ନୂଆଦିଲ୍ଲୀ, ୨୭/୭ : ବିଶ୍ୱରେ ଆମେରିକୀୟ ବାୟୁସେନା ବ୍ୟବହାର କରୁଥିବା ଆପାଚି ଏଏଚ୍-୬୪ ଆଟାକ ହେଲିକପ୍ଟର ଏବେ ଭାରତୀୟ ବାୟୁସେନା ହାସିଲ କରିଛି । ଶନିବାର ପୂର୍ବ ଚୁକ୍ତିନାମା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଗାଜିଆବାଦସ୍ଥିତ ହିଣ୍ଡନ ଏୟାରବେସ୍ରେ ୩ରୁ ୪ଟି ଆପାଚି ଆଟାକ ହେଲିକପ୍ଟରକୁ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରାଯାଇଛି । ଆମେରିକା ଠାରୁ ଭାରତ ୨୨ଟି ଆପାଚି ହେଲିକପ୍ଟର କିଣିବା ଲାଗି ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ କରିଛି । ତେବେ ଏଗୁଡ଼ିକୁ ଆସନ୍ତା ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ଭାରତୀୟ ବାୟୁସେନାରେ ବିଧିବଦ୍ଧ ଲାଗି ପଠାନକୋଟକୁ ପଠାଯିବ ବୋଲି ବାୟୁସେନା ସୂତ୍ରରୁ ପ୍ରକାଶ । ଆପାଚେ ଆଟାକ୍ ହେଲିକପ୍ଟରର ବିଶେଷତ୍ୱ ଆପାଚେ ଏଏଚ୍-୬୪ ଆଟାକ ହେଲିକପ୍ଟରରେ ୩୦ ମିମିର ମେସିନଗନ୍ ଲାଗିଛି ଯାହାକି ଗୋଟିଏ ଥରରେ ୧୨ଶହ ରାଉଣ୍ଡ ଗୁଳି ଫାୟାରିଂ କରିପାରିବ । ଏଥିସହିତ ଏଥିରେ ଆଣ୍ଟି ଟ୍ୟାଙ୍କ୍ ହେଲ୍ଫାୟାର ମିସାଇଲ ରହିଛି ଯାହାକି ପାର୍ବତ୍ୟାଞ୍ଚଳ ହେଉ ବା ସ୍ଥଳଭୂମି ବା ମରୁଭୂମି ଶତ୍ରପକ୍ଷର ଟ୍ୟାଙ୍କ୍କୁ ଠାବ କରି ଅନାୟାସରେ ଧ୍ୱଂସ କରିପାରିବ । ସେହିଭଳି ଏଥିରେ ହାଇଡ୍ରା ଅନ୍ଗାଇଡେଡ୍ ରକେଟ୍ ସଂଯୁକ୍ତ କରଯାଇଛି ଯାହକି ଆକାଶମାର୍ଗରୁ ଭୂପୃଷ୍ଠରେ ଶତ୍ରୁପକ୍ଷର ସୈନ୍ୟବାହୀ ଗାଡ଼ି, ତୋପ ଓ ଟ୍ୟାଙ୍କ୍ଗୁଡ଼ିକ ସଠିକ୍ ରୂପେ ଟାର୍ଗେଟ କରି ଲକ୍ଷ୍ୟଭେଦ କରିପାରିବ । ଏହି ଅତ୍ୟାଧୁନିକ ହେଲିକପ୍ଟର ୧୫୦ ନଟିକାଲ୍ ମାଇଲ୍ ବେଗରେ ଉଡ଼ୁଥିବାରୁ ଏହାକୁ ଟାର୍ଗେଟ୍ କରିବା ଶତ୍ରୁ ପକ୍ଷରେ ସେତେ ସମ୍ଭବପର ନୁହେଁ । ଏହି ହେଲିକପ୍ଟରକୁ ବଣଜଙ୍ଗଲ, ପାହାଡିଆ ଅଞ୍ଚଳରେ ଆତ୍ମଗୋପନ କରିଥିବା ଆତଙ୍କବାଦୀ ଓ ନକ୍ସଲଙ୍କ ବିରୋଧରେ ମଧ୍ୟ ବ୍ୟବହାର କରାଯାଇ ସେମାନଙ୍କୁ ନିପାତ କରାଯିବ । ଏଥିପୂର୍ବରୁ ଭାରତୀୟ ବାୟୁସେନା ଋଷ ନିର୍ମିତ ଏମ୍ଆଇ ୩୫ ଓ ଏମ୍ଆଇ ୨୩ ଆଟାକ ହେଲିକପ୍ଟରକୁ ବ୍ୟବହାର କରିଆସୁଛି । ସେହିପରି ସ୍ୱଦେଶୀ ଜ୍ଞାନକୌଶଳରେ ରୁଦ୍ର ଆଟାକ ହେଲିକପ୍ଟରକୁ ମଧ୍ୟ ପ୍ରସ୍ତୁତ କରାଯାଇଛି ।
Comments
Post a Comment