ଜୁନରେ ବଡ ବର୍ଷା ନାହିଁ


ନୂଆଦିଲ୍ଲୀ,୨୩/୬ : ଭାରତୀୟ ପାଣିପାଗ କ୍ୟାଲେଣ୍ଡରରୁ ମୌସୁମୀ ହଜିଗଲାଣି । ଜୁନ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ମୌସୁମୀ ବୃଷ୍ଟିପାତ ହୋଇଥାଏ । କିନ୍ତୁ ଜୁନ୧ରୁ ୨୨ତାରିଖ ପର୍ଯ୍ୟନ୍ତ ହାରାହାରି ଯେତିକି ବୃଷ୍ଟିପାତ ହେବା କଥା ତାଠାରୁ ୮୪ପ୍ରତିଶତ କମ ବୃଷ୍ଟିପାତ ହୋଇଛି । ଫଳସ୍ୱରୂପ ଦେଶରେ ସାଂଘାତିକ ଜଳ ସଂକଟ ସୃଷ୍ଟି ହୋଇଛି । ଦେଶର ୯୧ଟି ଜଳପ୍ରପାତରେ ବର୍ତ୍ତମାନ ସୁଦ୍ଧା ଯେତିକି ଜଳ ରହିବା କଥା ତାଠାରୁ ୮୦ପ୍ରତିଶତ କମ ରହିଛି । ଏଗୁଡିକ ମଧ୍ୟରୁ ୧୧ଟି ଜଳପ୍ରପାତରେ ବିଲକୁଲ ଜଳ ନାହିଁ । ଭାରତୀୟ ପାଣିପାଗ ବିଭାଗ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ସମଗ୍ର ଭାରତବର୍ଷକୁ ୩୬ଟି ପାଣିପାଗ ସବଡିଭିଜନରେ ବିଭକ୍ତ କରାଯାଇଛି ।ଏଗୁଡିକ ମଧ୍ୟରୁ ୬ଟିରେ ବିଲକୁଲ ବର୍ଷା ହୋଇନାହିଁ । ୯ଟିରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ଅବଶିଷ୍ଟ ଗୁଡିକରେ ଯେତିକି ବର୍ଷା ହେବା କଥା ତାହାର ୨୫ପ୍ରତିଶତ ମଧ୍ୟ ବର୍ଷା ହୋଇନାହିଁ । ମହାରାଷ୍ଟ୍ର, ବିଦର୍ଭ, ମରାଠାୱାଡା, କେନ୍ଦ୍ରୀୟ ମହାରାଷ୍ଟ୍ର ପ୍ରଭୃତି ୪ଟି ସବଡିଭିଜନରେ ଘୋର ଜଳସଂକଟ ସୃଷ୍ଟି ହୋଇଛି । ଜୁନ ୮ତାରିଖରେ ମୌସୁମୀ କେରଳ ଛୁଇଁଥିଲା  । ଏହାପରେ ଆରବ ସାଗରରେ ଆସି୍ଥିବା ସାମୁଦ୍ରିକ ବାତ୍ୟା ‘ବାୟୁ’ ଯୋଗୁଁ ମୌସୁମୀ ଦୁର୍ବଳ ହୋଇଯାଇଥିଲା । ଏଥିଯୋଗୁ ପ୍ରାୟ ୧ସପ୍ତାହ ଧରି ମୌସୁମୀ ବାଟବଣା ହୋଇଯାଇଥିଲା । ରବିବାର ସୁଦ୍ଧା ପାଣିପାଗ ବିଭାଗ କରିଥିବା ଆକଳନ ମୁତାବକ ଆଗକୁ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି । କିନ୍ତୁ ବିଳମ୍ବରେ ସକ୍ରିୟହେଲେ ଚାଷକାମ ପାଇଁ ତାହା ଉପଯୋଗ ହେବନାହିଁ ବୋଲି ଆଶଙ୍କା କରାଯାଉଛି ।

Comments