ନୂଆଦିଲ୍ଲୀ, ୨୪/୭ : ଗତ ୨୨ ତାରିଖରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ତା’ର ବହୁ ମହତ୍ତ୍ୱାକାଂକ୍ଷୀ ମହକାଶ ଅଭିଯାନ ଅନ୍ତର୍ଗତ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁକୁ ମହାକାଶ ଯାନ ଚନ୍ଦ୍ରାୟାନ-୨କୁ ସଫଳତା ପୂର୍ବକ ଅନ୍ତରୀକ୍ଷକୁ ଉତକ୍ଷେପଣ କରିସାରିଛି । ମାତ୍ର ଏତିକିରେ ସନ୍ତୁଷ୍ଟ ନୁହଁନ୍ତି ଇସ୍ରୋର ବୈଜ୍ଞାନିକ । ସେମାନେ ଆଗକୁ ଏଭଳି ଏକ ଗୁପ୍ତଚର ସାଟେଲାଇଟ୍କୁ ଅନ୍ତରୀକ୍ଷକୁ ଉତ୍କ୍ଷେପଣ କରିବାକୁ ଯାଉଛନ୍ତି ଯାହା ଶତ୍ରୁ ପକ୍ଷର ହାତଘଡ଼ିକୁ ମଧ୍ୟ ଅନ୍ତରୀକ୍ଷରୁ ଦେଖିପାରିବ । ଏହାର ନାମ କାର୍ଟୋସ୍ୟାଟ୍-୩ । ଏନାକୁ ଆସନ୍ତା ସେପ୍ଟେମ୍ବର ଶେଷ ବା ଅକ୍ଟୋବର ମାସରେ ଅନ୍ତରୀକ୍ଷକୁ ଉତ୍କ୍ଷେପଣ କରାଯିବ ବୋଲି ଇସ୍ରୋ ମୁଖ୍ୟ କେ.ଶିବାନ ସୂଚନା ଦେଇଛନ୍ତି । କାର୍ଟୋସ୍ୟାଟ୍-୩ ସାଟେଲାଇଟ୍ ଅନ୍ତରୀକ୍ଷରୁ ଭାରତର ଭୂଖଣ୍ଡ ଉପରେ ନଜର ରଖିବ । ଏହା ଭାରତୀୟ ସୀମା ଉପରେ କଡ଼ା ନଜର ରଖିବା ସହ ପ୍ରାକୃତିକ ବିପର୍ଯ୍ୟସ୍ତ ପୂର୍ବରୁ ସତର୍କ ସୂଚନା ମଧ୍ୟ ଦେବ । ବିଶେଷ କରି କାର୍ଟୋସ୍ୟାଟ୍-୩ ଦ୍ୱାରା ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ, ସେମାନଙ୍କ ପ୍ରଶିକ୍ଷଣ ଶିବିର ଓ ଗତିବିଧି ଉପରେ ଅନ୍ତରୀକ୍ଷରୁ ନଜର ରଖିହେବ । ଏହା ଅନ୍ତରୀକ୍ଷରେ ଭାରତର ତୃତୀୟ ଆଖି ସଦୃଶ ହେବ ଯାହାକି ଅନ୍ତରୀକ୍ଷରୁ ଭାରତର ଜଳ, ସ୍ଥଳ ଓ ଆକାଶ ସୀମା ଉପରେ ତୀକ୍ଷ୍ଣ ନଜର ରଖିବ । ଯଦି କେହି ଭାରତୀୟ ସୀମାକୁ ଉଲ୍ଳଂଘନ କରିବାକୁ ଚେଷ୍ଟା କରେ ତା’ହେଲେ ସେ ସଂକ୍ରାନ୍ତରେ କାର୍ଟୋସ୍ୟାଟ୍-୩ ଅବିଳମ୍ବେ ସୂଚନା ଦେବ । କାର୍ଟୋସ୍ୟାଟ୍-୩ କାର୍ଟୋସ୍ୟାଟ୍ ସିରିଜର ୯ମ ସାଟେଲାଇଟ ହେବ । ଏଥିରେ ସଂଯୁକ୍ତ କ୍ୟାମେରା ଏତେ ଶକ୍ତିଶାଳୀ ଯେ ଏହା ଅନ୍ତରୀକ୍ଷରେ ଘୂର୍ଣ୍ଣୟମାନ ଅବସ୍ଥାରେ ପୃଥିବୀର ଯେ କୌଣସି ଭୂଖଣ୍ଡରୁ ମାତ୍ର ୯.୮୪ ଇଞ୍ଚ ଉଚ୍ଚତା ପର୍ଯ୍ୟନ୍ତ ଫଟୋ ଉଠାଇପାରିବ । ଏହାର କାର୍ଯ୍ୟଦକ୍ଷତା ଏତେ ବେଶୀ ଯେ ଏହା ଆମ ହାତରେ ବନ୍ଧା ହୋଇଥିବା ହାତଘଡ଼ିକୁ ଦେଖି ତା’ର ସଠିକ୍ ସମୟ ମଧ୍ ଜଣାଇପାରିବ । ପ୍ରକାଶ୍ୟ ଯେ, ଗତ ଫେବୟାରୀ ୨୪ ତାରିଖରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ ଉପରେ ଏୟାର ଷ୍ଟ୍ରାଇକ୍ କରିବା ବେଳେ ଏବଂ ୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ଭାରତ କାର୍ଟୋସ୍ୟାଟ୍ ଉପଗ୍ରହର ସାହାଯ୍ୟ ନେଇଥିଲା । ଏଣୁ ଆଗାମୀ ସେପ୍ଟେମ୍ବର ବା ଅକ୍ଟୋବର ମାସରେ କାର୍ଟୋସ୍ୟାଟ୍-୩ ସାଟେଲାଇଟ୍ର ଉତ୍କ୍ଷେପଣ ପରେ ଯଦି କେବେ ଭାରତୀୟ ବାୟୁସେନା କାହା ଉପରେ ଏୟାର ଷ୍ଟ୍ରାଇକ୍ କରେ ତା’ହେଲେ ଶତ୍ରୁ ନିପାତ ହେବା ସୁନିଶ୍ଚିତ ଅଟେ ।
Comments
Post a Comment