କାର୍ଗିଲ ଭୁଲ୍ର ପୁନରାବୃତି କରନି


ନୂଆଦିଲ୍ଲୀ,୨୫/୭: ୨୦ବର୍ଷ ତଳେ ୧୯୯୯ରେ କାର୍ଗିଲ ଯୁଦ୍ଧ ହୋଇଥିଲା । ମଇମାସରୁ ଜୁଲାଇ ପର୍ଯ୍ୟନ୍ତ ଭାରତୀୟ ସେନା ଅତ୍ୟନ୍ତ ପ୍ରତିକୁଳ ପରିସ୍ଥିତିରେ ପାକିସ୍ତାନୀ ସେନା ଓ ଆତଙ୍କବାଦୀଙ୍କ ମୁକାବିଲା କରି ବିଜୟୀ ହୋଇଥିଲେ । ଏହାକୁ ବିଜୟ ଦିବସ ରୁପେ ଭାରତ ପାଳନ କରିଆସୁଛି । ବିଂଶତିତମ ବିଜୟ ଦିବସର ଅବ୍ୟବହିତ ପୂର୍ବରୁ ସେନାମୁଖ୍ୟ ଜେନେରାଲ ବିପିନ ରାୱତ ପାକିସ୍ତାନକୁ ଶକ୍ତ ଚେତାବନୀ ଦେଇ କହିଛନ୍ତି ଯେ, କାର୍ଗିଲ ଭଳି କୌଣସି ତ୍ରୁଟି ପାକିସ୍ତାନ ଆଉ କରିବ ନାହିଁ କାରଣ ପାକିସ୍ତାନ ଭଲଭାବେ ଜାଣିସାରିଛି ଯେ, ଭବିଷ୍ୟତରେ ଏଭଳି ଦୁଃସାହସ କଲେ ତାକୁ ପଶ୍ଚାତାପ ପାଇଁ ସୁଯୋଗ ମିଳିବ ନାହିଁ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିକଟରେ ଆତଙ୍କବାଦ ପ୍ରସଙ୍ଗରେ ଆମେରିକାରେ ଯେଉଁ ବୟାନ ଦେଇଛନ୍ତି ତାହାର ସମ୍ୟକ ରେଫରେନ୍ସ ଦେଇ ଜେନେରାଲ ରାୱତ କହିଛନ୍ତି ଯେ, ପାକିସ୍ତାନରେ ଏବେ ୪୦ଟି ଆତଙ୍କୀ ସଂଗଠନର ୪୦ହଜାରୁ ଅଧିକ ପ୍ରଶିକ୍ଷିତ ଆତଙ୍କବାଦୀ ଆଫଗାନିସ୍ତାନ ଓ କାଶ୍ମୀରରେ ସକ୍ରିୟ ଥିବା ପାକ୍ ପ୍ରଧାନମନ୍ତ୍ରୀ ନିଜେ ମାନୁଛନ୍ତି  । ତେଣୁ ପାକିସ୍ତାନ ଏବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ କରୁ ବୋଲି ସେ ପରାମର୍ଶ ଦେଇଛନ୍ତି । ସୀମା ପାର ଆତଙ୍କବାଦ ପ୍ରସଙ୍ଗରେ ସେ କହିଛନ୍ତି ଯେ, ଆମେ ପୂର୍ବରୁ ପାକିସ୍ତାନକୁ ସବୁପ୍ରକାରର ପ୍ରମାଣ ସଂଗ୍ରହ କରି ଦେଉଥିଲୁ ଓ ପାକିସ୍ତାନ ପ୍ରମାଣ ଯଥେଷ୍ଟ ନୁହେଁ ବୋଲି କହି ଅଧିକ ପ୍ରମାଣ ମାଗେ ଓ କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତ୍ତେ ଗାଲୁ ମାରି ବସିଯାଏ । ଏବେ କିନ୍ତୁ ସେଭଳି ସ୍ଥିତି ନାହିଁ । ପୁଲୱାମା ଆକ୍ରମଣ ପରେ ଭାରତୀୟ ସେନାର ପ୍ରତିକ୍ରିୟା କିପରି ହୋଇପାରେ ତାହା ପାକିସ୍ତାନ ଭଲଭାବେ ଠଉରାଇ ପାରୁଥିବ । ଏହି ଅବସରରେ ସେ ଭାରତୀୟ ସେନାର ଜବାନମାନଙ୍କୁ ଭବିଷ୍ୟତର ଚାଲେଞ୍ଜ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଏବେ ଭାରତ ସମ୍ମୁଖରେ କେବଳ ଗୋଟିଏ ଶତ୍ରୁ ପାକିସ୍ତାନ ନୁହେଁ, ଚୀନର ନାମ ନେଇ ନଥିଲେ ମଧ୍ୟ ପରୋକ୍ଷରେ ସେ ବେଜିଂ ଆଡକୁ ଇସାରା କରିଛନ୍ତି । କାର୍ଗିଲ ଦିବସ ପରିପ୍ରେକ୍ଷୀରେ ୨୦ବର୍ଷ ତଳେ ଶହୀଦ ହୋଇଥିବା ଜବାନମାନଙ୍କୁ ସେ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ସେମାନଙ୍କ ବୀରତ୍ୱ ପାଇଁ ଦେଶ ଗର୍ବିତ ବୋଲି କହିଛନ୍ତି  ।

Comments