ଚଳିତ ବର୍ଷ ବିନା ସବସିଡିରେ ହଜ ଯାତ୍ରା କରିବେ ୨ ଲକ୍ଷ ଭାରତୀୟ ମୁସଲମାନ


ନୂଆଦିଲ୍ଲୀ, ୨୫/୬ : ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ୨ ଲକ୍ଷ ଭାରତୀୟ ମୁସଲମାନ ଚଳିତ ବର୍ଷ ବିନା ସବସିଡିରେ ହଜ ଯାତ୍ରା କରିବେ । କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ସାଧୁତା ଓ ସ୍ୱଚ୍ଛତାର ସହ ଚଳିତ ବର୍ଷ ହଜ ସବସିଡି ହଟେଇ ଦେଇଥିବା ନେଇ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ଶ୍ରୀ ମୁଖତାର ଅବାସ ନକଭି ସୂଚନା ପ୍ରଦାନ କରିଥିଲେ । ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହଜ ୨୦୧୯ ପ୍ରତିନିଧିମାନଙ୍କ ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସେ ଏହି ସୂଚନା ପ୍ରଦାନ କରିଥିଲେ । ଶ୍ରୀ ନକଭି ପ୍ରକାଶ କରିଥିଲେ ଯେ ସ୍ୱଚ୍ଛ ଏବଂ ସଚ୍ଚୋଟ ପ୍ରକ୍ରିୟା ଫଳରେ ହଜ ସବସିଡି ହଟେଇ ଦିଆଯିବା ଦ୍ୱାରା ମଧ୍ୟ ହଜ ତୀର୍ଥଯାତ୍ରୀମାନଙ୍କ ଉପରେ କୌଣସି ଆର୍ଥିକ ବୋଝ ପଡିବ ନାହିଁ । ହଜ ଯାତ୍ରୀମାନଙ୍କୁ ଉପଯୁକ୍ତ ସୁବିଧା ଓ ସୁରକ୍ଷା ପ୍ରଦାନ ନେଇ କେନ୍ଦ୍ର ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ଏ କ୍ଷେତ୍ରରେ କୌଣସି ଅବହେଳାକୁ ସହ୍ୟ କରାଯିବ ନାହିଁ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ନକଭି ସୂଚନା ପ୍ରଦାନ କରିଥିଲେ ଯେ ହଜ ଯାତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସାଉଦି ଆରବରେ ମୋଟ ଉପରେ ୬୨୦ ଜଣ ହଜ ସଂଯୋଜକ, ଅତିରିକ୍ତ ହଜ ପଦାଧିକାରୀ, ହଜ ସହାୟକ, ଡାକ୍ତର, ଚିକିତ୍ସା ସହାୟତାକାରୀଙ୍କୁ ମୁତୟନ କରାଯାଇଛି । ଏଥିରେ ବହୁ ସଂଖ୍ୟାରେ ମହିଳା ମାନଙ୍କୁ ସାମିଲ କରାଯାଇଛି । ଭାରତୀୟ ହଜ କମିଟି ମାଧ୍ୟମରେ ୧ ଲକ୍ଷ ୪୦ ହଜାର ଏବଂ ହଜ ଗ୍ରୁପ ସଂଗଠନ ମାଧ୍ୟମରେ ୬୦ ହଜାର ଯାତ୍ରୀ ହଜ ଯାତ୍ରା କରିବେ । ଭାରତୀୟ ହଜ କମିଟି ଦ୍ୱାରା ସ୍ଥିର କରାଯାଇଥିବା ଦରରେ ହଜ ଗ୍ରୁପ ସଂଗଠନ ୧୦ ହଜାର ଯାତ୍ରୀଙ୍କୁ ହଜ ଯାତ୍ରା କରାଇବେ ।

Comments