୨ ବର୍ଷରେ ଭିସା ପାଇ ଭାରତକୁ ଆସିଛନ୍ତି ୮୭ ହଜାର ପାକିସ୍ତାନୀ ଓ ୨୩ ଲକ୍ଷ ବାଂଲାଦେଶୀ


ନୂଆଦିଲ୍ଲୀ, ୨୫/୬  : ଗତ ୨ ବର୍ଷ ମଧ୍ୟରେ ବିଭିନ୍ନ କାର୍ଯ୍ୟ ପାଇଁ ଭାରତକୁ ଆସିବାକୁ ଚାହୁଁଥିବା ୮୭ ହଜାର ୬୬୯ ଜଣ ପାକିସ୍ତାନୀଙ୍କୁ ଭିନ୍ନ ଭିନ୍ନ ବର୍ଗର ଭିସା କେନ୍ଦ୍ର ସରକାର ଜାରି କରିଛନ୍ତି ବୋଲି ଲୋକସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଗୃହରେ ତଥ୍ୟ ଉପସ୍ଥାପନ କରାଯାଇଛି  । ସେହିପିର ଏହି ସମୟ ମଧ୍ୟରେ ୨୩ ଲକ୍ଷରୁ ଅଧିକ ରେକର୍ଡ ସଂଖ୍ୟକ ବାଂଲାଦେଶୀଙ୍କ ମଧ୍ୟ ଭିସା ଲାଭ କରି ଭାରତକୁ ଆସିଥିବା କେନ୍ଦ୍ର ଗୃହମନ୍ତ୍ରାଳୟ ସ୍ପଷ୍ଟ କରିଛି  । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନାନୁଯାୟୀ, ଗତ ୨୦୧୬ରେ କେନ୍ଦ୍ର ସରକାର ୫୨ ହଜାର ୫୨୫ ଜଣ ପାକିସ୍ତାନୀଙ୍କୁ ବିଭିନ୍ନ ଶ୍ରେଣୀର ଭିସା ପ୍ରଦାନ କରାଯାଇଥିଲା  । ୨୦୧୭ରେ ଏହି ସଂଖ୍ୟା ହ୍ରାସ ପାଇଥିଲେ ହେଁ ଚଳିତ ବର୍ଷ ୩୫ ହଜାର ୧୪୪ ଜଣ ପାକିସ୍ତାନୀଙ୍କୁ ଭିସା ପ୍ରଦାନ କରାଯାଇଛି  । ସେହିଭଳି ୨୦୧୬ରେ ୯ ଲକ୍ଷ ୩୩ ହଜାର ୬୯୫ ଜଣ ବାଂଲାଦେଶୀଙ୍କୁ ବିଭିନ୍ନ ବର୍ଗର ଭିସା ପ୍ରଦାନ କରାଯାଇଥିଲାବେଳେ ୨୦୧୭ରେ ୧୩ ଲକ୍ଷ ୭୦ ହଜାର ୪୨୦ ଜଣ ବାଂଲାଦେଶୀଙ୍କୁ ଭିସା ପ୍ରଦାନ କରାଯାଇଛି  । ମଙ୍ଗଳବାର ସଂସଦରେ ୨୦୧୬ ରୁ ୨୦୧୭ ମଧ୍ୟରେ କେତେଜଣ ପାକିସ୍ତାନ ଓ ବାଂଲାଦେଶୀ ନାଗରିକଙ୍କୁ ଭାରତରେ ଅସ୍ଥାୟୀ ରୂପେ ରହିବା ଲାଗି ଭିସା ପ୍ରଦାନ କରାଯାଇଥିଲା ବୋଲି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ସାଂସଦ ବିଷ୍ଣୁ ଦୟାଲ ରାମ ପ୍ରଶ୍ନ କରିଥିଲେ  । ସେହିପରି ପାକିସ୍ତାନ ଓ ବଂଲାଦେଶରୁ ଆସିଥିବା ଏହି ଶରଣାର୍ଥୀମାନେ ଭିସାର ଅବଧି ଶେଷ ହେବା ପରେ ବି ଦେଶରେ ରହୁଛନ୍ତି କି ବୋଲି ସାଂସଦ ଶ୍ରୀ ରାମ ପ୍ରଶ୍ନ କରିଥିଲେ  । ଅବୈଧ ଭାବେ ରହୁଥିବା ଏହି ଶରଣାର୍ଥୀମାନଙ୍କ ବିଷୟରେ ଖୋଜଖବର ନେବା ଲାଗି କୌଣସି ବ୍ୟବସ୍ଥା କେନ୍ଦ୍ର ସରକାର କରୁଛନ୍ତି କି ନାହିଁ ତାହା ସେ ଜାଣିବାକୁ ଚାହିଁଥିଲେ  । ଏହାର ଉତ୍ତରରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ, କେନ୍ଦ୍ର ସରକାର ଇମିଗ୍ରେସନ, ଭିସା ତଥା ବେଦେଶୀ ନାଗରିକ ପଞ୍ଜୀକରଣ ଏବଂ ଟ୍ରାକିଂ ସମ୍ପର୍କରେ ମିଶନ ରୋଡ୍ ପରିଯୋଜନା ଚଳାଉଛନ୍ତି  । ଏହି ପରିଯୋଜନା ଜରିଆରେ ଭିସା ଜାରି କରିବାର ପ୍ରକ୍ରିୟା, ସେଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଓ ଇମିଗ୍ରେସନ ପ୍ରକ୍ରିୟା, ବୈଦେଶିକ ନାଗରିକ ପଞ୍ଜୀକରଣ କାର୍ଯ୍ୟାଳୟ, ହୋଟେଲ, ଶିକ୍ଷକ ସଂସ୍ଥା ଆଦିଗୁଡ଼ିକରେ ବିଦେଶୀ ନାଗରିକଙ୍କ ରହଣି କାଳ ସମୟର ସମସ୍ତ ବିବରଣୀ ଉପରେ ନଜର ରଖିବା ଲାଗି ଏଭଳି ଟ୍ରାକିଂ ବ୍ୟବସ୍ଥା କରାଯାଇଛି  ।

Comments