୧୮୫୬ ପୂର୍ବରୁ ବାବ୍ରୀ ମସଜିଦରେ କୌଣସି ନମାଜ ପାଠ ହେଉନଥିଲା-ପି.ଏନ୍.ମିଶ୍ରା

ନୂଆଦିଲ୍ଲୀ, ୩୦/୮  : ସୁପ୍ରିମକୋର୍ଟରେ ଶୁକ୍ରବାର ଅଯୋଧ୍ୟା ମାମଲାର ୧୬ଶ ଶୁଣାଣି ହୋଇଥିଲା  । ଶୁକ୍ରବାର ମାମଲାର ଶୁଣାଣି ସମୟରେ \nଏଥିରେ ପକ୍ଷଭୁକ୍ତ ଶ୍ରୀରାମଜନ୍ମଭୂମି ପୁନରୁତ୍ଥାନ ସମିତିର ଓକିଲ ପି.ଏନ.ମିଶ୍ରା ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ,୧୮୫୬ ପୂର୍ବରୁ ବାବ୍ରୀ ମସଜିଦରେ କୌଣସି ନମାଜ ପାଠ ହେଉନଥିଲା ଏବଂ ୧୯୩୪ ପର୍ଯ୍ୟନ୍ତ ଏଠାରେ କେବଳ ଜୁମ୍ମା ବା ଶୁକ୍ରବାର ଦିନ ନମାଜ ପାଠ ହେଉଥିଲା  । ତେବେ ଏଥିରୁ ସ୍ପଷ୍ଟ ଭାବେ ପ୍ରମାଣିତ ହେଉଛି ଯେ, ବାବ୍ରି ମସଜିଦ ସଂଲଗ୍ନ ରାମଲାଲାଙ୍କ ଜନ୍ମସ୍ଥାନକୁ ହିନ୍ଦୁମାନେ ନିୟମିତ ପୂଜାପାଠ କରିବାକୁ ଆସୁଥିଲେ ଏବଂ ତାହା କେବେ ବି ମୁସଲିମଙ୍କ ନିୟନ୍ତ୍ରଣାଧୀନ ନଥିଲା  । କିନ୍ତୁ ବାବର ତାଙ୍କ ଶାସନକାଳରେ ଏଠାରେ ଜୋର ଜବରଦସ୍ତି ନମାଜ ପାଠ ହେଉଥିଲା ବୋଲି ଶ୍ରୀରାମଜନ୍ମଭୂମି ପୁନରୁତ୍ଥାନ ସମିତିର ଓକିଲ ପି.ଏନ.ମିଶ୍ରା ଯୁକ୍ତି ଉପସ୍ଥାପନ କରିଥିଲେ  । ଶୁକ୍ରବାର ଅଯୋଧ୍ୟା ମାମଲାର ଶୁଣାଣି ସମୟରେ ଓକିଲ ଶ୍ରୀ ପି.ଏନ୍.ମିଶ୍ରା ମାନ୍ୟବର ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକ୍ରମେ ଅଯୋଧ୍ୟ ରାମଜନ୍ମଭୂମିର ରାଜସ୍ୱ ରେକର୍ଡକୁ ଉପସ୍ଥାପନ କରିଥିଲେ  । ଏହି ରେକର୍ଡରେ ବିବାଦୀୟ ସ୍ଥାନ ହିଁଁ ରାମଲାଲାଙ୍କ ଜନ୍ମସ୍ଥାନ ବୋଲି ଦର୍ଶାଯାଇଥିବା ସେ ଅଦାଲତଙ୍କୁ ଅବଗତ କରିଥିଲେ  । ପରେ ଏଥିରେ ଜୁମ୍ମା ମସଜିଦର ନାମ ଯୋଡ଼ା ଯାଇଥିଲା  । ତେବେ ରାଜସ୍ୱ ରେକର୍ଡର ମୂଳ ଲେଖାକୁ ଜବରଦସ୍ତି ଘଷି ଲିଭାଯାଇଥିଲା ବୋଲି ଶ୍ରୀ ମିଶ୍ରା ଯୁକ୍ତି ଉପସ୍ଥାପନ କରିଥିଲେ  । ପରେ ଏହାର କାଳିକୁ ମଧ୍ୟ ବଦଳାଯାଇଥିଲା  । ମୂଳ ଲେଖା ଗାଢ଼ ରଙ୍ଗର କାଳି ଓ ଗାଢ଼ କଳ ରଙ୍ଗରେ ଲେଖାଯାଇଥିଲାବେଳେ ପରେ ଏହାକୁ ଘଷି ଲିଭାଯାଇ ହାଲୁକା ରଙ୍ଗ ଓ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଥିବା ଓକିଲ ଶ୍ରୀ ମିଶ୍ରା ଯୁକ୍ତି ବାଢ଼ିଥିଲେ  ।