ସୋସାଲ ମିଡିଆରେ ସମ୍ପର୍କ ରଖୁଥିବା ୧୫୫ ଜଣ ଆଇଏସ୍ ସମର୍ଥକଙ୍କୁ ଗିରଫ


ନୂଆଦିଲ୍ଲୀ, ୨୫/୬  : ଆତଙ୍କବାଦୀ ସଂଗଠନ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍)ର ପାଦ ସିରିଆରୁ ଉଖୁଡ଼ି ସାରିବା ପରେ ଏବେ ତା’ର ବିଷ ଦୃଷ୍ଟି ଭାରତ ଓ ଶ୍ରୀଲଙ୍କା ଉପରେ ପଡ଼ିଛି  । ଆଇଏସ୍ ଏବେ ଭାରତରେ ସିରିଆ ଆଇନ୍ ଲାଗୁ କରିବାକୁ ଉଦ୍ଦେଶ୍ୟ ରଖି ତା’ର କାୟା ବିସ୍ତାର କରିବାକୁ ଚେଷ୍ଟା କରୁଛି  । ଏଣୁ ଆଇଏସ୍କୁ ନିୟନ୍ତ୍ରଣାଧୀନ କରିବା ଲାଗି ବିଭିନ୍ନ ତଦନ୍ତକାରୀ ସଂସ୍ଥା ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ସାଇବର ସ୍ପେସ୍ ଉପରେ କଡ଼ା ନଜର ରଖିବା ଆରମ୍ଭ କରିଦେଇଛନ୍ତି  । ବିଭିନ୍ନ ସମୟରେ ଭାରତ ବିରୁଦ୍ଧରେ ସକ୍ରିୟ ଥିବା ଆତଙ୍କୀ ସଂଗଠନଗୁଡ଼ିକ ସହିତ ଟ୍ୱିଟର, ଇନ୍ଷ୍ଟାଗ୍ରାମ ଓ ଫେସ୍ବୁକ୍ ଭଳି ସୋସାଲ ମିଡିଆରେ ସମ୍ପର୍କ ରଖୁଥିବା ୧୫୫ ଜଣ ଆଇଏସ୍ ସମର୍ଥକଙ୍କୁ ଗିରଫ କରାଯାଇଛି  । ଗୃହ ମନ୍ତ୍ରଣାଳୟ ଅନୁସାରେ, ମାନସିକ ଭାବେ ଦୁର୍ବଳ ଥିବା ଲୋକଙ୍କୁ ଠାବ କରି ସେମାନଙ୍କୁ ପ୍ରଭାବିତ କରିବା ଲାଗି ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଆଇଏସ୍ ତା’ର ମୌଳବାଦ ଚିନ୍ତାଧାର ସମ୍ବଳିତ କବିତା, ପ୍ରବନ୍ଧ, ମିଥ୍ୟା ଭିଡିଓ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ଦସ୍ତାବିଜ୍ଗୁଡ଼ିକୁ ପଠାଉଛି  । ଏହାଦ୍ୱାରା ଯୁବବର୍ଗମାନେ ପ୍ରଭାବିତ ହୋଇ ‘ଜେହାଦ୍’ ବା ‘ଧର୍ମଯୁଦ୍ଧ’ର ପ୍ରହେଳିକାରେ ଫସି ଆତଙ୍କବାଦର ରାସ୍ତାକୁ ଆପଣାଉଛନ୍ତି  । ତେବେ ସୋସାଲ ମିଡିଆରେ ଆଇଏସ୍ର ବର୍ଦ୍ଧିତ ଗତିବିଧିକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସି ଓ ତଦନ୍ତକାରୀ ସଂସ୍ଥାଗୁଡ଼ିକଙ୍କ ନଜର ଏବେ ସାଇବର ସ୍ପେସ୍ ଉପରେ ରହିଛି  । ଆଇଏସ୍ ସହିତ ସମ୍ପର୍କ ରଖିଥିବା ଗିରଫ ୧୫୫ ଜଣ ସମର୍ଥକ ବା ସ୍ଲିପର ସେଲ୍ଙ୍କ ବିରୁଦ୍ଧରେ ଅନ୍ଲ’ଫୁଲ୍ ଆକ୍ଟିଭିଟିଜ ପ୍ରିଭେନସନ୍ ଆକ୍ଟ ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି  ।

Comments