ଲକ୍ଷେ୍ନø, ୨୭/୭ : ସମାଜବାଦୀ ପାର୍ଟି (ସପା) ସାଂସଦ ଆଜମ ଖାନଙ୍କ ବେଳ ଏବେ ଭଲ ଚାଲୁନି । ଶୁକ୍ରବାର ସେ ସଂସଦରେ ବିଜେପିର ମହିଳା ସାଂସଦ ରମା ଦେବୀଙ୍କୁ ଦ୍ୱିଅର୍ଥବୋଧକ ଟିପପ୍ପଣୀ ଦେଇ ବିବାଦୀୟ ହୋଇପଡ଼ିଥିବା ଆଜମ ଖାନଙ୍କୁ ନିଃସର୍ତ୍ତ କ୍ଷମାପ୍ରାର୍ଥନା ଲାଗି ସମସ୍ତ ମହିଳା ସାଂସଦ ଅଡ଼ିବସିଥିଲାବେଳେ ଶନିବାର ତାଙ୍କୁ ଅଦାଲତ ଆଉ ଏକ ଝଟ୍କା ଦେଇଛନ୍ତି । ସେ ଜବରଦଖଲ କରିଥିବା ଜୌହର ବିଶ୍ୱବିଦ୍ୟାଳୟର ୭.୧୩୫ ହେକ୍ଟର ଜମିର ପଟ୍ଟାକୁ ଅଦାଲତ ରଦ୍ଦ କରିଦେଇଛନ୍ତି । ଏହି ଜମିକୁ ମୌଲାନା ମହମ୍ମଦ ଅଲୀ ଜୌହର ଟ୍ରଷ୍ଟର ଯୁଗ୍ମ ସଚିବ ନସୀର ଅହମ୍ମଦ ଖାନଙ୍କ ନାମରେ ଲିଜ୍ ସୂତ୍ରରେ ସରକାର ଦେଇଥିଲେ । ତେବେ ଏହାକୁ ସପା ସାଂସଦ ଆଜମ ଖାନ ଜାଲଆତି କରି ହଡ଼ପ କରିନେଇଥିବା ନେଇ ଅଭିଯୋଗ ହେବା ପରେ ତହସିଲଦାର ଏହାର ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଜୌହର ବିଶ୍ୱବିଦ୍ୟାଳୟର ୭.୧୩୫ ହେକ୍ଟର ଜମିକୁ ଜବରଦଖଲ କରାଯାଇଥିବା ଜଣାପଡ଼ିଥିଲା । ତହସିଲଦାରଙ୍କ ରିପୋର୍ଟ କ୍ରମେ ଉକ୍ତ ଜମିର ପଟ୍ଟାକୁ ଏସ୍ଡିଏମ୍ ସଦର କୋର୍ଟ ରଦ୍ଦ କରିଦେଇଛନ୍ତି । ପ୍ରକାଶ୍ୟ ଯେ, ଏହି ଜମିକୁ ସରକାର ଗତ ୨୦୧୩ ଜୁନ୍ ୨୪ ତାରିଖରେ ୩୦ ବର୍ଷ ପାଇଁ ମୌଲାନା ମହମ୍ମଦ ଅଲୀ ଜୌହର ଟ୍ରଷ୍ଟର ଯୁଗ୍ମ ସଚିବ ନସୀର ଅହମ୍ମଦ ଖାନଙ୍କୁ ୬୦ ଟଙ୍କା ହିସାବରେ ଲିଜ୍ ସୂତ୍ରରେ ଦେଇଥିଲେ । ମାତ୍ର ପରେ ସପା ସାଂସଦ ଆଜମ ଖାନଙ୍କ ଇଙ୍ଗିତରେ ଏହାର ରେକର୍ଡରେ ଜାଲିଆତି କରାଯାଇଥିଲା । କୋଶୀ ନଦୀ କୂଳରେ ବ୍ୟାପ୍ତ ଏହି ଜମି ସାର୍ବଜନୀନ ଉପଯୋଗୀ ଜମି ହୋଇଥିବାବେଳେ ଆଜମ ଖାନଙ୍କ ଇଶାରାରେ କେତେକ ଅସାଧୁ ପଦାଧିକାରୀ ଓ କର୍ମଚାରୀ ଏହାର ପଟ୍ଟା ପ୍ରସ୍ତୁତ କରିଥିଲେ ଯାହାକି ଜମି ଆଇନ୍ର ଉଲ୍ଲଂଘନ ଅଟେ । ଏଥିସହିତ ଅଦାଲତ ଉକ୍ତ ଜମି ଉପରେ ଆଜମ ଖାନଙ୍କ ଦ୍ୱାରା ଘେରାଯାଇଥିବା ପାଚେରୀ ଓ କବାଟକୁ ମଧ୍ୟ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପୂର୍ବରୁ ଏହି ଜମି ଘୋଟାଲା ମାମଲାରେ ୩ କୋଟି ୨୭ ଲକ୍ଷ ୬୦ ହଜାର ଟଙ୍କାର ଜରିମାନା ଦେବାକୁ ଆଜମ ଖାନଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇସାରିଛନ୍ତି ।
Comments
Post a Comment