\nସେ ଆହୁରି କହିଥିଲେ ଯେ, ବାବ୍ରୀ ମସଜିଦରେ ଗତ ୧୯୪୯ ଡିସେମ୍ବର ୧୬ ତାରିଖରେ ଶେଷ ନମାଜ ପାଠ ହୋଇଥିଲା  । ଏହାପରେ ସାମ୍ପ୍ରଦାୟିକ ଦଙ୍ଗା ହେବାରୁ ଜିଲ୍ଲା ପ୍ରଶାସନ ସେଠାରେ ନମାଜ ପାଠ ବନ୍ଦ କରି ଦେଇଥିଲେ  । ଏହି ଅବସରରେ ଓକିଲ ଶ୍ରୀ ମିଶ୍ରା କେତେକ ପୁରୁଣା ପୁସ୍ତକର ଅଂଶବିଶେଷକୁ ଉପସ୍ଥାପନ କରି ଯୁକ୍ତି ବାଢ଼ିଥିଲେ ଯେ, ୧୯୩୪ରୁ ୧୯୪୯ ମଧ୍ୟରେ ବାବ୍ରୀ ମସଜିଦର ଚାବି ମୁସଲିମଙ୍କ ନିକଟରେ ରହୁଥିଲା  । ମାତ୍ର ପୁଲିସର ଉପସ୍ଥିତିରେ ଏହାକୁ କେବଳ ନମାଜ ପାଠ ପାଇ ଖୋଲାଯାଉଥିଲା ଏବଂ ସଫାସୁତୁରା ହେବା ପରେ ସେଠରେ ନମାଜ ପାଠ ହେଉଥିଲା  । ତେବେ ଏହି ସମୟରେ ସାଧୁସନ୍ଥମାନେ ମନ୍ତ୍ରୋଚ୍ଚାରଣ କରୁଥିବାରୁ ନମାଜ ପାଠରେ ବିଶୃଙ୍ଖଳା ଉପୁଜିଥିଲା ଏବଂ ଏହାକୁ ନେଇ ଉଭୟ ସମୁଦାୟ ମଧ୍ୟରେ ଉତେଜନା ଲାଗି ରହୁଥିଲା  । ତେବେ ୧୯୪୯ ୨୨ ଓ ୨୩ ଡିସେମ୍ବର ରାତିରେ ବାବ୍ରି ମସଜିଦ୍ରେ ଜୁମ୍ମାର ନମାଜ ପାଠ ଲାଗି ପ୍ରସ୍ତୁତି ସରିଥିଲେ ହେଁ ପରେ ସେଠାରେ ନମାଜ ପାଠ ହୋଇପାରିନଥିଲା ବୋଲି ଓକିଲ ଶ୍ରୀ ମିଶ୍ରା ଯୁକ୍ତିରେ ଦର୍ଶାଇଥିଲେ  । \nଅନ୍ୟପଟେଏଥିରେ ପକ୍ଷଭୁକ୍ତ ସିହା ୱାକଫବୋର୍ଡ ପକ୍ଷରୁ ଏହାର ଓକିଲ ଏମ୍.ସି.ଧୀଙ୍ଗ୍ରା ଦର୍ଶାଇଥିଲେ ଯେ, ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ଜମିର ଏକତୃତୀୟାଂଶ ମୁସଲିମ୍ ପକ୍ଷକୁ ଦେଇଥିଲେ ତାହା ପ୍ରକୃତରେ ସିହା ୱାକଫବୋର୍ଡର  । କାରଣ ଷୋଡ଼ଶ ଶତାବ୍ଦୀରେ ବାବରଙ୍କ ନିର୍ଦ୍ଦେଶକ୍ରମେ ମୀର ବାକି ଏଠାରେ ମସଜିଦ ନିର୍ମାଣ କରିଥିଲେ  । ଏହି ଜମି ୧୯୪୪ ପର୍ଯ୍ୟନ୍ତ ସିହା ୱାକଫବୋର୍ଡ ନାମରେ ଥିଲା  । ତେବେ ଏହାକୁ ଭୁଲ୍କ୍ରମେ ସୁ୍ନ୍ନୀ ୱାକଫ ବୋର୍ଡ ନାମରେ କରାଯିବା ପରେ ୧୯୪୬ ସୁନ୍ନୀ କେନ୍ଦ୍ରୀୟ ୱାକଫବୋର୍ଡ ଏହାକୁ ନିଜର ବୋଲି ଦାବି କରୁଛି  । ଅନ୍ୟଥା ଏହି ଜମି ଉପରେ ସୁନ୍ନୀ ୱାକଫ ବୋର୍ଡର କୌଣସି ଅଧିକାର ନାହିଁ  । ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଏକ-ତୃତୀୟାଂଶ ଜମି ଆମର  । ଏହାକୁ ଆମେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଦାନ କରିବାକୁ ଇଚ୍ଛୁକ ଅଛୁ ଏବଂ ହିନ୍ଦୁ ପକ୍ଷର ଯୁକ୍ତିକୁ ସମର୍ଥନ କରୁଛୁ  । ଅପରପକ୍ଷେ ସୁନ୍ନୀ ୱାକଫବୋର୍ଡ ଆସନ୍ତା ସୋମବାର ଏହାର ପକ୍ଷ ରଖିବ ବୋଲି ଜଣାଯାଇଛି  । 

Comments