ରାମଲାଲାଙ୍କ ଜନ୍ମସ୍ଥାନ ଉପରେ ବାବ୍ରି ମସଜିଦ ବନାଯାଇଛି

ନୂଆଦିଲ୍ଲୀ, ୨୨/୮  : ସୁପ୍ରିମ୍କୋର୍ଟରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଗୁରୁବାର ଅଯୋଧ୍ୟା ମାମଲାର ଶୁଣାଣି ହୋଇଥିଲା  । ଏହି ଶୁଣାଣି ସମୟରେ ଆବେଦନକାରୀ ଗୋପାଳସିଂହ ବିଶାରଦଙ୍କ ପକ୍ଷରୁ ବରିଷ୍ଠ ଓକିଲ ରଞ୍ଜିତ କୁମାର ଯୁକ୍ତି ବାଢ଼ିଥିଲେ ଯେ, ମୁଁ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ଉପାସକ ଅଟେ ଓ ମୋତେ ମଧ୍ୟ ସେଠାରେ ପୂଜାର୍ଚ୍ଚନା କରିବାର ଅଧିକାର ରହିଛି  । ଏହି ଅଧିକାରକୁ ମୋ ଠାରୁ କେହି ଛଡ଼ାଇ ନେଇପାରିବେ ନାହିଁ  । ଏଥିସହିତ ଏହି ମାମଲାରେ ପୂର୍ବରୁ ଆହ୍ଲାବାଦ ହାଇକୋର୍ଟରେ ମୁସଲିମ ପକ୍ଷରୁ ସାକ୍ଷ୍ୟ ଦେଇଥିବା ୮୦ ବର୍ଷୀୟ ଅବଦୁଲ ଗନିଙ୍କ ବୟାନକୁ ଉଦ୍ଧୃତ କରିଥିଲେ  । ଅବଦୁଲ ଗନି ପୂର୍ବରୁ ଅଦାଲତରେ ସାକ୍ଷ୍ୟ ଦେଇ କହିଥିଲେ ଯେ, ରାଜ ଜନ୍ମସ୍ଥାନ ଉପରେ ବାବ୍ରି ମସଜିଦ ବନାଯାଇଛି  । ବ୍ରିଟିଶ ଶାସନ ସମୟରେ ବାବ୍ରି ମସିଜିଦ୍ରେ କେବଳ ଶୁକ୍ରବାର ବା ଜୁମ୍ମା ଦିନ ମୁସଲିମମାନେ ନମାଜ ପାଠ କରୁଥିଲେ ଏବଂ ହିନ୍ଦୁମାନେ ନିୟମିତ ଭାବେ ପୂଜାପାଠ କରୁଥିଲେ  । ତେବେ ବାବ୍ରି ମସଜିଦ ଭଙ୍ଗାଯିବା ପରେ ଏଠାକୁ ନମାଜ ପାଠ କରିବା ଲାଗି ମୁସଲମାନମାନେ ଆସିବା ବନ୍ଦ କରିଦେଇଥିଲାବେଳେ ହିନ୍ଦୁମାନେ ଏବେ ବି ଏଠାରେ ପୂଜାର୍ଚ୍ଚନା କରୁଛନ୍ତି  । ସେପଟେ ଏଥିପୂର୍ବରୁ ବୁଧବାର ରାମଲାଲା ସମିତି ପକ୍ଷରୁ ମାମଲାକୁ ପରିଚାଳନା କରୁଥିବା ସି.ଏସ୍.ବୈଦ୍ୟନାଥନ ତାଙ୍କର ଯୁକ୍ତି ଉପସ୍ଥାପନ କରିଥିଲେ  । ବିବାଦିତ ଜମି ଉପରେ ମନ୍ଦିର ରହୁ ବା ନରହୁ, ମୂର୍ତି ରହୁ ବା ରହୁ ଶ୍ରଦ୍ଧାଳୁଙ୍କ ଆସ୍ଥା ରହିବା ନିହାତି ଜରୁରୀ ଅଟେ  । ଯେତେବେଳେ ସମ୍ପତି ଭଗବାନଙ୍କ ଉଦ୍ଦେଶ୍ୟରେ ନିହିତ ସେତେବେଳେ ତାକୁ କେହି ବି ନେଇପାରିବେ ନାହିଁ କିମ୍ବା ସେହି ସମ୍ପତିରୁ ଈଶ୍ୱରଙ୍କ ଅଧିକାରକୁ ମଧ୍ୟ ବାଦ୍ କରାଯାଇହେବ ନାହିଁ  । ଏଣୁ ଏହି ବିବାଦୀୟ ଜମି ଉପରେ ଏଡଭର୍ସ ପଜେସନର ନିୟମ ଲାଗୁ ହୋଇପାରିବ ନାହିଁ  । ମନ୍ଦିରରେ ରାମଲାଲ ଏବେ ଜଣେ ନାବାଳକ ଭାବେ ଅଛନ୍ତି  । ଯେଭଳି ଜଣେ ନାବାଳକର ସମ୍ପତିକୁ କାହାକୁ ଦାନ କରାଯାଇପାରିବ ନାହିଁ ବା କାହାରି ମଧ୍ୟରେ ବଣ୍ଟାଯାଇପାରିବ ନାହିଁ  । ହଜାର ହଜାର ବର୍ଷରୁ ଶ୍ରଦ୍ଧାଳୁମାନେ ଏହି ସ୍ଥାନକୁ ରାମଲାଲାଙ୍କ ଜନ୍ମସ୍ଥାନ ରୂପେ ବିବେଚନା କରି ପୂଜାର୍ଚ୍ଚନା କରିଆସୁଛନ୍ତି  । ଲୋକଙ୍କ ଏହି ଆସ୍ଥାକୁ ମାନ୍ୟବର ସୁପ୍ରିମକୋର୍ଟ ମାନ୍ୟତା ଦେବା ଉଚିତ ବୋଲି ଶ୍ରୀ ବୈଦ୍ୟନାଥନ ଯୁକ୍ତି ଉପସ୍ଥାପନା କରିଥିଲେ  । ସେ ପୁନଶ୍ଚ ଯୁକ୍ତି ବାଢ଼ିଥିଲେ ଯେ, ୧୯୪୯ରେ ଏହି ବିବାଦୀୟ ଢାଞ୍ଚାରେ ରାମଲାଲାଙ୍କ ମୂର୍ତି ମିଳିଥିଲା  । ମାତ୍ର ଏହାର ୧୨ ବର୍ଷ ପର୍ଯ୍ୟନ୍ତ ମୁସଲିମ ପକ୍ଷ ନିଷ୍କ୍ରିୟ ହୋଇ ରହିଥିଲା  । ଏଣୁ ସେମାନଙ୍କ ଏହି ବିବାଦୀୟ ଜମି ବା ଢାଂଚା ଉପରେ ଦାବି କରିବାକୁ ଅଧିକାର ନାହିଁ ବୋଲି ଶ୍ରୀ ବୈଦ୍ୟନାଥନ ଯୁକ୍ତି ବାଢ଼ିଥିଲେ  ।\n

Comments