ଗ୍ୱାଲିୟରରେ ଭାରତୀୟ ବାୟୁସେନା ଦେଖାଇଲା ପରାକ୍ରମ

ଗ୍ୱାଲିୟର, ୨୪/୬  : ୧୯୯୯ ମସିହା ମଇ ୩ରୁ ଜୁଲାଇ ୨୬ ତାରିଖ ମଧ୍ୟରେ ଏଲ୍ଓସି ଅତିକ୍ରମ କରି ଭାରତୀୟ ପୋଷ୍ଟକୁ ଅକ୍ତିଆର କରିଥିବା ପାକ୍ ସେନା ଓ ରେଞ୍ଜର୍ସଙ୍କୁ ଘଉଡ଼ାଇବା ଲାଗି ହୋଇଥିଲା କାରଗିଲ୍ ଯୁଦ୍ଧ  । ଏହି ଯୁଦ୍ଧରେ ଭାରତୀୟ ସେନା ପରାକ୍ରମ ପ୍ରଦର୍ଶନ କରି ପାହାଡ଼ ଉପରେ ବସିଥିବା ପାକ୍ ସେନାଙ୍କୁ ପରାସ୍ତ କରି ଭାରତୀୟ ପୋଷ୍ଟଗୁଡ଼ିକୁ ମୁକୁଳାଇଥିଲେ  । ଏହି ଯୁଦ୍ଧରେ ଭାରତୀୟ ବାୟୁସେନା ମଧ୍ୟ ଚମକ୍ରାର ଯୁଦ୍ଧ ପ୍ରଦର୍ଶନ କରି ଅପରେସନ ବିଜୟରେ ସାମିଲ୍ ହୋଇ ଲଦାଖର ଦ୍ରାସ, କାରଗିଲ୍, ବାଟାଲିକର ପାହାଡ଼ ଉପରେ ଥିବା ଭାରତୀୟ ବଙ୍କରରେ ପୋଜିସନ୍ ନେଇଥିବା ପାକ୍ ସେନା ଓ ରେଞ୍ଜର୍ସଙ୍କ ଉପରେ ନିର୍ଭୁଲ ବୋମାମାଡ଼ କରିଥିଲା  । ଭାରତୀୟ ବାୟୁସେନାର ମିରାଜ ୨୦୦୦ ଯୁଦ୍ଧ ବିମାନ ଲେଜର ଗାଇଡେଡ୍ ବୋମାମାଡ଼ କରି ସେମାନଙ୍କୁ ପରାହତ କରିଥିଲା  । ତେବେ ଏହି ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲାବେଳେ ଏହାର ୨୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ସୋମବାର ଗ୍ୱାଲିୟର ଠାରେ ଭାରତୀୟ ବାୟୁସେନା ପକ୍ଷରୁ ପ୍ରତୀକାତ୍ମକ ବିଜୟ ଦିବସ ପାଳନ କରାଯାଇଥିଲା  । ଏହି ଅବସରରେ ‘ଅପରେସନ୍ ବିଜୟ’ରେ ସାମିଲ ହୋଇଥିବା ମିରାଜ ୨୦୦୦ ଏବଂ ଅନ୍ୟ ଯୁଦ୍ଧ ବିମାନଗୁଡ଼ିକ ଆକାଶରେ ରଣକୌଶଲ ପ୍ରଦର୍ଶନ କରିବା ସହ ୧୯୯୯ କାରଗିଲ୍ ଯୁଦ୍ଧର କେତେକ ନାଟ୍ୟ ରୂପାନ୍ତରଣକୁ ପ୍ରଦର୍ଶନ କରିଥିଲେ  । ବିଶେଷ କରି କାରଗିଲ୍ ଯୁଦ୍ଧରେ ଜମ୍ମୁ-କାଶ୍ମୀରର ଦ୍ରାସ-କାରଗିଲ ଅଞ୍ଚଳରେ ଥିବା ଟାଇଗର ହିଲ୍ ଉପରେ ଭାରତୀୟ ବାୟୁସେନାର ଆକ୍ରମଣକୁ ନାଟ୍ୟ ରୂପାନ୍ତରଣ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା  । ଏଥିରେ ୫ଟି ମିରାଜ ୨୦୦୦, ୨ଟି ମିଗ୍ ୨୧ ଏବଂ ଗୋଟିଏ ସୁଖୋଇ ୩୦ ଏମ୍କେଆଇ ସାମିଲ୍ ହୋଇଥିଲେ  । ପ୍ରକାଶ୍ୟ ଯେ, ୧୯୯୯ରେ ଶୀତ ଦିନରେ ଲଦାଖର ଦ୍ରାସ୍, କାରଗିଲ୍ ଓ ବାଟାଲିକର ସୁଉଚ୍ଚ ପାହାଡ଼ିଆ ଅଞ୍ଚଳରେ ଥିବା ଭାରତୀୟ ପୋଷ୍ଟଗୁଡ଼ିକୁ ଖାଲି କରି ସେନା ତଳକୁ ଓହ୍ଲାଇ ଆସିଥିଲା  । ଏହି ସମୟରେ ପାକ୍ ସେନା ଅତି ଚାଲାକିରେ ସେହି ପୋଷ୍ଟଗୁଡ଼ିକୁ କବ୍ଜା କରିନେଇ ଜମ୍ମୁ-କାଶ୍ମୀର ମୁଖ୍ୟ ରାଜପଥ ଉପରେ ଗୁଳି ବର୍ଷଣ ଆରମ୍ଭ କରିଦେଇଥିଲା  । ଫଳରେ ଏହି ରାଜପଥ ଦେଇ କୌଣସି ଯାନବାହନ ଯାତାୟାତ କରିପାରିନଥିଲା ଓ ଜମ୍ମୁ-କାଶ୍ମୀର ଭାରତରୁ ଏକରକମ ଅଲଗା ହୋଇଯାଇଥିଲା  । ଏହିଭଳି ପରିସ୍ଥିତିରେ ଭାରତୀୟ ସେନା ପକ୍ଷରୁ ଉକ୍ତ ପୋଷ୍ଟଗୁଡ଼ିକୁ ଖାଲି କରିବା ଲାଗି ‘ଅପରେସନ୍ ବିଜୟ’ ଆରମ୍ଭ କରାଯାଇଥିଲା  । ଏହି ଅପରେସନ୍ ପ୍ରାୟ ୩ ମାସ କାଳ ଚାଲିଥିଲା  । ୧୯୯୯ ମଇ ୩ ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା  । ଭାରତୀୟ ସେନା ପ୍ରବଳ ପରାକ୍ରମ ପ୍ରଦର୍ଶନ କରି ତଳୁ ଉପରକୁ ଚଢ଼ି ଲଦାଖାର ଦ୍ରାସ, ତଲୋଲିଙ୍ଗ, ବାଟାଲିକ ଆଦି ସେକ୍ଟରକୁ ପାକ୍ ସେନା କବଳରୁ ମୁକ୍ତ କରିଥିଲେ  । ଏହି ଯୁଦ୍ଧରେ ଭାରତୀୟ ସେନାର ୫୨୭ ଜଣ ପଦାଧିକାରୀ ଓ ଜୱାନ ଶହୀଦ ହୋଇଥିଲେ  । ତେବେ ଏହି ଯୁଦ୍ଧରେ ଅଦ୍ଭୁତ ପରାକ୍ରମ ପ୍ରଦର୍ଶନ କରିଥିବା ଗୋର୍ଖା ରାଇଫଲ୍ସର କ୍ୟାପଟେନ୍ ମନୋଜ ପାଣ୍ଡେ, ଜମ୍ମୁ-କାଶ୍ମୀର ରାଇଫଲ୍ସର କ୍ୟାପଟେନ୍ ବିକ୍ରମ ବାତ୍ରା, ସୁବେଦାର ମେଜର ଯୋଗେନ୍ଦ୍ର ସିଂହ ଯାଦବ, ଏବଂ ରାଇଫଲ ମ୍ୟାନ୍ ସଞ୍ଜୟ କୁମାର ସେନାର ସର୍ବୋଚ୍ଚ ସମ୍ମାନ ‘ପରମବୀର ଚକ୍ର’ରେ ଭୂଷିତ କରାଯାଇଥିଲା  । ତେବେ ଏହି ବୀରମାନଙ୍କ ବୀରତ୍ୱକୁ ମନେ ପକାଇ ଆଗାମୀ ଦିନରେ ଭାରତୀୟ ସେନା ବାଟାଲିକର ଖାଲୁବାର, ଦ୍ରାସର ତୋଲୋଲିଙ୍ଗ, ଟାଇଗର ହିଲ୍ ଏବଂ ପଏଣ୍ଟ ୪୮୭୫କୁ ଚଢ଼ି ନିଜର ଶହୀଦ ସାଥୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବ

Comments