ସୁରକ୍ଷାକର୍ମୀ ଓ ସେନାର ଧ୍ୟାନକୁ ହଟାଇବା ଲାଗି ପାକିସ୍ତାନ ଏବେ ନୂଆ ଚାଲ୍

 ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫(କ)ର ଉଚ୍ଛେଦ ପରେ ପ୍ରାୟ ୭୦ ବର୍ଷ ଧରି ଜମ୍ମୁ-କାଶ୍ମୀରକୁ ନେଇ ରାଜନୀତି କରିଆସୁଥିବା ପାକିସ୍ତାନ ତୁଚ୍ଛାକୁ ବାଉଳି ଚାଉଳି ହେଉଛି  । ସେ ଏହି ପ୍ରସଙ୍ଗକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଚୀନ ଦ୍ୱାରା ଉଠାଇ ଅପଦସ୍ତ ମଧ୍ୟ ହୋଇସାରିଛି  । ଜମ୍ମୁ-କାଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଏଥିରେ କøଣସି ତୃତୀୟ ପକ୍ଷର ହସ୍ତକ୍ଷେପର ଆବଶ୍ୟକତା ନାହିଁ ବୋଲି ମିଳିତ ଜାତିସଂଘ ଘୋଷଣା କରିସାରିଛି  । ତେଣେ ଜମ୍ମୁକାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ସେଠାରେ ଜନଜୀବନ ସ୍ୱାଭାବିକ ହୋଇସାରିଛି  । ସରକାରୀ ସ୍କୁଲ, କଲେଜ, ହସ୍ପିଟାଲ, ବ୍ୟାଙ୍କ୍, ଦୋକାନ ବଜାର ଆଦି ଖୋଲିବା ସହିତ ସ୍ଥାନୀୟ ବାସିନ୍ଦାମାନେ ବେଶ ଆରାମରେ ଯାତାୟାତ ଓ କିଣାକିଣି କରିପାରୁଛନ୍ତି  । ମାତ୍ର ଏସବୁକୁ ପାକିସ୍ତାନ ସହ୍ୟ କରିପାରୁ ନାହିଁ  । ଘାଟିରେ ମଧ୍ୟ ସୁରକ୍ଷାକର୍ମୀ ଓ ସେନାର ଜୱାନମାନକଙ୍କ ସଜାଗ ପହରା ଯୋଗୁଁ ଅନୁପ୍ରବେଶ ଘଟଣା କମ୍ ହେବା ସହିତ ଆତଙ୍କବାଦୀଙ୍କ ପ୍ରାର୍ଦୁଭାବ ମଧ୍ୟ ଯଥେଷ୍ଟ ମାତ୍ରାରେ କମିଯାଇଛି  । ଏଣୁ ସୁରକ୍ଷାକର୍ମୀ ଓ ସେନାର ଧ୍ୟାନକୁ ହଟାଇବା ଲାଗି ପାକିସ୍ତାନ ଏବେ ନୂଆ ଚାଲ୍ ଖେଳିଛି  । ଗୁଜରାଟର ସରକ୍ରିକ ଅଂଚଳରେ ପାକିସ୍ତାନ ତା’ର ଏସ୍ଏସ୍ଜି କମାଣ୍ଡୋଙ୍କୁ ମୁତୟନ କରିଛି  । ପାକିସ୍ତାନ ପକ୍ଷରୁ ଇକବାଲ-ବାଜୱା ପୋଷ୍ଟରେ ଏହି କମାଣ୍ଡୋମାନଙ୍କୁ ମୁତୟନ କରାଯାଇଛି  । ତେବେ ସରକ୍ରିକ୍ରେ ନିୟୋଜିତ ଭାରତୀୟ କମାଣ୍ଡୋଙ୍କ ବିରୁଦ୍ଧରେ ପାକିସ୍ତାନୀ କମାଣ୍ଡୋମାନେ କିଛି ଗୋଟାଏ ବଡ଼ ଧରଣର ଷଡ଼ଯନ୍ତ୍ର କରିପାରନ୍ତି ବୋଲି ଆଶଙ୍କା କରାଯାଇ ଭାରତୀୟ ସେନା ମଧ୍ୟ ହାଇଆଲର୍ଟରେ ରହିଛି  । ପ୍ରକାଶ୍ୟ ଯେ, ଜମ୍ମୁ-କାଶ୍ମୀର ଭଳି ଭାରତ ଓ ପାକିସ୍ତାନ ମଧ୍ୟରେ ଗୁଜରାଟର ସରକ୍ରିକକୁ ନେଇ ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଛି  । ୧୯୯୦ ମସିହାରେ ଏହି ବିବାଦ ଆରମ୍ଭ ହୋଇଥିଲା  । ଗୁଜରାଟ ଏବଂ ପାକିସ୍ତାନର ସିନ୍ଧ ପ୍ରଦେଶ ମଧ୍ୟରେ ଅବସ୍ଥିତ ସରକ୍ରିକ ଠାରେ ଥିବା ପ୍ରାୟ ୬୦ କି.ମି. ଦୀର୍ଘର ସନ୍ତସନ୍ତିଆ ଅଂଚଳକୁ ଉଭୟ ଭାରତ ଓ ପାକିସ୍ତାନ ନିଜର ଅଳ ଭାବେ ଦାବି କରିଆସୁଛନ୍ତି  । ଉଲ୍ଲେଖଥାଉ କି, ସ୍ୱାଧୀନତା ପରେ ଯେତେବେଳେ ଭାରତ ଓ ପାକିସ୍ତାନ ଅଲଗା ହୋଇଗଲେ ସେତେବେଳେ ସରକ୍ରିକ୍ ଉପରେ ପାକିସ୍ତାନ ତା’ର ଅଧିକାର ସାବ୍ୟସ୍ତ କଲା  । ମାତ୍ର ଏହାକୁ ଭାରତ ବିରୋଧ କରିଥିଲା  । କଚ୍ଛର ଗୋଟିଏ ମୁଣ୍ଡରୁ ଅନ୍ୟ ମୁଣ୍ଡ ପର୍ଯ୍ୟନ୍ତ ଏକ ସିଧା ରେଖା ଟାଣି ଏହାକୁ ୨ ଦେଶ ମଧ୍ୟରେ ସୀମାରେଖା ଭାବେ ଗ୍ରହଣ କରିନେବାକୁ ଭାରତ ପ୍ରସ୍ତାବ ଦେଇଥିଲା  । କିନ୍ତୁ ଏଭଳି ହୋଇଥିଲେ କଚ୍ଛର ପ୍ରାୟ ୯୦% ଅଂଶ ଭାରତ ଅଧୀନକୁ ଆସିଯାଇଥାନ୍ତା ଜାଣିପାରି ପାକିସ୍ତାନ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲା  ।

Comments