ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସହାର ୭୦.୭୮ ପ୍ରତିଶତ ରହିଛି । ୮୨ ସ୍କୁଲରେ ରେଜଲ୍ଟ ଶୂନ ହେବାସହ ଜଣେ ବି ପରୀକ୍ଷାର୍ଥୀ ପାସ୍ କରିପାରିନାହାନ୍ତି । ୨୮୯ ସ୍କୁଲରେ ଶତପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ମାଟ୍ରିକ ପରୀକ୍ଷାରେ ମୋଟ୍ ୩ ଲକ୍ଷ ୯୭ ହଜାର ୧୨୫ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଏପଟେ ପରୀକ୍ଷାରେ ପୁଅଙ୍କ ତୁଳନାରେ ଝିଅମାନେ ପରୀକ୍ଷାରେ ଅଧିକ ଭଲ କରିଛନ୍ତି । ଏଥର ପରୀକ୍ଷାରେ ବାଜି ମାରିନେଲେ ଝିଅ । ଏଥର ବି ପଛରେ ପଡ଼ିଯାଇଛନ୍ତି ଛାତ୍ର । ୨ ଲକ୍ଷ ୫ ହଜାର ୪୭୦ ଝିଅ ପାସ କରିଥିବା ବେଳେ ୧ ଲକ୍ଷ ୯୧ ହଜାର ୬୫୫ ପୁଅ ପାସ୍ କରିଛନ୍ତି । ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୫୬ଜଣ ଛାତ୍ର ଛାତ୍ରୀ ଏ-୧ରେ କୃତକାର୍ଯ୍ୟ ହୋଇଛନ୍ତି । ଗତ ୨୭ବର୍ଷ ଧରି ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଲଗାତାର ଭାବେ ଶତ ପ୍ରତିଶତ ପରୀକ୍ଷା ଫଳ ରଖି ଗୌରବ ଅର୍ଜନ କରିଛି । ଚଳିତ ବର୍ଷ ଏହି ସ୍କୁଲର ୨୮୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଶତ ପ୍ରତିଶତ ପରୀକ୍ଷା ଫଳ ହୋଇଛି । ସ୍କୁଲର ଗାୟତ୍ରୀ ପାଢୀ ସର୍ବାଧିକ ୫୬୯ ନମ୍ବର ତଥା ୯୫ ପ୍ରତିଶତ ରଖି କୃତକାର୍ଯ୍ୟ ହୋଇଥିବା ବେଳେ ଆଦ୍ୟାଶା ମହାପାତ୍ର ୫୬୩ ନମ୍ବର ତଥା ୯୪ ପ୍ରତିଶତ ରଖି ଗୌରବ ଆଣିଛନ୍ତି।
Comments
Post a Comment