ଯିଏ ଭି କାଶ୍ମୀରରେ ସେନା ଉପରକୁ ବନ୍ଧୁକ ଉଠାଇବ ତାକୁ ମାଟିତଳେ କବରକୁ ଯିବାକୁ ପଡ଼ିବ


ଶ୍ରୀନଗର, ୨୬/୭  : ୧୯୯୯ରେ ଭାରତୀୟ ସେନାର କାରଗିଲ୍ ବିଜୟସ୍ମୃତିରେ ଶୁକ୍ରବାର ସମଗ୍ର ଦେଶରେ ଉତ୍ସାହ ଓ ଉଦ୍ଦୀପନାର ସହିତ ‘କାରଗିଲ ବିଜୟ ଦିବସ’ ପାଳନ କରାଯାଇଛି । ଏହି ଅବସରରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ସ୍ଥଳସେନା ମୁଖ୍ୟ ଜେନେରାଲ ବିପୀନ ରାୱତ କହିଛନ୍ତି ଯେ, ବାରମ୍ବାର ଏଭଳି କର ନାହିଁ ବୋଲି ଆମେ କହିପାରିବୁ ନାହିଁ  । ସାଧାରଣତଃ ଗୋଟିଏ ଭୁଲ୍କୁ ବାରମ୍ବାର ଦୋହରାଇବା ଠିକ୍ ନୁହେଁ  । ତଥାପି ବି ଯଦି ପାକିସ୍ତାନ କାରଗିଲ ଭଳି ଦୁଃସାହାସ କରିବାକୁ ଚେଷ୍ଟା କରିବ ତା’ହେଲେ ତାକୁ ପୂର୍ବାପେକ୍ଷ ଅଧିକ ମୂଲ୍ୟ ଦେବାକୁ ପଡ଼ିବ ଏବଂ ଏଥରକ ତାକୁ ତା’ର ଜୱାନଙ୍କ ରକ୍ତରଞ୍ଜିତ ନାକ ଦେଖିବାକୁ ମିଳିବ  । ପାକିସ୍ତାନ ଏବେ ଯେଭଳି ଦେବାଳିଆ ପରିସ୍ଥିତି ଦେଇ ଗତି କରୁଛି ସେ ଆର୍ଥିକ ସାହାଯ୍ୟ ପାଇଁ ପ୍ରଥମେ ଯେ କୌଣସି କଥା ମାନିବାକୁ ରାଜି ହୋଇଯିବ  । କିନ୍ତୁ ଥରେ ତାକୁ ଆର୍ଥିକ ସହାୟତା ମିଳିଗଲେ ପାକିସ୍ତାନର ତା’ର ଅସଲ ରୂପ ଦେଖାଇବ ଏବଂ ଯେଭଳି ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଆସୁଥିଲା ସେହିଭଳି ଆଗକୁ ମଧ୍ୟ କରିବ ବୋଲି ସେନାଧ୍ୟକ୍ଷ ଜେନେରାଲ ବିପୀନ ରାୱତ କହିଛନ୍ତି  । ସେ ଆହୁରି କହିଥିଲେ ଯେ, ପାକ୍ ଅଧିକୃତ କାଶ୍ମୀର (ପିଓକେ) ଏବଂ ଆକସାଇ ଚୀନର ଯେଉଁ ଅଂଶ ଆମ ନିୟନ୍ତ୍ରଣରେ ନାହିଁ ତାକୁ କିଭଳି ନିୟନ୍ତ୍ରଣକୁ ଆଣିହେବ ସେ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ  । ଏହି ସମସ୍ୟାକୁ କୂଟନୈତିକ ସ୍ତରରେ ସମାଧାନ କରାଯିବ କିମ୍ବା ଅନ୍ୟ କୌଣସି ଉପାୟରେ ସମାଧାନ କରାଯିବ ତାହା କେନ୍ଦ୍ର ସରକାର ସ୍ଥିର କରିବେ  । ସେହିପରି କାଶ୍ମୀରରେ ସ୍ଥାନୀୟ ଯୁବକମାନେ ଆତଙ୍କବାଦକୁ ଆପଣାଉଥିବା ନେଇ ଜେନେରାଲ୍ ରାୱତ ଉଦ୍ବେଗ ପ୍ରକାଶ କରିଥିଲେ  । କାଶ୍ମୀରରେ ବନ୍ଧୁକ ଓ ଯୁବକ ଏକାଠି ଚାଲିପାରିବେ ନାହିଁ  । ଯିଏ ଭି କାଶ୍ମୀରରେ ସେନା ଉପରକୁ ବନ୍ଧୁକ ଉଠାଇବ ତାକୁ ମାଟିତଳେ କବରକୁ ଯିବାକୁ ପଡ଼ିବ ଏବଂ ତା’ର ବନ୍ଧୁକ ଆମ କବ୍ଜାକୁ ଆସିବ  । ମାତ୍ର ଏହା ଏକମାତ୍ର ସମଧାନର ରାସ୍ତା ନୁହେଁ  । ଏଣୁ କାଶ୍ମୀରର ଯୁବକମାନେ କର୍ମନିଯୁକ୍ତି ପାଆନ୍ତୁ ବା ସ୍ୱାବଲମ୍ବୀ ହୋଇ ରୋଜଗାର କରି ନିଜର ଓ ନିଜ ପରିବାରର ଭବିଷ୍ୟତକୁ ଉଜ୍ଜ୍ୱଳ କରନ୍ତୁ ଏହା ସେନା ଚାହେଁ  ।

Comments