ବିଦେଶୀ ରାଷ୍ଟ୍ରର ପ୍ରଶ୍ନ କରିବାର ଅଧିକାର ନାହିଁ: ଭାରତ


ନୂଆଦିଲ୍ଲୀ,୨୩/୬ : ଭାରତ ନିଜର ଧର୍ମନିରପେକ୍ଷ ପରିଚୟ ପାଇଁ ଗର୍ବିତ ଓ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାବେ ଏହାର ବହୁଳବାଦୀ ସମାଜ, ସହନଶୀଳତା ଓ ସମାବେଶୀତା ପାଇଁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଲାଭ କରିଛି ବୋଲି ଭାରତ ପକ୍ଷରୁ କୁହାଯାଇଛି । ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ଧାର୍ମିକ ସ୍ୱାଧୀନତା ସମ୍ପର୍କରେ ପ୍ରକାଶିତ ଏକ ରିପୋର୍ଟକୁ ଅଗ୍ରାହ୍ୟ କରି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁ୍ଖପାତ୍ର ରବୀଶ କୁମାର କହିଛନ୍ତି ଯେ, ଭାରତୀୟ ସମ୍ବିଧାନ ସଂଖ୍ୟାଲଘୁଙ୍କ ସମେତ ସବୁଲୋକଙ୍କୁ ମୌଳିକ ଅଧିକାର ପ୍ରଦାନ କରି ତାହାକୁ ସୁରକ୍ଷିତ ରଖିଛି । ଭାରତ ଏକ ଶକ୍ତିଶାଳୀ ଓ ଦାୟିତ୍ୱବାନ ଗଣତନ୍ତ୍ର । ଭାରତର ସମ୍ବିଧାନ ଧାର୍ମିକ ସ୍ୱାଧୀନତା ଓ ସଂଖ୍ୟାଲଘୁଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ସର୍ବଜନବିଦିତ । ରବୀଶ କୁମାର କହିଛନ୍ତି ଯେ, ଭାରତର ନାଗରିକମାନେ ସାମ୍ବିଧାନିକ ବ୍ୟବସ୍ଥାରେ ସୁରକ୍ଷିତ ଥିବାବେଳେ ଅନ୍ୟ କୌଣସି ଦେଶ ଏଥିରେ ମୁଣ୍ଡ ପୂରାଇବାର ଆବଶ୍ୟକତା ନାହିଁ । କିଏ କଣ କହିଲା ବା ମତ ଦେଲା ସେ ନେଇ ଭାରତର କିଛି ଯାଏ ଆସେ ନାହିଁ । ଆମେରିକାର ବୈଦେଶିକ ବିଭାଗ ଏଥିନେଇ ଜାରି କରିଥିବା ଏକ ରିପୋର୍ଟରେ ଭାରତର ସଂଖ୍ୟାଲଘୁମାନେ ସୁରକ୍ଷିତ ନଥିବା ଦର୍ଶାଯାଇଥିଲା । ଭାରତକୁ ବଦନାମ କରିବା ପାଇଁ ଏଭଳି ପ୍ରୟାସକୁ ଭାରତ ନିନ୍ଦନୀୟ ବୋଲି ଦର୍ଶାଇଛି । ଗତ ୨୧ତାରିଖରେ ୨୦୧୮ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ସଂକ୍ରାନ୍ତୀୟ ରିପୋର୍ଟରେ ଆମେରିକା ଦର୍ଶାଇଥିଲା ଯେ, ଭାରତରେ କ୍ଷମତାଶୀନ ବିଜେପିର କିଛି ନେତା ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ଉତ୍ତେଜକ ଭାଷଣ ଦେଉଛନ୍ତି । ଏହାଦ୍ୱାରା ସେମାନଙ୍କ ଧର୍ମୀୟ ଭାବନା ପ୍ରଭାବିତ ହେଉଥିବା ଆମେରିକା ଚିନ୍ତାବ୍ୟକ୍ତ କରିଥିଲା ।

Comments