
ମୁମ୍ବାଇ,୨୫/୪: କଳା କୌଣସି ବ୍ୟକ୍ତିର ନୁହେଁ, ଏହା ଦେଶ ସେବାର ଏକ ମାଧ୍ୟମ ଅଟେ । ନିଜର ପ୍ରଗତି ପାଇଁ ଦେଶରେ ଅନ୍ୟ କାହାର ଯେପରି କ୍ଷତି ନହେଉ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । କେବଳ ଗୁଣବାନ ହେଲେ ଚଳିବ ନାହିଁ । ନିଜର ସେହି ଗୁଣ ଆଧାରରେ କର୍ତ୍ତବ୍ୟ ଦ୍ୱାରା ଦେଶରେ କିପରି ଭଲ କାମ ହୋଇ ପାରିବ ସେଥିପାଇଁ ସମସ୍ତେ ପ୍ରଜତ୍ମଶୀଳ ରହିବା ଆବଶ୍ୟକ । କଳା ମାଧ୍ୟମରେ ଯାହା ଅଭବ୍ୟକ୍ତ ହେଉଛି ତାହା ସିଧା ହୃଦୟରୁ ବାହାରି ଥାଏ ଏବଂ ଅଧିକ ପରିଣାମକାରକ ହୋଇଥାଏ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମ ପୂଜନୀୟ ସରସଂଘଚାଳକ ମାନନୀୟ ଡ.ମୋହନ ଭାଗବତ ଏହା ପ୍ରକାଶ କରିଛନ୍ତି ।
ସରସଂଘଚାଳକ ମୁମ୍ବାଇରେ ମାଷ୍ଟର ଦୀନାନାଥ ସ୍ମୃତି ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ବିଷୟ ପ୍ରକାଶ କରିବା ସହିତ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ବଳିଦାନୀ ସୈନିକଙ୍କ ବିଷୟରେ ପ୍ରକାଶ କରି କହିଲେ ଯେ, ସୀମାନ୍ତରେ ଆମର ବୀର ସୈନିକମାନେ ସାହସର ସହିତ ଛିଡା ହୋଇଛନ୍ତି । ଯେଉଁଥି ପାଇଁକି ଆମେ ଅଚିନ୍ତାରେ ନିର୍ଭୟରେ ନିଜର ସମୟ ବିତାଇ ପାରୁଛୁ, ଆନନ୍ଦରେ ଶ୍ୱାସ ନେଇ ପାରୁଛୁ । ବିପତ୍ତି ଏବଂ ସଂକଟ ସମୟରେ ସୈନିକମାନେ ନିଜର ପ୍ରାଣକୁ ଅର୍ପଣ କରି ଦେଉଛନ୍ତି ।
ଭଗବାନ ଶ୍ରୀକୃଷ୍ଣ ମୁକ୍ତି କିପରି ମିଳେ ତାହାର ଉତ୍ତରରେ ଭଗବତ୍ ଗୀତାରେ କହିଛନ୍ତି ଯେ,-ସନ୍ୟାସୀ ଏବଂ ସୀମାରେ ନିଜର ପ୍ରାଣକୁ ବଳିଦାନ ଦେଉଥିବା ସୈନିକମାନଙ୍କୁ ମୁକ୍ତି ମିଳିଥାଏ । ଯୁଦ୍ଧ କ୍ଷେତ୍ରରେ ବଳିଦାନ ଦେଇଥିବା ସୈନିକମାନଙ୍କର ଇଶ୍ୱର ପ୍ରାପ୍ତି ହେବା ସହିତ ସ୍ୱର୍ଗ ପ୍ରାପ୍ତି ହୋଇଥାନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ।
ଦିନାନାଥ ମଙ୍ଗେସକରଙ୍କ ବିଷୟରେ ଉଲ୍ଲେଖ କରି ଡ.ଭାଗବତ କହିଲେ ଯେ, ଇଶ୍ୱର ଦୀନାନାଥଙ୍କୁ କଳା କ୍ଷେତ୍ର ପାଇଁ ପଠାଇଥିଲେ । ଭଗବାନ ଯାହା ଦେଇଥିଲେ ସେ ତାହାକୁ ଦେଶହିତ ପାଇଁ ଉପଯୋଗ କରିଥିଲେ । ତାଙ୍କର ନାଟକରେ ଦେଶଭକ୍ତି ଏବଂ ଦେଶ ସେବା ଦୃଶ୍ୟମାନ ହୋଇଥାଏ । ସଂଗୀତ କଳାମାଧ୍ୟମରେ ସେ ସମାଜରେ ବୀର ରସର ପ୍ରବାହିତ କରିଥିଲେ । ମାନନୀୟ ଦୀନାନାଥଜୀଙ୍କ ପରମ୍ପରାକୁ ମଙ୍ଗେସଙ୍କର ପରିବାର ଜୀବନ୍ତ ରଖିଛନ୍ତି ।
ସଙ୍ଗୀତ, ନାଟକ, ଚିତ୍ରପଟ, ସାହିତ୍ୟ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ମଙ୍ଗେସକର ପରିବାର ତରଫରୁ ମାଷ୍ଟର ଦୀନାନାଥ ମଙ୍ଗେସକର ସ୍ମୃତି ପୁରସ୍କାର ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ବାବା ସାହେବ ପୁରନ୍ଦର ମଧ୍ୟ ଉପସ୍ଥିତ ଥିଲେ । ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମା ଦେଇ ସରସଂଘଚାଳକ ସମସ୍ତଙ୍କୁ ସମ୍ମାନୀତ କରିଥିଲେ । ସିଆରପିଏଫ୍ ଡି.ଜି ପୁରସ୍କାର ପ୍ରଦାନ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ।
ଲତା ମଙ୍ଗେସକର ଅସୁସ୍ଥତା ଯୋଗୁଁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନଥିଲେ ତେଣୁ ତାଙ୍କ ଭଉଣୀ ଉଷା ମଙ୍ଗେସକର ପୁଲୱାମାରେ ସହୀଦ ହୋଇଥିବା ବୀର ଜବାନମାନଙ୍କ ପାଇଁ ଏକ କୋଟି ଟଙ୍କା ସିଆରପିଏଫ୍ ଡିଜିଙ୍କୁ ଅର୍ପଣ କରିଥିଲେ ଏବଂ ଅନ୍ୟକଳାକାରମାନେ ମଧ୍ୟ ୧୮ ଲକ୍ଷ ଟଙ୍କା ଅର୍ପଣ କରିଥିଲେ ।
ଡିଜି ବିଜୟ କୁମାର କହିଲେ ଯେ, ପୁଲୱାମା ଘଟଣାପରେ ଭାରତର ବୀର -ଆପ୍ ଏବଂ ୱେବସାଇଟ୍ ମାଧ୍ୟମରେ ୨୨୫ କୋଟି ଟଙ୍କା ସହଯୋଗ ନୀଧି ମିଳିଛି ।
Comments
Post a Comment