ପୁଲଓା୍ମାରେ ନୌସେନା ବି ଆକ୍ରମଣ ପ୍ରସ୍ତୁତି କରିଥିଲା


ଶ୍ରୀନଗର,୨୩/୬ : ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଜୈସ ଇ ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ଆକ୍ରମଣ କରିଥିଲା । ଏହି ଘଟଣା ପରେ ଆରବ ସାଗରରେ ମୁତୟନ ଥିବା ପାକିସ୍ତାନର ଅଗଷ୍ଟା ବର୍ଗର ସବମେରାଇନ ପିଏନଏସ-ସାଦ ନିଖୋଜ ହୋଇଯାଇଥିଲା । ଏହା ଭାରତୀୟ ନୌସେନାର ଚିନ୍ତା ବଢାଇଦେଇଥିଲା । କରାଚି ଉପକୂଳରୁ ଏହା ନିଖୋଜ ହୋଇଯିବା ପରେ ଭାରତୀୟ ନୌସେନା ଏହାକୁ ଆରବ ସାଗରରେ ୨୧ଦିନ ଧରି ଖୋଜିଥିଲା । କରାଚି ଉପକୂଳରୁ ଏହା ଗୁଜରାଟ ଉପକୂଳରେ ପହଂଚିବା ପାଇଁ ୩ଦିନ ଓ ମୁମ୍ବଇ ଉପକୂଳରେ ପହଂଚିବା ପାଇଁ ୭ଦିନ ସମୟ ଲାଗିଥାନ୍ତା । ଏହା ଏକ ଡିଜେଲ ଚାଳିତ ସବମେରାଇନ । ଏହା କେଉଁ ଆଡେ ନିଖୋଜ ହୋଇଥିଲା ତାହା ଜାଣିବା ପାଇଁ ଭାରତୀୟ ନୌସେନା ଆଣ୍ଟି ସବମେରାଇନ ଏୟାରକ୍ରାଫ୍ଟ , ଆମେରିକା ନିର୍ମିତ ପଜିଡନ- ପି୮-ଏସ ବିମାନକୁ ମୁତୟନ କରିଥିଲା । ଯଦି ଏହା ଭାରତୀୟ ଜଳସୀମା ମଧ୍ୟରେ ପ୍ରବେଶ କରିଥାନ୍ତା ତେବେ ଏହାକୁ ନିମିଷକେ ଧ୍ୱଂସ କରିବା ପାଇଁ ଭାରତର ଆଣବିକ କ୍ଷମତାସମ୍ପନ୍ନ ସବମେରାଇନ ଆଇଏନଏସ ଚକ୍ର ପ୍ରସ୍ତୁତ ହୋଇ ରହିଥିଲା । କେବଳ ସେତିକି ନୁହେଁ ଭାରତର ସ୍କର୍ପିନ ବର୍ଗର ସବମେରାଇନ ଆଇଏନଏସ କଲାବରି ମଧ୍ୟ ମୁତୟନ ହୋଇଥିଲା । ଏହି କାର୍ଯ୍ୟରେ ଭାରତୀୟ ସାଟେଲାଇଟଗୁଡିକ ମଧ୍ୟ ଲାଗିଯାଇଥିଲେ  । ଶେଷରେ ୨୧ଦିନ ପରେ ଏହାକୁ ପାକିସ୍ତାନର ପଶ୍ଚିମପଟେ ଠାବ କରାଯାଇଥିଲା । ଓଲଟା ଶତ୍ରୁପକ୍ଷର ଆକ୍ରମଣରୁ ବଂଚାଇବା ପାଇଁ ପାକିସ୍ତାନ ଏହାକୁ ଲୁଚାଇଦେଇଥିଲା । ଏହି ଘଟଣା ପରେ ଭାରତୀୟ ନୌସେନା ଏହାର ୬୦ଟି ଯୁଦ୍ଧପୋତ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ ବିକ୍ରମାଦିତ୍ୟ ଓ ସାଟେଲାଇଟ ଦ୍ୱାରା ପାକିସ୍ତାନ ନୌସେନାର ଟିକିନିଖି ଗତିବିଧି ଉପରେ ନଜର ରଖିଛି ।

Comments