ନୂଆଦିଲ୍ଲୀ, ୨୫/୪ : ପୁଲୱାମାରେ ଗତ ଫେବୃୟାରୀ ୧୪ ତାରିଖରେ ଆତ୍ମଘାତୀ ଆତଙ୍କୀ ହମ୍ଲା କରି ସିଆରପିଏଫ୍ର ୪୦ ଜଣ ଜୱାନଙ୍କୁ ହତ୍ୟା କରିଥିବା ପାକ୍ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈସଇ-ମହମ୍ମଦ (ଜେଇଏମ୍) ପୁଣି ଥରେ ଦେଶରେ ରକ୍ତର ହୋଲି ଖେଳିବାକୁ ଚାହୁଁଛି । ବିଶେଷ କରି ବର୍ତ୍ତମାନ ଆସନ୍ତା ମଇ ମାସ ସୁଦ୍ଧା ଅନୁଷ୍ଠିତ ହବାକୁ ଲୋକସଭା ନିର୍ବାଚନକୁ ଭଣ୍ଡୁର କରିବା ଲାଗି ଆତଙ୍କୀ ସଂଗଠନ ଜେଇଏମ୍ ମସୁଧା ଚଳାଇଛି । ଏହି ମର୍ମରେ ସେ ଭାରତୀୟ ରାଜନୀତିରେ ସ୍ୱତନ୍ତ୍ର ସ୍ଥାନ ରଖୁଥିବା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ସରସଞ୍ଚାଳକ ମୋହନ ଭାଗୱତଙ୍କ ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଯୋଜନା କରୁଛି ବୋଲି ଗୁଇନ୍ଦା ବିଭାଗ ସର୍ତକ ସୂଚନା ଜାରି କରିଛି । ଏହି ସନ୍ଦର୍ଭରେ ଉତ୍ତର ପ୍ରଦେଶର ଶାମଲୀ ଏବଂ ଉତ୍ତରାଖଣ୍ଡର ରୁରକୀ ରେଳବାଇ ଷ୍ଟେସନରେ ୨ଟି ପୃଥକ୍ ପୃଥକ୍ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଗୁଇନ୍ଦା ବିଭାଗ ଆହୁର ସର୍ତକ ହୋଇଯାଇଛି ଏବଂ ଏ ସଂକ୍ରାନ୍ତରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ମଧ୍ୟ ସୂଚନା ଦେଇସାରଛି । ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆର୍ଏସ୍ଏସ୍ ସରସଞ୍ଚାଳକ ମୋହନ ଭାଗୱତ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।
Comments
Post a Comment