କମୁଛି ଆତଙ୍କବାଦ


ନୂଆଦିଲ୍ଲୀ,୨୩ା୭ : ପୂର୍ବ ଦଶନ୍ଧି ତୁଳନାରେ ଚଳିତ ଦଶନ୍ଧି ୧.୪.୨୦୦୯ ଠାରୁ ୩୦.୬.୨୦୧୯ ମଧ୍ୟରେ ଦେଶରେ ଆତଙ୍କବାଦୀ ଆକ୍ରମଣ ଘଟଣା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି, ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ସୁରକ୍ଷାବାହିନୀର ପ୍ରଭାବୀ ଏବଂ ଲଗାତାର କାର୍ଯ୍ୟାନୁଷ୍ଠାନ କାରଣରୁ ଆତଙ୍କବାଦୀ ଆକ୍ରମଣ ଭଳି ଘଟଣା କ୍ରମାଗତ ଭାବେ ହ୍ରାସ ପାଇଛି । ଦେଶର ଆଭ୍ୟନ୍ତରୀଣ ଅଂଚଳରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୭୦% ହ୍ରାସ ପାଇଛି । ପୂର୍ବଦଶନ୍ଧିରେ ମୋଟ ୭୧ଟି ଘଟଣା ଘଟିଥିବା ସମୟରେ ଚଳିତ ଦଶନ୍ଧିରେ ଏହା ମାତ୍ର ୨୧ଟି ଘଟଣାରେ ସୀମିତ ରହିଛି । ଅନୁରୂପ ଭାବେ ଜାମ୍ମୁ ଓ କାଶ୍ମୀରରେ ପୂର୍ବ ଦଶନ୍ଧିରେ ୨୩,୨୯୦ଟି ଆତଙ୍କବାଦୀ କାର୍ଯ୍ୟକଳାପ ସଂଘଟିତ ହୋଇଥିଲା । ଏଥିରେ ମଧ୍ୟ ୮୬% ହ୍ରାସ ଘଟି ଚଳିତ ଦଶନ୍ଧିରେ ମାତ୍ର ୩୧୮୭ଟି ଘଟଣା ଘଟିଛି । ଆହୁରି, ୨୦୧୮ ତୁଳନାରେ ଚଳିତ ବର୍ଷର ଅଧା ଅବଧି ମଧ୍ୟରେ ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୮% ହ୍ରାସ ପରିଲକ୍ଷିତ ହୋଇଥିବା ବେଳେ ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନ ୫୯% ବୃଦ୍ଧି ପାଇଛି । ଆତଙ୍କବାଦ ବିରୋଧରେ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତି ରହିଛି । କେନ୍ଦ୍ର ଏବଂ ରାଜ୍ୟସ୍ତରରେ ଗୁଇନ୍ଦା ଓ ସୁରକ୍ଷାବାହିନୀ ମଧ୍ୟରେ ନିବିଡ଼ ତଥା ପ୍ରଭାବୀ ସମନ୍ୱୟ ରହିଛି । ବହୁମୁଖୀ ସଂସ୍ଥା କେନ୍ଦ୍ର (ଏମଏସି)କୁ ସୁଦୃଢ଼ ଏବଂ ପୁନଃସଂଗଠିତ କରାଯାଇଛି । ଫଳରେ ଏହା ଦିନରାତି ୨୪ ଘଂଟା ଆଧାରରେ କାର୍ଯ୍ୟ କରି ସଠିକ ସମୟରେ ସମ୍ପୃକ୍ତ କେନ୍ଦ୍ରୀ ଓ ରାଜ୍ୟ ସଂସ୍ଥାଗୁଡ଼ିକୁ ଗୁଇନ୍ଦା ସୂଚନା ପ୍ରଦାନ କରିପାରୁଛି । ଆତଙ୍କବାଦ ସଂକ୍ରାନ୍ତ ମାମଲାର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ସୁଦୃଢ଼ କରାଯାଇଛି । ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା ପାଇଁ ରାଜ୍ୟଗୁଡ଼ିକ ସ୍ୱତନ୍ତ୍ର ବାହିନୀ ଗଠନ କରିଛନ୍ତି । ରାଜ୍ୟଗୁଡ଼ିକର ସହାୟତା ଲାଗି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଏବଂ ଜାତୀୟ ସୁରକ୍ଷା ବାହିନୀ (ଏନଏସଜି)କୁ ଦେଶର ବିଭିନ୍ନ ପ୍ରାନ୍ତରେ ମୁତୟନ କରାଯାଇଛି । ଆତଙ୍କବାଦ ମାମଲାରେ ଗୁଇନ୍ଦା ସୂଚନା ଯୋଗାଇ ଦେବା ଏବଂ ତଦନ୍ତ କରିବା ଲାଗି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଲୋକସଭାରେ ପଚରାଯାଇଥିବା ପ୍ରଶ୍ନର ଉତରରେ ଦିଆଯାଇଥିବା ଲିଖିତ ଉତରରେ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ଏହି ସୂଚନା ଦେଇଛନ୍ତି ।

Comments