ଖପ୍ରାଖୋଲ ବ୍ଲକର ଖୁରିପାଣି ଗ୍ରାମରେ ମାଓବାଦୀଙ୍କ ହତ୍ୟାକାଣ୍ଡ


ବଲାଙ୍ଗୀର, ୨୯/୪  : ପୋଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ନକ୍ସଲ  । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଖୁରିପାଣି ଗ୍ରାମରେ ଘଟିଛି ଏହି ଘଟଣା  । ମୃତ ବ୍ୟକ୍ତିଙ୍କ ନାମ ତ୍ରିଲୋଚନ ତରିଆ (୪୫)  ।ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ ଟା ବେଳେ ୨୦ରୁ ୨୫ ଜଣ ସଶସ୍ତ୍ର ମାଓବାଦୀ ଗ୍ରାମକୁ ଆସିଥିଲେ  । ସେମାନେ ତ୍ରିଲୋଚନଙ୍କୁ ଘରୁ ଡାକି ନେଇଥିଲେ  । ଗାଁ ମଝିରେ ତାଙ୍କ ହାତ ବାନ୍ଧି ନିସ୍ତୁକ ମାଡ ମାରିବା ସହ ସେଠାରେ ଗୁଳି କରି ହତ୍ୟା କରିଥିଲେ  । ମୃତଦେହ ନିକଟରେ ମାଓବାଦୀ ମାନେ ଏକ ହାତ ଲେଖା ଚିଠି ଛାଡି ଯାଇଥିଲେ  । ଯେଉଁଥିରେ ତ୍ରିଲୋଚନ ପୋଲିସ ଇନଫର୍ମର ଭାବେ କାମ କରୁଥିବାରୁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ଉଲ୍ଲେଖ ରହିଛି  । ଏଥିରେ ଗ୍ରାମର ଅନ୍ୟ କିଛି ଲୋକଙ୍କ ନାମ ମଧ୍ୟ ଲେଖାଯାଇଥିଲା  । ସେମାନଙ୍କୁ ସୁଧିରୁଯିବା ପାଇଁ ଏହି ଚିଠି ମାଧ୍ୟମରେ ନକ୍ସଲ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି  । ସୂଚନାଯୋଗ୍ୟ ଯେ, ଗତକାଲି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଲେରପଙ୍ଗା ଗ୍ରାମରେ ନକ୍ସଲ ମାନେ କୈଳାସ ଦିଗଲ ନାମକ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଥିଲେ  । ଚଳିତ ନିର୍ବାଚନ ସମୟରେ ନକ୍ସଲ ମାନେ ରାଜ୍ୟରେ ଏହି ଦୁଇ ଜଣଙ୍କୁ ମିଶାଇ ମୋଟ୍ ତିନି ଜଣଙ୍କୁ ହତ୍ୟା କଲେଣି  । ଅନ୍ୟ ଏକ ଘଟଣା କ୍ରମେ ଏପ୍ରିଲ୍ ୧୭ ତାରିଖରେ କନ୍ଧମାଳ ଜିଲ୍ଲାରେ ନକ୍ସଲ ମାନେ ସଂଯୁକ୍ତା ଦିଗଲ ନାମକ ଜଣେ ପୋଲିଂ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ  । ସେ ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ନକ୍ସଲ ମାନେ ତାଙ୍କୁ ହତ୍ୟା କରିଥିଲେ  । ଏପରିକି ସେହିଦିନ ନକ୍ସଲ ମାନେ କନ୍ଧମାଳ ଜିଲ୍ଲାରେ ପୋଲିଂ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ଗାଡିକୁ ମଧ୍ୟ ପୋଡି ଦେଇଥିଲେ  ।

Comments