ଜମ୍ମୁ କାଶ୍ମୀର ବିଧାନସଭାରେ ପିଓକେର ନେତାଙ୍କୁ ମିଳିବ ସଦସ୍ୟତା



ନୂଆଦିଲ୍ଲୀ,୨୬/୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପୂରା ଟିମ ଏବେ ପିଓକେ ଉପରେ ନଜର ରଖିଛନ୍ତି । ଏଥି ଅନ୍ତର୍ଗତ କେନ୍ଦ୍ର ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି । ଏଥି ମୁତାବକ ଜମ୍ମୁ କାଶ୍ମୀର ବିଧାନସଭାର ମୋଟ ଆସନ ସଂଖ୍ୟା ପୂର୍ବରୁ ୮୯ ଥିଲା । ସେଥିମଧ୍ୟରୁ ୮୭ ଜଣ ନିର୍ବାଚିତ ହେବାର ବ୍ୟବସ୍ଥା ଥିବାବେଳେ ଦୁଇଜଣ ମନୋନୀତ ହୋଇଥାନ୍ତି । କିନ୍ତୁ ଲଦାଖକୁ ଜମ୍ମୁ କାଶ୍ମୀରରୁ ଅଲଗା କରିଦିଆଯିବା ପରେ ଏଠାରେ ଏବେ ମୋଟ ଆସନ ସଂଖ୍ୟା ୩କୁ ହ୍ରାସ ପାଇବା କଥା କିନ୍ତୁ ଗତ ୫ତାରିଖରେ ସଂସଦରେ ପାରିତ ହୋଇଥିବା ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲ ଅନୁସାରେ ଜମ୍ମୁ କାଶ୍ମୀରରେ ଏବେ ୧୦୭ ବିଧାୟକ ଆସନ ରହିବ । ଏହାକୁ ପରବର୍ତୀ ସମୟରେ ୧୧୪କୁ ବୃଦ୍ଧି କରାଯିବ । ଡି ଲିମିଟେସନ ପ୍ରକ୍ରିୟା ପରେ ଆସନ ସଂଖ୍ୟା ୧୧୪କୁ ବୃଦ୍ଧି ପାଇବ । ତେବେ ପୂର୍ବରୁ ଯେଉଁ ବିଧାନସଭା ଥିଲା ସେଥିରେ ୨୪ଟି ଆସନ ପାକ ଅଧିକୃତ କାଶ୍ମୀରର ପ୍ରତିନିଧିତ୍ୱ ପାଇଁ ଖାଲି ରହୁଥିଲା । ଏବେ ସେହି ଅନୁପାତରେ ପାକ ଅଧିକୃତ କାଶ୍ମୀରର ପ୍ରତିନିଧିମାନଙ୍କୁ ଏଠାରେ ସଦସ୍ୟତା ମିଳିବ । ଶୁଣିବାକୁ ମିଳୁଛି,ପାକ ଅଧିକୃତ କାଶ୍ମୀରର ଭାରତ ସମର୍ଥକ ନେତା ସୌକତ ଅଲ୍ଲୀଙ୍କୁ ପ୍ରଥମେ ସଦସ୍ୟ କରାଯିବ । କେନ୍ଦ୍ର ସରକାରଙ୍କ ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ମୁତାବକ ପାକ ଅଧିକୃତ କାଶ୍ମୀରର ଛାତ୍ରଛାତ୍ରୀମାନଙ୍କୁ ଏଣିକି ଭାରତ ସରକାର ଛାତ୍ରବୃତି ଦେବେ । ସେମାନଙ୍କୁ ଆଜି ପର୍ଯ୍ୟନ୍ତ ପାକିସ୍ତାନ ଅଣଦେଖା କରିଆସିଛି । ଭାରତ ସେମାନଙ୍କ ସଦିଚ୍ଛା ହାସଲ କରିବା ପାଇଁ ଏଭଳି ଆହୁରି କିଛି ପଦକ୍ଷେପ ଆଗକୁ ଘୋଷଣା କରିପାରେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛିଯେ, ପାକିସ୍ତାନ ଭାରତ ବିରୋଧରେ ଅପପ୍ରଚାର କରୁଥିବାରୁ ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଟିମ ଗଠନ କରିଛନ୍ତି । ପାକିସ୍ତାନ ଓ ବିଚ୍ଛିନ୍ନତାବାଦିମାନେ ଭାରତକୁ ନିନ୍ଦିତ କରିବାପାଇଁ ଅନେକ ପୂରୁଣା ଭିଡିଓକୁ ଯୋଡାଯୋଡି କରି ଅପପ୍ରଚାର ଚଳାଇଛନ୍ତି । ଏହାର ମୁକାବିଲା କରିବାକୁ ଏହି ନବଗଠିତ ଟିମ କାର୍ଯ୍ୟକରିବ । ଏଥିରେ ଆଇଟି ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ଗୁଇନ୍ଦା ବିଭାଗର ପ୍ରତିନିଧିମାନେ ମଧ୍ୟ ସଦସ୍ୟ ରହିଛନ୍ତି ।

Comments