ଓଡିଶାର ସ୍ୱାର୍ଥ ଏବଂ ବିକାଶ ପାଇଁ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବି : ଅଶ୍ୱିନୀ ବୈଷ୍ଣବ


   ଭୁବନେଶ୍ୱର,ତା.୨୪/୦୬: ଆଜି ବିଧାନସଭାରେ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଶ୍ରୀ ବୈଷ୍ଣବ, ବିଜେପି ବିଧାୟକଗଣ ଏବଂ ନେତୃବୃନ୍ଦଙ୍କ ସହ ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ପହଂଚି ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ପବିତ୍ର ଭୂମିରେ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବି ବୋଲି ନାମାଙ୍କନ ପତ୍ର ଦାଖଲ ପରେ ଶ୍ରୀ ବୈଷ୍ଣବ କହିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେବା ସହ ଓଡିଶାର ସ୍ୱାର୍ଥ ଏବଂ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।
ଶ୍ରୀ ବୈଷ୍ଣବଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ବିଧାୟକ ଜୟନାରାୟଣ ମିଶ୍ର, ପ୍ରଦୀପ ନାୟକ, ମହୋନ ମାଝୀ, ବିଷ୍ଣୁ ସେଠୀଙ୍କ ସମେତ ସମସ୍ତ ନବନିର୍ବାଚିତ ବିଧାୟକଗଣ, ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ପୀତାମ୍ବର ଆଚାର୍ଯ୍ୟ, ରାଜ୍ୟ ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ସଂପାଦକ କାଳନ୍ଦୀ ସାମଲ, ଯତୀନ ମହାନ୍ତି, ଡ. ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments