ବାତ୍ୟା ଅଂଚଳରେ ପୀଡିତଙ୍କ ସହାୟତା ପାଇଁ ୟୁବିଏସ୍ ଏସ୍ ର ୧୪ଟି ଚିକିତ୍ସକ ଦଳ


ଭୁବନେଶ୍ୱର,୧୨/୫ :  ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳରେ  ସ୍ୱାସ୍ଥ୍ୟସେବା  ଏକାନ୍ତ ଆବଶ୍ୟକ । ବାତ୍ୟା ପରେ ଯେପରି ବିଭିନ୍ନ ମହାମାରୀ ନବ୍ୟାପୁ ସେଥିପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସଂଯୋଜନାରେ ରାଷ୍ଟ୍ରୀୟ ସେବାଭାରତୀ ସହଯୋଗରେ ଓ ଉକ୍ରଳ ବିପନ୍ନ ସହାୟତା ସମିତି ଦ୍ୱାରା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ୟୁବିଏସ୍ଏସ୍ ତରଫରୁ ୧୪ଟି ଡାକ୍ତରୀ ଦଳ ବିଭିନ୍ନ ଅଂଚଳକୁ ପଠାଯାଇଛି ।  ପ୍ରତ୍ୟେକ ଟିମ୍ରେ ଗୋଟିଏ ଆମ୍ବୁଲାନ୍ସ, ଜଣେ ଡାକ୍ତର, ବିଭିନ୍ନ ପ୍ରକାର ନମୁନା ପରୀକ୍ଷା କରିବା ପାଇଁ ଆବଶ୍ୟକୀୟ ଜନ୍ତ୍ରପାତି ସହ ଜଣେ ଲାବରଟେରିଆନ, ଜଣେ ନର୍ସ, ଜଣେ କଂପାଉଣ୍ଡରଙ୍କ ସହିତ ସ୍ଥାନୀୟ ଅଂଚଳର ସ୍ୱୟଂସେବକମାନେ ସାମିଲ ହୋଇଛନ୍ତି । 

ଏହି ଟିମ୍ ସମ୍ବେଦନଶୀଳ ଅଂଚଳ ଗୁଡିକ ଗସ୍ତ କରି ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ଯୋଗାଇ ଦେଉଛନ୍ତି । ଏଥି ସହିତ ବିଭିନ୍ନ ଅଂଚଳର ପିଇବା ପାଣିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ନମୂନା ସଂଗ୍ରହ କରି ପରୀକ୍ଷା ମଧ୍ୟ କରାଯାଉଛି । ସଂଘର ସ୍ୱୟଂସେବକମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି । ବାତ୍ୟା ଅଂଚଳରେ ସେବା କାମ ସହିତ  ରନ୍ଧାଖାଦ୍ୟ,  ଶୁଖିଲା ଖାଦ୍ୟ,  ଦିଆସିଲି, ଚୁଡା,ଗୁଡ, ବୋତଲ ,ପାଉଚ ପାଣି,  ବିସ୍କୁଟ, ଶାଢୀ, ମହମବତୀ,ତାରପୋଲିନ ଓ ପଲିଥିନ୍ ବଂଟନ କରାଯାଇଛି ।

