ହିନ୍ଦୁଙ୍କ ଧର୍ମୀୟ ଆସ୍ଥା ସହିତ ଓତଃପ୍ରୋତ ଭାବେ ଜଡ଼ିତ ରାମଜନ୍ମଭୂମିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ହେବ ନାହିଁ



ନୂଆଦିଲ୍ଲୀ, ୨୮/୮ : ସୁପ୍ରିମ୍କୋର୍ଟରେ ବୁଧବାର ଅଯୋଧ୍ୟା ମାମଲାର ଶୁଣାଣି ହୋଇଥିଲା  । ଆଜିର ଶୁଣାଣି ୧୪ତମ ଶୁଣାଣି ହୋଇଥିଲାବେଳେ ବିବାଦୀୟ ଜମିରେ ଥିବା ବାବ୍ରୀ ମସଜିଦର ୩ଟି ଗମ୍ବୁଜ ବିଶିଷ୍ଟ ଢାଞ୍ଚା ପ୍ରକୃତରେ ମସଜିଦ ନଥିଲା ବୋଲି ଏଥିରେ ପକ୍ଷଭୁକ୍ତ ରାମଜନ୍ମଭୂମି ପୁନରୁଦ୍ଧାର ସମିତି ଯୁକ୍ତି ଉପସ୍ଥାପନ କରିଛି  । ମସଜିଦ୍ ପାଇଁ ଯେଉଁ ଜିନିଷଗୁଡ଼ିକ ଆବଶ୍ୟକ ତାହା ସେଠାରେ ନାହିଁ ବୋଲି ରାମଜନ୍ମଭୂମି ପୁନରୁଦ୍ଧାର ସମିତି ପକ୍ଷରୁ ଓକିଲ ପି.ଏନ୍.ମିଶ୍ରା ମାନ୍ୟବର ଶୀର୍ଷ କୋର୍ଟଙ୍କୁ ଅଗବତ କରାଇଥିଲେ  । ଏଥିସହିତ ଏହି ବିବାଦୀୟ ଢାଞ୍ଚାକୁ କିଏ ନିର୍ମାଣ କରିଥିଲେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ଯେହେତୁ ମୁଗଲ ସମ୍ରାଟ ବାବରଙ୍କ ମୀର ବାକୀ ନାମକ କେହି ସେନାପତି ନଥିଲେ ବୋଲି ଇତିହାସ ପୃଷ୍ଠଭୂମିରୁ ଜଣାପଡ଼ିଥିବା ଓକିଲ ଶ୍ରୀ ମିଶ୍ରା ଯୁକ୍ତି ବାଢ଼ିଥିଲେ  । ସେହିପରି ମୋଗଲ ଶାସନକାଳର ୩ଟି ପ୍ରସିଦ୍ଧ ପୁସ୍ତକ ଆଇନ-ଇ-ଆକବରୀ, ହୁମାୟୁନନାମା ଏବଂ ତୁର୍କ-ଏ-ଜହାଙ୍ଗୀରରେ ମଧ୍ୟ ବାବ୍ରୀ ମସଜିଦର କୌଣସି ଉଲ୍ଳେଖ ନାହିଁ ବୋଲି ଶ୍ରୀ ମିଶ୍ରା ଯୁକ୍ତି ଉପସ୍ଥାପନ କରିଥିଲେ  । ଅନ୍ୟପଟେ କ’ଣ ଔରଙ୍ଗଜେବଙ୍କ ସେନାପତି ଜଣେ ଇଟାଲୟ ଥିଲେ ବୋଲି ମାନ୍ୟବର ଖଣ୍ଡପୀଠ ପ୍ରଶ୍ନ କରିଥିଲେ । ଏହରା ଉତରରେ ନିକୋଲୋ ମନୁଚୀ ନାମକ ଜଣେ ଇଟାଲୀୟ ଔରଙ୍ଗଜେବଙ୍କ ସେନାପତି ଥିଲେ ଓ ସେ ଗୋଟିଏ ପୁସ୍ତକ ଲେଖିଥିଲେ ବୋଲି ଓକିଲ ଶ୍ରୀ ମିଶ୍ରା ଯୁକ୍ତି ବାଢ଼ିଥିଲେ  । ସେହିଭଳି ମଙ୍ଗଳବାର ମାମଲାର ଶୁଣାଣି ସମୟରେ ଓକିଲ ଶ୍ରୀ ମିଶ୍ରା ଯୁକ୍ତିରେ ଦର୍ଶାଇଥିଲେ ଯେ, ଯେଭଳି ମକ୍କା ଓ ମଦୀନାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ ନାହିଁ ସେହିପରି ଅଯୋଧ୍ୟା ସ୍ଥିତ ରାମଜମ୍ମଭୂମିକୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇହେବ ନାହିଁ  । ମନ୍ଦିରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇପାରେ ମାତ୍ର କୋଟି କୋଟି ହିନ୍ଦୁଙ୍କ ଧର୍ମୀୟ ଆସ୍ଥା ସହିତ ଓତଃପ୍ରୋତ ଭାବେ ଜଡ଼ିତ ରାମଜନ୍ମଭୂମିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ହେବ ନାହିଁ  । ସେ ଆହୁରି ଦର୍ଶାଇଥିଲେ ଯେ, ଅଯୋଧ୍ୟାରେ ରାମମନ୍ଦିରକୁ ବାବର କିମ୍ବା ଔରଙ୍ଗଜେବ କିଏ ପ୍ରକୃତରେ ଭାଙ୍ଗିଥିଲେ ତାହା ହିନ୍ଦୁଙ୍କ ପାଇଁ କୌଣସି ମହତ୍ୱ ରଖୁନାହିଁ  । ଏହା ମୁସଲିମ ପକ୍ଷଙ୍କ ପାଇଁ କିଛିଟା ମହତ୍ୱ ବହନ କରୁଥାଇପାରେ  । ରାମଜନ୍ମଭୂମିରୁ ୮୫ତମ ସ୍ତମ୍ଭ ମିଳିଛି । ସେଥିମଧ୍ୟରୁ ୮୪ତମ ସ୍ତମ୍ଭ ରାଜା ବିକ୍ରମାଦିତ୍ୟଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ଓ ସେ ସେଠାରେ ଏକ ଗରୁଡ଼ ସ୍ତମ୍ଭ ମଧ୍ୟ ସ୍ଥାପନା କରିଥିଲେ ବୋଲି ପି.ଏନ୍.ମିଶ୍ରା ଯୁକ୍ତି ବାଢ଼ିଥିଲେ  । ଏଣୁ ରାମଙ୍କ ଜନ୍ମଭୂମି ଉପରେ ହିଁ ବାବ୍ରୀ ମସଜିଦ୍କୁ ବନାଯାଇଛି ବୋଲି ସେ ଯୁକ୍ତି ଦର୍ଶାଇ ଏହା ସମ୍ପୂର୍ଣ୍ଣ ରୂପେ ହିନ୍ଦୁଙ୍କ ବୋଲି ଅଦାଲତଙ୍କୁ ଅବଗତ କରାଇଥିଲେ ।

Comments