ଶ୍ରୀନଗର, ୨୪/୪ : ଜମ୍ମୁ-କାଶ୍ମୀରରେ ଏବେ ମତଦାନ ହେଉଥିବାରୁ ଏହାକୁ ଭଣ୍ଡୁର କରିବା ପାଇଁ ଓ ଏଠାରେ ଏକ ବିରାଟ ଧରଣର ବିସ୍ଫୋରଣ କରିବା ଲାଗି ପାକିସ୍ତାନ ବରାବର ଅପଚେଷ୍ଟା କରି ଆସୁଛି । ଏହି ମର୍ମରେ ଘାଟିରେ ସକ୍ରିୟ ଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀ ମୋହମ୍ମଦ ୱକାରକୁ ସୁରକ୍ଷାକର୍ମୀମାନେ ଗିରଫ କରିଛନ୍ତି । ସେ ପାକିସ୍ତାନର ପଞ୍ଜାବ ପ୍ରଦେଶର ମିୟାବଲୀର ବାସିନ୍ଦା ଅଟେ । ସେ ଗତ ୨୦୧୭ ଜୁଲାଇରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଭାରତରେ ଅନୁପ୍ରବେଶ କରିଥିଲା । ସେ ବାରାମୁଲ୍ଲାରେ ସୁରକ୍ଷାକର୍ମୀ ଓ ସେନା ପକ୍ଷରୁ ଚଳାଯାଇଥିବା ଅପରେସନ୍ ‘ଅଲ୍ଆଉଟ୍’ ହେତୁ ଶିଥିଳ ହୋଇପଡ଼ିଥିବା ଆତଭ୍କବାଦୀ କାର୍ଯ୍ୟକଳାପକୁ ପୁଣି ଥରେ ସକ୍ରିୟ କରିବାକୁ ଉଦ୍ୟମ ଚଳାଇଥିଲା । ସୂଚନା ପାଇ ତାକୁ ଶ୍ରୀନଗରରୁ ଜମ୍ମୁ-କାଶ୍ମୀର ପୁଲିସ ଗିରଫ କରି ପଚରାଉଚୁରା ଜାରି ରଖିଛି । ସେପଟେ ୧୫ କର୍ପସର କମାଣ୍ଡିଂ ଜେନେରାଲ୍ ଅଫିସର କେ.ଜେ.ଏସ୍. ଢିଲୋଁଙ୍କ କହିବା ମୁତାବକ, ଘାଟିରୁ ଆତଙ୍କବାଦର ମୂଳୋତ୍ପାଟନ ଲାଗି ଆରମ୍ଭକରାଯାଇଥିବା ଅଭିଯାନ ‘ଅପରେସନ୍ ଅଲ୍ଆଉଟ୍’କୁ ଆହୁରି ଜୋରଦାର କରାଯାଇଛି । ଏଥିଯୋଗୁଁ ଚଳିତ ବର୍ଷ ଏଯାବତ୍ ପ୍ରାୟ ୬୯ ଜଣ ଆତଙ୍କବାଦୀ ନିପାତ ହୋଇସାରିଲେଣି । ପୁଲୱାମା ଆକ୍ରମଣ ପରେ ୪୧ ଜଣ ଆତଙ୍କବାଦୀ ଏନ୍କାଉଣ୍ଟରରେ ନିହତ ହୋଇସାରିଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ୨୫ ଜଣ ଜୈସ-ଇ-ମହମ୍ମଦର ସଦସ୍ୟ ଥିଲାବେଳେ ସେଥିମଧ୍ୟରୁ ୧୩ ଜଣ ପାକିସ୍ତାନୀ ଥିବା ସେନା ସୂତ୍ରରୁ ପ୍ରକାଶ ।
Comments
Post a Comment