ସ୍ୱୟଂସେବକମାନଙ୍କ ଦ୍ୱାରା ପୁରୀ ଜିଲ୍ଲାରର ଘୋଡାବଜାର,ବ୍ରହ୍ମଗିରି, ବଳଙ୍ଗା, କୋଣାର୍କ, ଖେଲାର, କଣାସ, ଦାଣ୍ଡମୁକୁନ୍ଦପରୁ, ନିମାପଡା,ବାଲିପାଟଣା, ଖୋର୍ଦ୍ଧା ଜିଲ୍ଲାର  ସୋରଣ, ଜଟଣୀ, ଭୁବନେଶ୍ୱରର ୟୁନିଟ-୩, କଟକ ଜିଲ୍ଲାର ମହାନଦୀ ବିହାର ଓ ଓଲଟପୁର ଠାରେ ସହାୟତା କେନ୍ଦ୍ର କାର୍ଯ୍ୟ କରୁଅଛି । ମୁଖ୍ୟ କେନ୍ଦ୍ର ଉକ୍ରଳ ବିପନ୍ନ ସହାୟତା ସମିତିକୁ ବିଭିନ୍ନ ଅଂଚଳରୁ ଆସୁଥିବା ସାହାର୍ଯ୍ୟ ଗୁଡିକ ଉପରୋକ୍ତ କେନ୍ଦ୍ରମାନଙ୍କରେ ପହଂଚାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । 
ୟୁବିଏସ୍ଏସ୍ ତରଫରୁ କଟକ ଜିଲ୍ଲାର ଓଲଟପୁର ସେବାକେନ୍ଦ୍ର ଦ୍ୱାରା ୨୧ଟି ଗ୍ରାମର ୧୦,୦୫୦ ବାତ୍ୟାକ୍ଷତି ଗ୍ରସ୍ତ ଲୋକ ଉପକୃତ ହୋଇଛନ୍ତି । ଏହି କେନ୍ଦ୍ରରେ ୧୫୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରାଯାଇଛି ।  ସେହିପରି କଟକ ମହାନଦୀ ବିହାର ଠାରେ ଚାଲୁଥିବା ସେବା କେନ୍ଦ୍ର ଦ୍ୱାରା ୩୦ଟି ବସ୍ତି ଓ ୨୫ଟି ଗ୍ରାମର ପ୍ରାୟ ୨୨ ହଜାର ଲୋକଙ୍କୁ ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଯାଇଛି ।  ଏହି ସେବାକାମରେ ୨୮୯ ଜଣ ସ୍ୱୟଂସେବକ  ସାମିଲ ହୋଇଛନ୍ତି ।  ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରର ୟୁନିଟ-୩ ରେ ଚାଲୁଥିବା ସହାୟତା କେନ୍ଦ୍ର ଦ୍ୱାରା ୩୦୦ ସ୍ୱୟଂସେବକଙ୍କ ମାଧ୍ୟମରେ ୬୦ଟି ବସ୍ତିରେ ୧୫୧୬୬ ଜଣ ଲୋକ ଉପକୃତ ହୋଇଛନ୍ତି । ବାଲିପାଟଣା କେନ୍ଦ୍ର ଦ୍ୱାରା ଆଜିସୁଦ୍ଧା ୧୨ଟି ଗ୍ରାମରେ ୧୧,୩୦୮ ବ୍ୟକ୍ତି ଉପକୃତ ହୋଇଛନ୍ତି । ୧୭୭ ଜଣ ସ୍ୱୟଂସେବକ ଏହି ସେବାକାମରେ ଲାଗିଛନ୍ତି । ଜଟଣୀ ସହାୟତା କେନ୍ଦ୍ର ଦ୍ୱାରା ୧୨ଟି ବସ୍ତି, ଗ୍ରାମର ୪୨୦୦ କ୍ଷତି ଗ୍ରସ୍ତ ଉପକୃତ ହୋଇଛନ୍ତି । ଏଥିରେ ୫୦୦ ଜଣ ସ୍ୱୟଂସେବକ ସେବା କାମରେ ନିୟୋଜିତ ହୋଇଛନ୍ତି ।  ପୁରୀ କେନ୍ଦ୍ର ଦ୍ୱାରା ୨୫ଟି ଗ୍ରାମ ଓ ୩୨ ଟି ବସ୍ତିରେ ୪୮,୫୯୦ ଜଣ ଉପକୃତ ହୋଇଛନ୍ତି ।  ପୁରୀର ୨୭୬ ଜଣ ସ୍ୱୟଂସେବକ ଏହି ସେବା କାମରେ ଲାଗିଛନ୍ତି । ଦାଣ୍ଡମୁକୁନ୍ଦପୁର କେନ୍ଦ୍ର ଦ୍ୱାରା ୯୫ଟି ଗ୍ରାମରେ ୧୭,୬୦୦ ଜଣ ଉପକୃତ ହୋଇଛନ୍ତି ।  ୧୦୦ ଜଣ ସ୍ୱୟଂସେବକ ଏହି କାର୍ଯ୍ୟରେ ଲାଗିଛନ୍ତି । ବ୍ରହ୍ମଗିରି କେନ୍ଦ୍ର ଦ୍ୱାରା ୨୯ଟି ଗ୍ରାମରେ ୯୯୧୮ ଜଣ ଉପକୃତ ହୋଇଛନ୍ତି । ୧୩୮ ଜଣ ସ୍ୱୟଂସେବକ ଏହି କାର୍ଯ୍ୟରେ ଲାଗିଛନ୍ତି । ନିମାପଡା କେନ୍ଦ୍ର ଦ୍ୱାରା ୨୦ଟି ଗ୍ରାମରେ ୪,୭୦୦ ଜଣ ଉପକୃତ ହୋଇଛନ୍ତି । ୧୨୫ ଜଣ ସ୍ୱୟଂସେବକ ଏହି କାର୍ଯ୍ୟରେ ଲାଗିଛନ୍ତି । ଏବେ ପ୍ରତ୍ୟେକ ଦିନ ସେବା କାମ ବଢିବାରେ ଲାଗିଛି ।
ଗୋଲଖ ଚନ୍ଦ୍ର ଦାସ

Comments