ଭୁବନେଶ୍ୱର, ତା ୨୯ା୬ - ଆମ ଦେଶରେ ଏବେ ପ୍ରଚଳିତ ଥିବା ଶିକ୍ଷାନୀତି ୧୯୮୬ ମସିହାରେ ପ୍ରଣୟନ କରାଯାଇଥିଲା । ଏଥି ମଧ୍ୟରେ ୩୩ ବର୍ଷ ବିତିଯାଇଛି ଏବଂ ସାରା ବିଶ୍ୱରେ ଅନେକ ପରିବର୍ତ୍ତନ ସଙ୍ଘଟିତ ହୋଇଛି । ସେସବୁକୁ ଦୃଷ୍ଟିରେ ରଖି ଭାରତ ସରକାର ଚଳିତ ବର୍ଷ ଏକ ନୂତନ ଶିକ୍ଷାନୀତି ପ୍ରଣୟନ କରିବାକୁ ଯାଉଛନ୍ତି । ଏହା କାର୍ଯ୍ୟକାରୀ ହେଲେ ଦେଶର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ସଭାପତି ତଥା ରାଜସ୍ଥାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜଗଦୀଶ ପ୍ରସାଦ ସିଂଘଲ କହିଛନ୍ତି ।

ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଠାରେ ଆଜି ପୂର୍ବାହ୍ନରେ ‘ଚିଠା ଜାତୀୟ ଶିକ୍ଷାନୀତି ୨୦୧୯’ ଉପରେ ବକ୍ତୃତା ପ୍ରଦାନ କରି ପ୍ରଫେସର ସିଂଘଲ କହିଲେ ଯେ, ଆମର ଶିକ୍ଷାନୀତି ଭାରତକୈନ୍ଦ୍ରିକ ହେଲେ ‘ଇଣ୍ଡିଆ’ ଓ ‘ଭାରତ’ ଭିତରେ ଥିବା ଦୂରତା ଲୋପ ପାଇପାରିବ । ପ୍ରସ୍ତାବିତ ଜାତୀୟ ଶିକ୍ଷାନୀତିକୁ ଆବଶ୍ୟକ ସଂଶୋଧନ ସହ କାର୍ଯ୍ୟକାରୀ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ ।
ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର କ୍ଷିତିଭୂଷଣ ଦାସ ପ୍ରାରମ୍ଭିକ ସୂଚନା ଦେବା ପରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ସ୍ୱାଗତ ଭାଷଣ ଦେଇଥିଲେ । ଶୈକ୍ଷିକ ମହାସଂଘର ଜାତୀୟ କାର୍ଯ୍ୟକାରୀ ପରିଷଦ ସଦସ୍ୟ ଡକ୍ଟର ନାରାୟଣ ମହାନ୍ତି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ଆଭ୍ୟନ୍ତରୀଣ ସମୀକ୍ଷକ ଡକ୍ଟର ପବିତ୍ର କୁମାର ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବିଶିଷ୍ଟ ଶିକ୍ଷାବିତ୍ମାନେ ଆଲୋଚନାରେ ଭାଗନେଇ ପ୍ରସ୍ତାବିତ ନୂତନ ଶିକ୍ଷାନୀତି ଉପରେ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷାବିତ୍ ଡକ୍ଟର ମହେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଓଡ଼ିଶା ଗସ୍ତରେ ଆସିଥିବା ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ସଭାପତି ତଥା ରାଜସ୍ଥାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜଗଦୀଶ ପ୍ରସାଦ ସିଂଘଲ ଏଠାରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳ ସାକ୍ଷାତ କରିଥିଲେ । ପ୍ରଫେସର ସିଂଘଲ ମାନ୍ୟବର ରାଜ୍ୟପାଳଙ୍କ ସହ ପ୍ରସ୍ତାବିତ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନାବେଳେ ମହାସଂଘର ସର୍ବଭାରତୀୟ ଆଭ୍ୟନ୍ତରୀଣ ସମୀକ୍ଷକ ଡକ୍ଟର ପବିତ୍ର କୁମାର ରଥ, ଜାତୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଡକ୍ଟର ନାରାୟଣ ମହାନ୍ତି, ବିଶିଷ୍ଟ ଶିକ୍ଷାବିତ ପ୍ରଫେସର କେ.ବି ଦାସ ଓ ପ୍ରପେସର ପି ସି ଅଗ୍ରୱାଲ ଉପସ୍ଥିତ ଥିଲେ ।
Comments
Post a Comment