ଶ୍ରୀଲଙ୍କାରେ ସିରିଅଲ୍ ବୋମା ବିସ୍ଫୋରଣ ପୂର୍ବରୁ ଭାରତୀୟ ଗୁଇନ୍ଦା ଅଧିକାରୀ ଦେଇଥିଲେ ସୂଚନା


କଲମ୍ବୋ, ୨୪/୪  : ଇଷ୍ଟର ରବିବାର ଅବସରରେ ଗତ ରବିବାର ଶ୍ରୀଲଙ୍କାର ବିଭିନ୍ନ ଚର୍ଚ୍ଚରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ପ୍ରାର୍ଥନା ପାଇଁ ଉପସ୍ଥିତ ଥିବା ସମୟରେ ଇସ୍ଲମୀୟ ମୌଳବାଦୀ ସଂଗଠନ ଇସଲାମିକ ସଂଗଠନ ନ୍ୟାସନାଲ ତୌହାଦୀ ଜମାତ ଦ୍ୱାରା ଏହି ଚର୍ଚ୍ଚଗୁଡ଼ିକୁ ଟାର୍ଗେଟ କରାଯାଇ ସିରିଅଲ ବୋମା ବିସ୍ଫୋରଣ କରାଯାଇଥିଲା  । ଫଳରେ ଘଟଣାଦିନ ୨୦୯ ଜଣ ପ୍ରାଣ ହରାଇଥିଲାବେଳେ ଏବେ ଏହା ୩୫୯କୁ ବୃଦ୍ଧି ପାଇଛି  । ତେବେ ଇସଲାମୀୟ ମୌଳବାଦୀ ସଂଗଠନ ପକ୍ଷରୁ ଏଭଳି ଆତ୍ମଘାତୀ ଆତଙ୍କୀ ହମ୍ଲା ହୋଇପାରେ ବୋଲି ଗତ ଅପ୍ରେଲ ୪ ଓ ୨୦ ତାରିଖରେ ଭାରତୀୟ ଗୁଇନ୍ଦା ସଂସ୍ଥା ଶ୍ରୀଲଙ୍କା ପ୍ରତିରକ୍ଷା ବିଭାଗକୁ ସର୍ତକ କରାଇ ଦେଇଥିଲା ବୋଲି ଜନୈକ ଭାରତୀୟ ଗୁଇନ୍ଦା ବିଭାଗର ପଦାଧିକାରୀ କହିଛନ୍ତି  । ମାତ୍ର ଶ୍ରୀଲଙ୍କା ସରକାର ଏହାକୁ ହାଲୁକା ଭାବେ ଗ୍ରହଣ କରି କୌଣସି ପ୍ରତିଷେଧକ ପଦକ୍ଷେପ ନେଇନଥିଲା  । ଫଳରେ ଗତ ୨୧ ତାରିଖ ରବିବାର ଦିନ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଥିବା ୩ଟି ଚର୍ଚ୍ଚ ଓ ୨ଟି ବିଳାସମୟ ହୋଟେଲ୍ରେ ଆତଙ୍କୀ ହମ୍ଲା ହୋଇଥିଲା ଏବଂ ଏଥିରେ ଏଯାବତ୍ ୩୫୯ ଜଣ ମୃତ୍ୟୁବରଣ କରିଥିଲାବେଳେ ପ୍ରାୟ ୫ଶହରୁ ଅଧିକ ଆହତ ହୋଇଛନ୍ତି  । ଏହି ମର୍ମରେ ଶ୍ରୀଲଙ୍କା ପୁଲିସ ବ୍ୟାପକ ଖାନ୍ତଲାସୀ ଜାରି ରଖି ୫୦ରୁ ଊଦ୍ଧ୍ୱର୍ ଲୋକଙ୍କୁ ଗିରଫ କରି ପଚରାଉଚୁରା ଜାରି ରଖିଛି  । ସେପଟେ ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ଆତଙ୍କୀ ସଂଗଠନ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍)ନିଜକୁ ଦାୟୀ କରିଛି  ।ଖାଲି ସେତିକି ନୁହେଁ ଏହା ତା’ର ପ୍ରଚାର ସମ୍ବାଦ ସମିତି ‘ଅମାକ’ ଜରିଆରେ ଏଥିରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କ ନାମ ଓ କରାଯାଇଥିବା ଆକ୍ରମଣର ସ୍ଥାନକୁ ମଧ୍ୟ ପ୍ରଚାରିତ କରିଛି ଏବଂ ଏହି ଆକ୍ରମଣରେ ପ୍ରାୟ ୧ ହଜାରରୁ ଅଧିକ ଲୋକ ହତାହତ ହୋଇଥିବା କୁହାଯାଇଛି । ତେବେ ଏହି ଘଟଣା ପରେ ସମଗ୍ର ଶ୍ରୀଲଙ୍କାରେ ହାଇ ଆଲର୍ଟ ଜାରି କରାଯାଇଛି  । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ଓ ପୁଲିସ ପକ୍ଷରୁ ଚଢ଼ାଉ ମଧ୍ୟ ଜାରି ରହି ଘଟଣା ସହିତ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଖୋଜାଚାଲିଛି  । ମାତ୍ର ଏବେ ବି ସଙ୍କଟ ଟଳିନାହିଁ  । ବୁଧବାର ସକାଳେ କଲମ୍ବୋର ଏକ ସିନେମାଘର ନିକଟରେ ଗୋଟିଏ ସନ୍ଦିଗ୍ଧ ମୋଟରସାଇକେଲ ଥୁଆ ହୋଇଥିଲା  । କିନ୍ତୁ ଏହାର ଚାଳକ ସେହି ସମୟରେ ମୋଟରସାଇକେଲ୍ ନିକଟରେ ନଥିଲେ  । ଏଣୁ ଏଥିରେ ବିସ୍ଫୋରକ ସାମଗ୍ରୀ ଥିବାର ଆଶଙ୍କା କରି ଶ୍ରୀଲଙ୍କା ପୁଲିସ ଏହାକୁ ରିମୋଟ ଦ୍ୱାରା ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା  । ସିରିଅଲ୍ ବୋମା ବିସ୍ଫୋରଣ ପରେ ସୁରକ୍ଷା ଦୃଷ୍ଟିରୁ କୌଣସି ବାଇକ୍ ଚାଳକ ଜନସାଧାରଣ ସ୍ଥାନରେ ବାଇକ୍କୁ ଛିଡ଼ା କରାଇ ବହୁ ସମୟ ପର୍ଯ୍ୟନ୍ତ ରଖିପାରିବେ ନାହିଁ ବୋଲି ଶ୍ରୀଲଙ୍କା ପୁଲିସ ନିର୍ଦ୍ଦେଶ ଜାରି କରିଛି  । ଏଥିସହିତ ଯଦି କୌଣସି କାମରେ ବାଇକ୍ ଚାଳକଙ୍କୁ ବାଇକ୍ ଛାଡ଼ି ଯିବାକୁ ପଡ଼େ ତା’ହେଲେ ସେ ତାଙ୍କର ମୋବାଇଲ ନମ୍ବରକୁ କୌଣସି କାଗଜରେ ଲେଖି ବାଇକ୍ରେ ଲଗାଇ ଯିବାକୁ କୁହାଯାଇଛି  । ଅନ୍ୟଥା ଉକ୍ତ ବାଇକ୍ ବା ୨ ଚକିଆ ଯାନ ଆତଙ୍କବାଦୀମାନେ ବ୍ୟବହାର କରିଥାଇପାରନ୍ତି ବୋଲି ସନ୍ଦେହ କରି ତାକୁ ପୁଲିସ ନଷ୍ଟ କରିଦେବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି  । ତେଣେ ଶ୍ରୀଲଙ୍କାରେ ରବିବାର ହୋଇଥିବା ୮ଟି ସିରିଅଲ୍ ବୋମା ବିସ୍ଫୋରଣ ପରେ ସୁରକ୍ଷାବାହିନୀର ଉଚ୍ଚ ପଦାଧିକାରୀଙ୍କ ସ୍ତରରେ ଅଦଳବଦଳ କରିବାକୁ ରାଷ୍ଟ୍ରପତି ମୈତ୍ରପାଳ ସିରିସେନା କହିଛନ୍ତି  । ବିଶେଷ କରି ଏହି ଆତ୍ମଘାତୀ ଆକ୍ରମଣ ପୂବରୁ ଏ ସଂକ୍ରାନ୍ତରେ ସୂଚନା ମିଳିସାରିଥିଲେ ହେଁ ଏହାକୁ ରୋକିବାରେ ସୁରକ୍ଷାବାହିନୀ ଅସଫଳ ହେବାରୁ ସେ ଏଭଳି ପଦକ୍ଷେପ ନେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି  ।

Comments