ବରିଷ୍ଠ ସାମ୍ବାଦିକ ସୁବ୍ରତ ଦାସ ପାଇଲେ ସପ୍ତଦଶ ନାରଦ ସମ୍ମାନ


ଭୁବନେଶ୍ୱର,୧୯/୫:ଉତ୍ତର ଅଶୀରେ ଯେଉଁ କେତେଜଣ ଓଡିଆ ଯୁବ ସାମ୍ବାଦିକ ରାଜ୍ୟର ସାମ୍ବାଦିକତାକୁ ପେଶା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ପାଇଁ ପ୍ରଚେଷ୍ଠା କରି ସଫଳ ହୋଇଥିଲେ ସେମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସୁବ୍ରତ ଦାସ ଅନ୍ୟତମ । ସେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ଉଚ୍ଚଶିକ୍ଷା ପରେ  ପଲ୍ଲୀର ଦୁଃଖ ଯନ୍ତ୍ରଣାକୁ ଗଣମାଧ୍ୟମରେ ସ୍ଥାନ ଦେବା ପାଇଁ ଅଧ୍ୟାପନାକୁ ନଯାଇ  ସାମ୍ବାଦିକତା କ୍ଷେତ୍ରକୁ  ପ୍ରାଧାନ୍ୟ ଦେଇଥିଲେ । ୧୯୮୪ ରୁ ୨୦୧୮ ପର୍ଯ୍ୟନ୍ତ ତାଙ୍କର ସେହି ଏକନିଷ୍ଠ ସାଧନା ଯୋଗୁଁ ରାଜ୍ୟରେ ଇଂରାଜୀ ସାମ୍ବାଦିକତାର ଧାରା ଆଜି ବେଶ୍ ବଳିଷ୍ଠ ହୋଇଛି । ସେ ସର୍ବ ଭାରତୀୟ ସ୍ତରରେ ସମ୍ବାଦପତ୍ର ପାଇଁ କାର୍ଯ୍ୟକରି ରାଜ୍ୟର ଚିତ୍ର ଓ ଚରିତ୍ରକୁ ବାହାରେ ପରିଚିତ କରାଇବାକୁ ସଫଳ ହୋଇଛନ୍ତି । ତେଣୁ ତାଙ୍କର ଜୀବନବ୍ୟାପୀ ସାଧନା, ଅଧ୍ୟବସାୟ ଓ ସାମ୍ବାଦିକତା କ୍ଷେତ୍ରକୁ ଅବଦାନ ନିମିତ୍ତ ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ତରଫରୁ  ୨୦୧୯ ବର୍ଷ  ନିମନ୍ତେ ମର୍ଯ୍ୟାଦାପୂର୍ଣ୍ଣ ନାରଦ  ସମ୍ମାନରେ ବିଭୂଷିତ କରଯାଇଛି ।

ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ସଂଗଠନର ସଭାପତି ଅଧ୍ୟାପକ ନିରଞ୍ଜନ ପାଢୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ‘ସପ୍ତଦଶ ନାରଦ ସମ୍ମାନ’ ଓ ନାରଦ ଜୟନ୍ତୀ ଉତ୍ସବ ଭୁବନେଶ୍ୱର ସ୍ଥିତ ଇଡିକଲ ଅଡିଟୋରିୟମରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ କାର୍ଯବାହ ଡ.ଅନୀଲ କୁମାର ମିଶ୍ର  ମୁଖ୍ୟବକ୍ତା ରୂପେ ଯୋଗଦେଇ ଶ୍ରୀ ଦାସଙ୍କୁ ‘ସପ୍ତଦଶ ନାରଦ ସମ୍ମାନ’ ପ୍ରଦାନ କରିଥିଲେ । ଶ୍ରୀ ଦାଶଙ୍କୁ ମାନପତ୍ର, ଉତ୍ତରୀୟ, ନାରିକେଳ ଓ ଦଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ତପେଶ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସଂପାଦକ ସୁମନ୍ତ କୁମାର ପଣ୍ଡା ବାର୍ଷିକ ବିବରଣୀ ପାଠ, ସହ ସଂପାଦକ ସବ୍ୟସାଚୀ ବେହେରା ଅତିଥି ପରିଚୟ କରିଥିବା ବେଳେ ଉପସଭାପତି ନିରଞ୍ଜନ ନାୟକ ମାନପତ୍ର ପାଠ କରିଥିଲେ । ୟୁନିଟ-୩ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ ।


ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କହିଥିଲେ ଯେ, ପୌରାଣିକ ଯୁଗରେ ନାରଦ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ସମସ୍ତଙ୍କ ଭାଷାକୁ ବୁଝି ପାରୁଥିଲେ । ଉତ୍ତମ ଓ ଗୁଣାତ୍ମକ ସାମ୍ବାଦିକତାର ଜନକ ଥିଲେ ନାରଦ, ଯାହା ସତ୍ୟ ଉପରେ ଆଧାରିତ ଥିଲା । ବର୍ତ୍ତମାନର ସାମ୍ବାଦିକ ତାଙ୍କ କାର୍ଯ୍ୟରୁ ଶିକ୍ଷା ଆହରଣ କରିବା ଆବଶ୍ୟକ ।


ବର୍ତ୍ତମାନର ସାମ୍ବାଦିକମାନେ ପ୍ରଭାବିତ ତଥା ପ୍ରଲୋଭିତ ନହୋଇ ମୂଲ୍ୟବୋଧ  ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଥିଲେ । ନାରଦଙ୍କ ସାମ୍ବାଦିକତା ସମାଜ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଥିଲା । ସେ ସବୁ ଯୁଗରେ କିଭଳି ସ୍ଥିତି ବଜାୟ ରଖିଛନ୍ତି ଏବଂ ସମସ୍ତ ଘଟଣାର କେନ୍ଦ୍ରରେ  ରହିଛନ୍ତି ବୋଲି ମହାମହିମ ରାଜ୍ୟପାଳ ମତପୋଷଣ କରିଥିଲେ ।

ମୁଖ୍ୟବକ୍ତା ଡ.ଅନିଲ କୁମାର ମିଶ୍ର ନାରଦଙ୍କ ପୌରାଣିକ ଚରିତ୍ର ଉପରେ ମତଦେବା ସହିତ ବେଦ, ଯୁଦ୍ଧ ସମ୍ପର୍କିତ ସମସ୍ତ ବିଷୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା ବୋଲି ମତ ପ୍ରକାଶ କରିଥିଲେ ।  ସେ କହିଲେ ଯେ, ଅନେକ ଲୋକଙ୍କ ଧାରଣା ନାରଦ ହେଉଛନ୍ତି ବିଷ୍ଣୁଙ୍କର ଭକ୍ତ । ତା ସହିତ ସେ ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ପାରନ୍ତି, ଭ୍ରମଣ କରି ପାରନ୍ତି ଓ ଅନେକ ଲୋକଙ୍କ ଭିତରେ ଝଗଡା କରି ପାରନ୍ତି । କିନ୍ତୁ ବିଶ୍ୱ ସମ୍ବାଦ କେନ୍ଦ୍ର ତାଙ୍କୁ ଏକ ମହତ୍ୱ ସ୍ଥାନ ଦେଇଛନ୍ତି । ଅନେକ ପ୍ରଶ୍ନ କରୁଛନ୍ତି ଯେ ନାରଦ କେଉଁ ଗଣ ମାଧ୍ୟମର ସାମ୍ବାଦିକ ଓ କେଉଁ କଲେଜରୁ ସାମ୍ବାଦିକତା ପାସ୍ କରିଛନ୍ତି । ତେଣୁ ଆମ ସମସ୍ତଙ୍କୁ ନରାଦଙ୍କ ବିଷୟରେ ଜାଣିବାକୁ ହେବ । ନାରଦ ହେଉଛନ୍ତି  ଜ୍ଞାନୀ । ବେଦ,ପୁରଣା ଓ ବିଭିନ୍ନ ଶାସ୍ତ୍ର ବିଷୟରେ ସେ ବିଜ୍ଞ । ସେ ନ୍ୟାୟ ଓ ନୀତିରେ ବିଜ୍ଞ ଥିଲେ । ବେଦର ଛଅଟି ଅଙ୍ଗ ବିଷୟ ତାଙ୍କୁ ଜଣା । ଧର୍ମ,ଅର୍ଥ, କାମ, ମୋକ୍ଷ ବିଷୟରେ ତାଙ୍କୁ ମଧ୍ୟ ଜଣା ।  ଯୁଦ୍ଧ ଶାସ୍ତ୍ର ବିଷୟରେ ମଧ୍ୟ ତାଙ୍କୁ ଜଣା । ମୋଟାମୋଟି ବିଷୟରେ କହିବାକୁ ଗଲେ ସେ ହେଉଛନ୍ତି ପ୍ରକାଣ୍ଡ ପଣ୍ଡିତ । ନାରଦ ଗୋଟିଏ ସ୍ଥାନରେ ସ୍ଥିର ନରହି ସବୁ ଆଡେ ବୁଲନ୍ତି । ପରସ୍ପରର ସମ୍ବାଦ ବିନିମୟ କରନ୍ତି । ସେ ଯେଉଁ ସମ୍ବାଦ ପରିବେଷଣ କରୁଥିଲା ତାହା ଥିଲା ଜନ ମଙ୍ଗଳକାରୀ । ଆଜି କିନ୍ତୁ ଟିଭି ହେଉ କି ଖବରକାଗଜ;ସେମାନେ ନିଜର ଟିଆରପି ପାଇଁ ବ୍ୟସ୍ତ । ସମ୍ବାଦ ପରିବେଷଣ ଅପେକ୍ଷା ବିଜ୍ଞାପନକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହା ସମାଜ ପାଇଁ ଶୁଭ ସଙ୍କେତ ନୁହେଁ । ସାମ୍ବାଦିକ ଏବଂ ଗଣମାଧ୍ୟମ ଅନୁଷ୍ଠାନ ସତ୍ୟ ତଥ୍ୟ ଓ ନିରପେକ୍ଷତା ଭିତ୍ତିରେ ସମ୍ବାଦ ପରିବେଷଣ କରିବା ଉଚିତ ବୋଲି ଡ. ମିଶ୍ର ପ୍ରକାଶ କରିଛନ୍ତି ।

ଗଣତାନ୍ତ୍ରିକ ଆଲୋଚନା ଓ ଗଣମାଧ୍ୟମରେ ସ୍ୱାଧିନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା,ଜନସାଧାରଣଙ୍କୁ ନିରପେକ୍ଷ,ମୁକ୍ତ ଓ ଦାୟିତ୍ୱ ସମ୍ପନ୍ନ ସଂବାଦ  ସଂସ୍ଥାର ଆବଶ୍ୟକତା ସଂପର୍କରେ ଅବଗତ କରାଇବା, ରାଷ୍ଟ୍ର ଓ ସଂସ୍କୃତିର ପ୍ରଗତି ପାଇଁ ଲେଖନୀ ଚାଳନା କରୁଥିବା ଗଣମାଧ୍ୟମର ବ୍ୟକ୍ତିତ୍ୱଙ୍କୁ ପ୍ରତିବର୍ଷ ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ଏହି ନାରଦ ଜୟନ୍ତୀରେ ରାଜ୍ୟ ସ୍ତରୀୟ ସାମ୍ବାଦିକ ପୁରସ୍କାର ନାରଦ ସମ୍ମାନ ପ୍ରଦାନ କରାଯାଇଥାଏ । ଦୀର୍ଘ ୧୭ବର୍ଷ ପୂର୍ବରୁ ବିଶ୍ୱ ସମ୍ବାଦ କେନ୍ଦ୍ର ତରଫରୁ ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନ କରାଯିବା ସହ ରାଜ୍ୟର ଜଣେ ବରିଷ୍ଠ ତଥା ବିଶିଷ୍ଟ ସାମ୍ବାଦିକଙ୍କୁ ରାଜ୍ୟସ୍ତରୀୟ ନାରଦ ସମ୍ମାନ ପ୍ରଦାନ କରାଯାଉଛି । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୁଣ କୁମାର ପଣ୍ଡା, ଭଗବାନ ନାୟକବର୍ମା,ରାଜାରାମ ଶତପଥି,ଗୋପାଳକୃଷ୍ଣ ମହାପାତ୍ର,ସ୍ୱର୍ଗତ ଗୋପାଳ ମିଶ୍ର,ସୁଧିର କୁମାର ଦାଶ, ସ୍ୱର୍ଗତ ବରେନ୍ଦ୍ରକୃଷ୍ଣ ଧଳ,ଭାଗିରଥି ମହାସୁଆର,ଭାସ୍କର ପରିଚ୍ଛା ,ପ୍ରଭୂ କଲ୍ୟାଣ ମହାପାତ୍ର , ପ୍ରତାପ ମହାନ୍ତି,ଜଗବନ୍ଧୁ ମିଶ୍ର,ସିଦ୍ଧାର୍ଥ କାନୁନ୍ଗୋ, ଶିବନାରାୟଣ ସିଂହ ଓ ତପନ ମିଶ୍ର ପ୍ରମୁଖ ଏହି ନାରଦ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

    ଗୋଲଖ ଚନ୍ଦ୍ର ଦାସ


















Comments