ନି ଦେଓଲ ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ‘ଗଦ୍ଦର’ରେ କହିଥିବା ‘ହିନ୍ଦୁସ୍ତାନ ଜିନ୍ଦାବାଦ ଥା, ହୈ ଔର ରହେଗା’ କହିଥିଲେ ଯାହା ଅତ୍ୟନ୍ତ ଭାବନାତ୍ମକ ଥିଲା  । ପରେ ଏହା ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା  । ବିଜେପିରେ ଯୋଗ ଦେବା ପରେ ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୋନି ଦେଓଲ ସାକ୍ଷାତ କରିଥିଲେ  । ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ସହିତ କରମର୍ଦ୍ଦନ କରି କହିଥିଲେ ଯେ, ରୂପେଲି ପରଦାରେ ଆପଣ ଲୋକଙ୍କ ଭିତରେ ଯେଭଳି ଅଭିନୟ ମାଧ୍ୟମରେ ଦେଶାତ୍ମବୋଧର ଭାବନାକୁ ଉଦ୍ରେକ କରିଥାନ୍ତି ତାହାକୁ ମୁଁ ବି ପସନ୍ଦ କରିଥାଏ  । ତେବେ ସନି ଦେଓଲଙ୍କ ସବୁଠାରୁ ଭଲ ଗୁଣ ଯାହା ମୋତେ ଅଧିକ ପସନ୍ଦ ଆସିଛି ତା’ହେଉଛି ତାଙ୍କର ଦେଶ ପାଇଁ କିଛି କରିବାର ଅଦମ୍ୟ ଉତ୍ସାହ  । ମୁଁ ତାଙ୍କ ସହିତ ଭେଟ କରି ଆନନ୍ଦିତ ହେଲି ଏବଂ ଗୁରୁଦାସପୁର ଲୋକସଭା ସିଟ୍ରେ ସେ ଦଳକୁ ବିଜୟୀ କରାଇପାରିବେ ବୋଲି ମୋର ବିଶ୍ୱାସ ରହିଛି  । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ମୋର ଓ ସନିଙ୍କ ମଧ୍ୟରେ ଏହି ଗୋଟିଏ କଥା ‘ହନ୍ଦୁସ୍ତାନ କଲ୍ ଭି ଜିନ୍ଦାବାଦ ଥା, ଆଜ ହୈ ଓ ରହେଗା’ ସର୍ବଦା ସମାନ ହୋଇ ରହିବ  । ସେ ଆହୁରି କହିଥିଲେ ଯେ, ମୋର ଓ ସନି ଦେଓଲଙ୍କ ମଧ୍ୟରେ ଗୋଟିଏ ସାମଞ୍ଜସ୍ୟ ରହିଛି ତାହା ହେଉଛି ଆମେ ଉଭୟ ସର୍ବଦା ଦେଶ ପାଇଁ ଚିନ୍ତା କରୁ ଏବଂ ଆମ ଉଭୟଙ୍କ ମଧ୍ୟରେ ଦେଶଭକ୍ତିର ଜୋଶ ଭରି ହୋଇ ରହିଛି  ।
 

Comments