ଧର୍ମାନ୍ତିକରଣ ଉପରେ ରୋକ୍ ଲଗାଇବା ପାଇଁ ଆଇନ ବ୍ୟବସ୍ଥା ଥିବା ବେଳେ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ


ସମ୍ବଲପୁର,୨୩ା୮ : ରାଜ୍ୟରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ବିଭିନ୍ନ ଉପାୟ ଅବଲମ୍ବନ କରି ଅଶିକ୍ଷୀତ, ଗରିବ, ଅନୁସୂଚୀତ ଜାତି ଓ ଜନଜାତି ଲୋକଙ୍କୁ ଧର୍ମାନ୍ତିକରଣ କରୁଛନ୍ତି । ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ତାଙ୍କ ଧର୍ମରେ ଦିକ୍ଷୀତ କରାଉଛନ୍ତି । ଧର୍ମାନ୍ତିକରଣ ଉପରେ ରୋକ୍ ଲଗାଇବା ପାଇଁ ଆଇନ ବ୍ୟବସ୍ଥା ଥିବା ବେଳେ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ । ତେଣୁ ଦିନକୁ ଦିନ ଧର୍ମାନ୍ତିକରଣ କାର୍ଯ୍ୟ ଚାଲୁ ରହୁଛି । ଯଦି ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯାଏ ତେବେ ଏହା ଉପରେ ରୋକ୍ ଲଗାଯାଇ ପାରିବ । ଶୁକ୍ରବାର ହୋଟେଲ ହରଜିତ୍ ରେସିଡେନ୍ସି ଠାରେ ବିଶ୍ୱହିନ୍ଦୁ ପରିଷଦ ଓଡିଶା(ପଶ୍ଚିମ)ର ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିନାୟକ ରାଓ ଦେଶପାଣ୍ଡେ ଏହା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଧର୍ମାନ୍ତିକରଣ କରାଯାଉଛି । ତେବେ ବିଶ୍ୱହିନ୍ଦୁ ପରିଷଦ ବିଭିନ୍ନ ସେବା କାର୍ଯ୍ୟକ୍ରମ ଜରିଆରେ ଏହା ଉପରେ ରୋକ୍ ଲଗାଇବାକୁ ଉଦ୍ୟମ କରୁଛି । ଅନ୍ୟପଟେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ମାନେ ଓଡିଶାରେ ପ୍ରବେଶ କରୁଛନ୍ତି । ଏଥିସହ ମୁସଲମାନ ମାନେ ଜନ୍ମ ନିୟନ୍ତ୍ରଣ ନକରିବାରୁ ଜନସଂଖ୍ୟା ବୃଦ୍ଧି ପାଉଛି । ଏହା ରାଜ୍ୟ ତଥା ଦେଶ ପାଇଁ ଘାତକ ହେବ । ଏହାକୁ ଦୃଷ୍ଟିରେ ରଖି ଗତ ଜୁନ୍ ମାସରେ ପରିଷଦ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ପ୍ରସ୍ତାବ ଗୃହୀତ କରିଥିଲା । ଯାହାକି ସ୍ୱାଧୀନତା ଦିବସର ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ସମ୍ୟକ୍ ସୂଚନା ଦେଇଥିଲେ । ଧାରା ୩୭୦ ଓ ୩୫କୁ ଜମ୍ମୁ-କାଶ୍ମୀରରେ ହଟାଇବା ଓ ତିନି ତଲାକ୍ ଉଚ୍ଛେଦ ଯୋଗୁଁ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସାଧୁବାଦ୍ ଦିଆଯାଉଛି । ରାମ୍ ମନ୍ଦିର ନିର୍ମାଣକୁ ନେଇ ସୁପ୍ରିମ୍କୋର୍ଟରେ ୫ଦିନ ଲେଖାଏଁ ଅଦାଲତ ଚାଲୁ ଥିବା ବେଳେ ଖୁବ୍ଶୀଘ୍ର ଏହାର ରାୟ ପ୍ରକାଶ ପାଇବ । ଯାହାକି ରାମ୍ ପ୍ରେମୀଙ୍କ ସପକ୍ଷରେ ଯିବ ବୋଲି ଆଶା କରାଯାଉଛି । ପବିତ୍ର ଜନ୍ମାଷ୍ଟମୀରେ ବିଶ୍ୱହିନ୍ଦୁ ପରିଷଦର ୫୫ତମ ସ୍ଥାପନା ଦିବସ ପାଳନ ହେଉଛି । ପୂଜ୍ୟ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଏହି ଦିନ ହୋଇଥିବାରୁ ତାଙ୍କ ହତ୍ୟାକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସଭାପତି ସୁଶୀଲ ପାଣିଗ୍ରାହୀ, ପ୍ରାନ୍ତ ସହ ସମ୍ପାଦକ ରାଜୀବ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।

Comments